• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କନିଷ୍ଠ ଶିକ୍ଷକ ନିଯୁକ୍ତି ଅନିୟମିତତା ମାମଲାରେ ହାଇକୋର୍ଟଙ୍କ ବଡ଼ ନିଷ୍ପତ୍ତି । ନିଯୁକ୍ତି ଉପରେ ଲାଗିଲା ଅଙ୍କୁଶ । ପୂର୍ବରୁ ଧାର୍ଯ୍ୟ ୨୦ ଓ ୨୧ ତାରିଖରେ ଡକ୍ୟୁମେଣ୍ଟ ଭେରିଫିକେସନ କରାଯାଇ ପାରିବ । ମାତ୍ର ୨୪ ତାରିଖ ପର୍ଯ୍ୟନ୍ତ ନିଯୁକ୍ତି ନେଇ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ନ୍ୟାୟାଳୟ ।

ଜାନୁଆରୀ ୨୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଛି । ସୂଚନା ଯୋଗ୍ୟ ଯେ, ଓଡ଼ିଶା ଜୁନିଅର ଟିଚର ସିବିଟି ପରୀକ୍ଷା ମେରିଟ୍ ଲିଷ୍ଟ ପ୍ରକାଶ ପରେ, ଏଥିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ଆଣିଛନ୍ତି ଆଶାୟୀ । ଗୁରୁବାର ଓସେପା କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପରେ, ଗତକାଲି ଭୁବନେଶ୍ୱର ଲୋୟର ପିଏମଜିରେ ଆଶାୟୀମାନେ ଧାରଣା ଦେଇଥିଲେ ।

ମେରିଟ୍ ଲିଷ୍ଟ ପ୍ରକାଶ ପୂର୍ବରୁ କଟ୍ଅଫ୍ ତାଲିକା ପ୍ରକାଶ କରାଯାଇ ନଥିବାରୁ, କେଉଁ ପ୍ରାର୍ଥୀ କେତେ ମାର୍କ ରଖିଛନ୍ତି, କଟ୍ଅଫ୍ ମାର୍କ କେତେ ରଖାଯାଇଛି, ତାହା ସାମ୍ନାକୁ ଅଣାଯାଉ ବୋଲି ଦାବି ହୋଇଛି । ସବୁ ପରୀକ୍ଷାର୍ଥୀଙ୍କୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ପାଇଁ ଡକାଯାଉ ଏବଂ ଯୋଗ୍ୟ ବିବେଚିତ ୨୦ ହଜାର ପ୍ରାର୍ଥୀଙ୍କ ତାଲିକା ପ୍ରକାଶ କରାଯାଉ ବୋଲି ଦାବି ହୋଇଛି ।

ସେପଟେ ଓସେପା କିନ୍ତୁ ଚୟନରେ ଅନିୟମିତତାକୁ ଅସ୍ୱୀକାର କରିଛି । ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ କହିଛନ୍ତି ସରକାରଙ୍କ ରିଜୋଲ୍ୟୁସନ୍ ଆଧାରରେ ସ୍ୱଚ୍ଛତାର ସହ ସବୁ କିଛି ହେଉଛି । ସେହିପରି ଇ-ଆଡମିଟ୍ କାର୍ଡରେ ଅଜବ ନାଁ ସଂପର୍କରେ ବି ପ୍ରତିକ୍ରିୟା ଦେଇ, ଅଟୋଜେନେରେଟେଡ ଆଡମିଟ କାର୍ଡ ପାଇଁ ଏଭଳି ନାଁ ଆସିଥିବା ଏବଂ ସେଭଳି ପ୍ରାର୍ଥୀ ପରୀକ୍ଷାରେ ବସିବା ସମ୍ଭବ ନୁହେଁ ବୋଲି କହିଛନ୍ତି ।

ଏପଟେ ଏହି ପ୍ରସଙ୍ଗକୁ ନେଇ ବିଜେପି ସାଂଘାତିକ ଅଭିଯୋଗ ଆଣି କହିଛି, ରାଜ୍ୟରେ ଶିକ୍ଷକ ନିଯୁକ୍ତିରେ ହଜାରେ କୋଟିର ଦୁର୍ନୀତି ହୋଇଛି । ୨୦ ହଜାର ଶିକ୍ଷକ ପଦବିରୁ ଅଧାରୁ ଅଧିକ ଚାକିରି ସରକାର ବିକିଛନ୍ତି । ଗୋଟିଏ ଗୋଟିଏ ଚାକିରି ପିଛା ୧୦ ଲକ୍ଷ କମିଶନି କାରବାର ହୋଇଛି ବୋଲି ଅଭିଯୋଗ ଆଣି ନିଯୁକ୍ତି ପ୍ରକ୍ରିୟାରେ ଏ ଦୁର୍ନୀତି ପଶ୍ଚିମବଙ୍ଗକୁ ଟପିଗଲାଣି ବୋଲି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ ।

ଓଡ଼ିଶାର ପିଲା ପରିଶ୍ରମ କରୁଥିଲା ବେଳେ ମାହାଲମାଣ୍ଡାମାନେ କେମିତି ଚାକିରି ପାଉଛନ୍ତି, ପଶ୍ଚିମବଙ୍ଗ ଭଳି ଓଡ଼ିଶାର ପାର୍ଥ ଚାଟାର୍ଜୀ ଓ ଅର୍ପିତା ମୁଖାର୍ଜୀ କିଏ ଭଳି ପ୍ରଶ୍ନ କରି ଦୁର୍ନୀତିର ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିଛନ୍ତି ଅନିଲ ।