• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଜେଲ ଭିତରେ ପାର୍ସଲ ବୋମା ବିସ୍ଫୋରଣର ଦୋଷୀ ପୁଞ୍ଜିଲାଲଙ୍କ ପାଠଶାଳା । ବହୁଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣର ଅଭିଯୁକ୍ତ ପୁଜିଂଲାଲ ମେହେର ଏବେ ବଲାଙ୍ଗିର ଜେଲରେ କଏଦୀଙ୍କୁ ପଢାଉଛନ୍ତି ପାଠ । ଜେଲର ଜନମଂଗଳ ଅଧିକାରୀ ଓ ଜେଲ ଅଧିକ୍ଷକଙ୍କ ତତ୍ତ୍ୱାବଧାନରେ କଏଦୀଙ୍କୁ ଇଂରାଜୀ ପଢାଉଛି ପୁଜିଂଲାଲ । ପୂର୍ବରୁ ପାଟଣାଗଡ଼ ଜେଲ କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଅଭିଯୋଗ ଆଣିବାପରେ ତାଙ୍କୁ ବଲାଙ୍ଗିର ଜେଲକୁ ସ୍ଥାନାନ୍ତର କରାଯାଇଥିଲା । ପୁଜିଂଲାଲ ମେହେର ଜଣେ ଇଂରାଜୀ ଅଧ୍ୟାପକ ହୋଇଥିବାରୁ ଜେଲ କର୍ତ୍ତୃପକ୍ଷ କଏଦୀଙ୍କ ଶିକ୍ଷାଦାନ ପାଇଁ ତାଙ୍କୁ ନିୟୋଜିତ କରିଛନ୍ତି ।

ତେବେ ଏସମ୍ପର୍କରେ ଜେଲ ଅଧିକ୍ଷକ କହିଛନ୍ତି, ପୁଞ୍ଜିଲାଲ ଜଣେ ଅଧ୍ୟାପକ ହୋଇଥିବାରୁ ତାଙ୍କୁ ପାଠ ପଢ଼ାଇବା କାମରେ ଲଗାଯାଇଛି । ଏଥିପାଇଁ ଜେଲରେ ବନ୍ଦ ଥିବା ଆସାମୀଙ୍କୁ ସମସ୍ତ ପ୍ରକାର ବହି ଯୋଗାଇ ଦିଆଯାଇଛି । ସବୁଦିନ କଏଦୀଙ୍କୁ ପାଠ ପଢ଼ାଉଥିଲେ ପୁଞ୍ଜିଲାଲ । ହେଲେ ବର୍ତ୍ତମାନ ଜେଲ ସ୍କୁଲ ମରାମତି କାମ ଚାଲୁଥିବାରୁ ବନ୍ଦ ରହିଛି ପାଠପଢ଼ା । ମରାମତି କାମ ଶେଷ ହେଲେ ପୁଣି ପାଠପଢ଼ା ଆରମ୍ଭ ହେବ ବୋଲି ସେ କହିଛନ୍ତି । ତେବେ ପ୍ରତି ପର୍ଯ୍ୟାୟରେ ୨୦ ଜଣ ଅପରାଧୀଙ୍କୁ ପାଠ ପଢ଼ାଯାଉଥିବା କହିଛନ୍ତି ଜେଲ ଅଧୀକ୍ଷକ ।

ସୂଚନାଯୋଗ୍ୟ ୨୦୧୮ ମସିହା ଫେବ୍ରୁଆରୀ ୨୩ରେ ପାଟଣାଗଡ଼ରେ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା । ଏହି ଭୟଙ୍କରେ ବିସ୍ଫୋରଣରେ ୨ଜଣଙ୍କ ମୃତ୍ୟୁ ହୋଇଥିଲା । ପାଟଣାଗଡ଼ ସହରର ବରହମ୍ପୁରାରେ ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ଆସିଥିବା ଏକ ବୋମା ଭର୍ତ୍ତି ପାର୍ସଲ ବିସ୍ଫୋରଣ ହୋଇଥିଲା । ଏଥିରେ ରବୀନ୍ଦ୍ରଙ୍କ ନବ ବିବାହିତ ପୁଅ ସୌମ୍ୟଶେଖର ଏବଂ ସୌମ୍ୟଶେଖରଙ୍କ ସମ୍ପର୍କୀୟ ଜେଜେ ମା’ଙ୍କ ମୃତ୍ୟୁ ଘଟିଥିଲା ।