• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ରାଜ୍ୟ ସରକାରଙ୍କୁ ବଡ଼ ଝଟ୍‌କା। ଶ୍ରୀ ଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ସଂକ୍ରାନ୍ତ ଅଧ୍ୟାଦେଶକୁ କେନ୍ଦ୍ରର ରୋକ୍। ଏହି ଅଧ୍ୟାଦେଶ ଲାଗୁ କରିବା ରାଜ୍ୟ ବିଧାନସଭାର ପରିଧିରେ ଆସୁନି ଏବଂ ଏହା ଆମସାର ଆକ୍ଟର ବିରୁଦ୍ଧାଚରଣ କରୁଥିବା ନେଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟପାଳଙ୍କୁ ଅବଗତ କରାଯାଇଛି।

ଏହାସହ ଅଧ୍ୟାଦେଶରେ ଥିବା ଅନେକ ବ୍ୟବସ୍ଥାକୁ ନେଇ ମଗାଯାଇଛି ସ୍ପଷ୍ଟୀକରଣ। ରାଜ୍ୟ ସରକାର ସୌନ୍ଦର୍ଯ୍ୟକରଣ ଆଳରେ ଆମସାର୍ ଆଇନର ଖୋଲା ଉଲ୍ଲଂଘନ କରିସାରିଥିବା ନେଇ ଆପତ୍ତି ଉଠାଇଛି ଗୃହ ମନ୍ତ୍ରାଳୟ। ୧୯୫୮ ଆମସର୍ ଆକ୍ଟ ଅନୁଯାୟୀ ରାଜ୍ୟ ସରକାର କୌଣସି ସ୍ୱତନ୍ତ୍ର ନିୟମ କରିପାରିବେ ନାହିଁ। ପ୍ରାଚୀନ କୀର୍ତ୍ତିରାଜିର ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ୨୦୦ ମିଟର ଯାଏଁ ନିୟନ୍ତ୍ରିତ ଅଞ୍ଚଳ ଭାବେ ଘୋଷଣା ହୋଇଥିବାରୁ କୌଣସି ମରାମତି କିମ୍ବା ନୂତନ ନିର୍ମାଣ କରିବା ନିଷେଧ। ଏଥିଲାଗି ଜାତୀୟ ସ୍ମାରକୀ ପ୍ରାଧିକରଣ ବା ଏନ୍ଏମ୍ଏର ଅନୁମତି ଆବଶ୍ୟକ।

ସ୍ୱତନ୍ତ୍ର ଆଇନ୍ ଆସିଲେ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦ୍ୱିମତ ପ୍ରକାଶ ପାଇ ବିଭାଜନ ହେବାର ଆଶଙ୍କା ରହିଛି। କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରାଳୟ ଅଧ୍ୟାଦେଶର ଏସବୁ ଦିଗ ଉପରେ ବିଚାର କରି ଆପତ୍ତି ଉଠାଇଛନ୍ତି, ଯାହାର ଉତ୍ତର ଆଇନ୍ ବିଭାଗ ପକ୍ଷରୁ ଏପ୍ରିଲ ୪ରେ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ଦିଆଯାଇଛି (ଚିଠି ଲାଗିବ)। ସେପଟେ ସେବାୟତଙ୍କ ମତ ହେଲା ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ଆସିଲେ ସେମାନେ ଉପକୃତ ହେବେ।

ଶ୍ରୀଲିଙ୍ଗରାଜ ମନ୍ଦିର ସ୍ୱତନ୍ତ୍ର ଆଇନ ୨୦୨୦କୁ ଲାଗୁ କରିବା ଲାଗି ଅଧ୍ୟାଦେଶ ଜାରି କରିଥିଲେ ରାଜ୍ୟ ସରକାର। ଯେହେତୁ କେନ୍ଦ୍ରୀୟ ଆଇନ କିଛି ପରିମାଣରେ ଏସବୁ ଅଞ୍ଚଳକୁ ନିୟନ୍ତ୍ରିତ କରୁଛି ସେଥିଲାଗି କେନ୍ଦ୍ର ସରକାରଙ୍କ ଅନୁମତି ଲାଗି ପଠାଯାଇଥିଲା। ତେବେ କେନ୍ଦ୍ରର ଏପରି ଆପତ୍ତି ପରେ ଏବେ ଜୋର ଧରିଛି ରାଜନୀତି। ବିଜେଡି କହିଛି ଆମେ ଦୁଇ ଦୁଇ ଥର ସ୍ପଷ୍ଟୀକରଣ ଦେଇଛୁ ଏବେ କିନ୍ତୁ ରାଜ୍ୟପାଳଙ୍କ ଜରିଆରେ କେନ୍ଦ୍ର ଚିଠି ଲେଖିବାର କି ଆବଶ୍ୟକତା ପଡିଲା। କାଶୀ ବିଶ୍ୱନାଥ, କେଦାରନାଥ ଓ ସୋମନାଥ ଲାଗି ଗୋଟିଏ ମାପ ଦଣ୍ଡ ଓ ଲିଙ୍ଗରାଜଙ୍କ ପାଇଁ ଗୋଟିଏ ମାନଦଣ୍ଡ କାହିଁକି ବୋଲି ପାଲଟା ପ୍ରଶ୍ନ କରିଛି ବିଜେଡି।

କଂଗ୍ରେସ କହିଛି ଯେ ଅଂଶୀଦାରମାନଙ୍କ ସହ ଆଲୋଚନା ନ କରି ଅଧ୍ୟାଦେଶ ଆଣିବା ସରକାରଙ୍କୁ ଅକଳରେ ପକେଇଛି। ବିଜେପିର ମତ ବେଆଇନ ବିକାଶକୁ କଦାପି ଗ୍ରହଣ କରାଯାଇପାରିବ ନାହିଁ।

ଶ୍ରୀମନ୍ଦିର ଐତିହ୍ୟ ପ୍ରକଳ୍ପ ପରେ ଏବେ ବିବାଦରେ ଏକାମ୍ର କ୍ଷେତ୍ର ବିକାଶ ପ୍ରକଳ୍ପ। ଏବେ ଅପେକ୍ଷା ରାଜ୍ୟର ସ୍ପଷ୍ଟୀକରଣ ପରେ ପ୍ରକଳ୍ପକୁ କେନ୍ଦ୍ର ଗ୍ରୀନ୍‌ ସିଗ୍‌ନାଲ୍ ଦେଉଛି ନା ନାହିଁ?

(ରିପୋର୍ଟ: ଭୁବନେଶ୍ୱରରୁ ବିବର୍ତ୍ତନ ପଣ୍ଡା ଓ ଜଗଦୀଶ ଦାସ)