ବିଜୟାନନ୍ଦ ପଟ୍ଟନାୟକ ତଥା ବିଜୁ ବାବୁ ପିତା ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ମାତା ଆଶାଲତା ପଟ୍ଟନାୟକଙ୍କଠାରୁ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖ ଦିନ କଟକର ତୁଳସୀପୁରଠାରେ ତୃତୀୟ ସନ୍ତାନ ଭାବେ ଜନ୍ମ ନେଇଥିଲେ। ସେ ରେଭେନ୍ସା କଲେଜିଏଟ୍ ସ୍କୁଲ, କଟକଠାରେ ସ୍କୁଲଶିକ୍ଷା ସାରିଲା ପରେ ରେଭେନ୍ସା କଲେଜରେ ବିଜ୍ଞାନ ପଢ଼ିଥିଲେ।
ପାଠପଢ଼ା ଜୀବନରେ ସେ ଖେଳ ପ୍ରତି ଭାରି ଇଚ୍ଛୁକ ଥିଲେ ଓ ବିଶ୍ୱବିଦ୍ୟାଳୟ ଫୁଟ୍ବଲ୍ ଖେଳିବା ସହ ଦଳର କ୍ୟାପ୍ଟେନ୍ ରହିଆସିଥିଲେ। ପରେ ସେ ଦିଲ୍ଲୀର ଏରୋନଟିକ୍ସ ଟ୍ରେନିଂ ଶିକ୍ଷାନୁଷ୍ଠାନରେ ବିମାନ ଉଡାଣ ଶିକ୍ଷାରେ ଯୋଗଦେଇଥିଲେ। ବିଜୁ ପଟ୍ଟନାୟକ ୧୯୩୮ ମସିହାରେ ଜ୍ଞାନ ପଟ୍ଟନାୟକଙ୍କୁ ବିବାହ କରିଥିଲେ।
Also Read
ବିଜୁବାବୁଙ୍କ କର୍ମମୟ ଜୀବନ:
ବିମାନ ଚାଳକ ଭାବେ-
ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ସେ ଇଣ୍ଡିଆନ୍ ଏୟାରୱେଜ୍ରେ ପାଇଲଟ ଭାବରେ ଚାକିରି କରିଥିଲେ। ଏକ ଘଡ଼ିସନ୍ଧି ମୁହୂର୍ତ୍ତରେ ସେ ନିଜେ ବିମାନ ଚଳାଇ ଇଣ୍ଡୋନେସିଆର ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ଡଚ୍ମାନଙ୍କଠାରୁ ଉଦ୍ଧାର କରିଥିଲ। ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ "ଭୂମିପୁତ୍ର" ସମ୍ମାନରେ ସମ୍ମାନୀତ କରାଯାଇଥିଲା। ଏହି ସମ୍ମାନ ସହ, ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ। ବିଜୁ ପଟ୍ଟନାୟକ ଚଳାଉଥିବା ଡାକୋଟା ବିମାନ ୨୦-୨୪ ଫେବୃୟାରୀ ୨୦୧୯ ମସିହାରେ ଅନୁଷ୍ଠିତ ଏୟାର ଶୋ'ରେ ପ୍ରଦର୍ଶିତ ହୋଇଥିଲା।
ରାଜନୈତିକ ଜୀବନ-
ବିଜୁ ପଟ୍ଟନାୟକ ତାଙ୍କ ରାଜନୈତିକ ଜୀବନ ୧୯୪୬ରେ ଆରମ୍ଭ କରି ନିର୍ବିରୋଧ ଭାବେ ଓଡ଼ିଶା ବିଧାନ ସଭାକୁ ଉତ୍ତର କଟକ ମଣ୍ଡଳୀରୁ ନିର୍ବାଚିତ ହୋଇଥିଲେ। ୧୯୫୨ ଏବଂ ୧୯୫୭ରେ ସେ ଯଥାକ୍ରମେ ଜଗନ୍ନାଥ ପ୍ରସାଦ ଏବଂ ସୋରଡ଼ାରୁ ଜିତିଥିଲେ। ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ହୋଇଥିଲେ। ତାଙ୍କ ନେତୃତ୍ୱରେ କଂଗ୍ରେସ ୧୪୦ରୁ ୮୨ଟି ଆସନରେ ବିଜୟ ଲାଭ କରିଥିଲା। ଚୌଦ୍ୱାରରୁ ନିର୍ବାଚିତ ବିଜୁ ପଟ୍ଟନାୟକ ପ୍ରଥମଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରି ୨ ଅକ୍ଟୋବର ୧୯୬୩ ଯାଏଁ ପଦବୀରେ ରହିଥିଲେ।
କଂଗ୍ରେସକୁ ପୁଣି ସତେଜ କରିବା ପାଇଁ ସେ କାମରାଜ ଯୋଜନାରେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ବିଜୁ ବାବୁ ଓ ଇନ୍ଦିରା ଗାନ୍ଧୀଙ୍କ ମଧ୍ୟରେ ଘନିଷ୍ଠ ସମ୍ପର୍କ ଥିଲା, ହେଲେ ୧୯୬୯ ରାଷ୍ଟ୍ରପତି ନିର୍ବାଚନ ବେଳେ ତାଙ୍କ ଭିତରେ ମନୋମାଳିନ୍ୟ ହୋଇଯିବାରୁ ଓ ୧୯୭୧ରେ ହୋଇଥିବା ରାଜ୍ୟସଭା ନିର୍ବାଚନ ନିମନ୍ତେ କଂଗ୍ରେସ ଟିକଟ ନ ପାଇବାରୁ ସେ କଂଗ୍ରେସ ଛାଡ଼ି ଉତ୍କଳ କଂଗ୍ରେସ ନାମରେ ଏକ ନୂଆ ଦଳ କରିଥିଲେ।
୧୯୭୧ ବିଧାନସଭା ମତଦାନରେ ତାଙ୍କ ପାର୍ଟି ଯୁକ୍ତିଯୁକ୍ତ ଭାବେ ଭଲ କରିଥିଲା। ବିଜୁ ବାବୁ ପରେ ତାଙ୍କ ପୁରୁଣା ସାଙ୍ଗ ଜୟପ୍ରକାଶ ନାରାୟଣଙ୍କ ସହିତ ସମ୍ପର୍କ ପୁନଃସ୍ଥାପନ କରିଥିଲେ ଓ ୧୯୭୪ରେ ଜେ.ପି ମୁଭ୍ମେଣ୍ଟରେ ଯୋଗ ଦେଇଥିଲେ। ୧୯୭୫ରେ ଯେତେବେଳେ ଜରୁରିକାଳୀନ ସ୍ଥିତି ଘୋଷଣା ହେଲା, ବିଜୁ ପଟ୍ଟନାୟକ ପ୍ରଥମ ବ୍ୟକ୍ତି ଥିଲେ ଯିଏ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇଥିଲେ।
୧୯୭୭ରେ ସେ ମୁକୁଳିଲେ ଓ ଲୋକସଭା ପ୍ରାର୍ଥୀ ହିସାବରେ କେନ୍ଦ୍ରାପଡ଼ାରୁ ନିର୍ବାଚିତ ହେଲେ। ୧୯୭୯ ବେଳେ ସେ ମୋରାରଜୀ ଦେଶାଇ ଓ ଚୌଧୁରୀ ଚରଣ ସିଂହଙ୍କ ସରକାର ଅଧିନରେ ଇସ୍ପାତ ଓ ଖଣିମନ୍ତ୍ରୀ ଥିଲେ। ୧୯୮୦ରେ ବିଜୁ ବାବୁ ଲୋକସଭାକୁ ନିର୍ବାଚିତ ହେଲେ ଏବଂ ପୁଣିଥରେ ୧୯୯୬ରେ ଲୋକସଭାକୁ ନିର୍ବାଚିତ ହେଇଥିଲେ। ୧୯୯୦ ରାଜ୍ୟ ବିଧାନସଭା ନିର୍ବାଚନରେ ଜନତା ଦଳ ଜିତିଲା ଏବଂ ଆଉଥରେ ସେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ୧୯୯୫ ପର୍ଯ୍ୟନ୍ତ କାର୍ଯ୍ୟନିର୍ବାହ କରିଥିଲେ।
ବିଜୁ କଳିଙ୍ଗ ଟାଇଲସ, କଳିଙ୍ଗ ଟ୍ୟୁବ୍ସ, କଳିଙ୍ଗ ଆଇରନ ୱାର୍କସ, କଳିଙ୍ଗ ଏୟାର୍ଲାନ୍ସ ଓ କଳିଙ୍ଗ ରିଫ୍ରାକ୍ଟୋରିଜ୍ ଆଦି ନିଜ ଉଦ୍ୟମରେ ପ୍ରତିଷ୍ଠା କରିଥିଲେ। ରାଜ୍ୟର ପ୍ରଗତି ପାଇଁ ତାଙ୍କ ଉଦ୍ୟମରେ ନିମ୍ନଲିଖିତ ଅନୁଷ୍ଠାନଗୁଡ଼ିକ ମଧ୍ୟ ଠିଆ ହୋଇଥିଲା।
- ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (OUAT)
- ଆଞ୍ଚଳିକ ଶିକ୍ଷା ଅନୁଷ୍ଠାନ (ଭୁବନେଶ୍ୱର)
- ଆଞ୍ଚଳିକ ଗବେଷଣା କେନ୍ଦ୍ର (ଭୁବନେଶ୍ୱର)
- ସୈନିକ ସ୍କୁଲ୍, ଭୁବନେଶ୍ୱର
- ଏନ୍.ଆଇ.ଟି, ରାଉରକେଲା
- ମିଗ୍ ବିମାନ କାରଖାନା, ସୁନାବେଡା
- ପାରାଦ୍ୱୀପ ବନ୍ଦର
- ଓଟିଏମ୍, ଚୌଦ୍ୱାର
- ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍
- ତାଳଚେର ଥର୍ମାଲ ପ୍ରକଳ୍ପ
- ନାଲକୋ ପ୍ରକଳ୍ପ
- ଦୈତାରୀ ଲୌହ ଇସ୍ପାତ କାରଖାନା
- ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ
- ସମ୍ବଲପୁର ବିଶ୍ୱବିଦ୍ୟାଳୟ
- ବୁର୍ଲା ଇଞ୍ଜିନିୟରିଂ ଓ ମେଡିକାଲ୍ କଲେଜ
- ବଡବିଲ ଲୁହା କାରଖାନା