• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ମେସିନରେ ଫୁଟିଲା ଚିଆଁ

  • କୁକୁଡା ଚିଆଁ ଫୁଟା ମେସିନ୍ ତିଆରି କରି ଚର୍ଚ୍ଚାରେ

ଟିଟିଲାଗଡ(ମାନସ ରଞ୍ଜନ ମହାନ୍ତି) : କୁହାଯାଏ ଅଭାବରୁ ଉଦ୍ଭାବନର ରାସ୍ତା ବାହାରିଥାଏ । ଏହାକୁ ଅକ୍ଷରେ ଅକ୍ଷରେ ପ୍ରମାଣ କରି ଦେଖାଇଛନ୍ତି ଟିଟିଲାଗଡ ବ୍ଲକ ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ନିଜ ବୁଦ୍ଧି‍ବଳରେ ଇନକ୍ୟୁବେଟର ମେସିନ୍ ତିଆରି କରି ସଫଳତାର ସହିତ ୭ଟି କୁକୁଡା ଚିଆଁ ବାହାର କରିଛନ୍ତି । ତେଜରାଜ୍ ଖୁବ କମ ଖର୍ଚ୍ଚରେ ଇନକ୍ୟୁବେଟର ତିଆରି କରିବା ପରେ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟୁଛି । କୁକୁଡା ଚାଷୀ ଅନ୍ୟ ଲୋକଙ୍କ ପାଇଁ ଏବେ ଆଦର୍ଶ ସାଜିଛନ୍ତି ତେଜରାଜ ।

ଲୁଥୁରବନ୍ଧ ଗାଁର ତେଜରାଜ ସାହୁ । ଅନେକ ପରିଶ୍ରମ ଓ ବୁଦ୍ଧି ଖଟାଇ ଅଣ୍ଡାରୁ ଚିଆଁ ଫୁଟାଇଛନ୍ତି ତେଜରାଜ ସାହୁ । ପ୍ରାୟ ଏକ ମାସ ପୂର୍ବରୁ ଘରେ ଥିବା ତାଙ୍କର ଏକ କୁକୁଡ଼ା ଅଣ୍ଡା ଦେବା ପରେ ମରି ଯାଇଥିଲା । ତେବେ ଅଣ୍ଡାରୁ ଚିଆଁ ଫୁଟାଇବାକୁ ଚିନ୍ତା କରିଥିଲେ ତେଜରାଜ । ଆଉ ଶେଷରେ ୟୁଟ୍ୟୁବରୁ ରାସ୍ତା ପାଇଥିଲେ । ଆମାଜନରୁ ଏକ କଣ୍ଟ୍ରୋଲର୍ ମଗାଇ ମାଛ ରଖାଯାଉଥିବା ଥର୍ମୋକୁଲ ବକ୍ସରେ ଫିଟିଙ୍ଗ କରିଥିଲେ । ବକ୍ସରେ ୧୦୦ ୱାଟର ୨ଟି ବଲ୍ବ ଲଗାଇବା ସହିତ ଥର୍ମୋଷ୍ଟାର୍ଟ ଲଗାଇ ପ୍ରଥମେ ୧୫ ଟି ଅଣ୍ଡା ରଖି ପରୀକ୍ଷା କରିଥିଲେ । ଦୀର୍ଘ ୨୦/୨୫ ଦିନ ରଖିବା ପରେ ଅଣ୍ଡାରୁ ପ୍ରଥମ ଛୁଆ ଫୁଟିଲା, ପରେ ଗୋଟି ଗୋଟି କରି ୭ ଟି ଛୁଆ ଅଣ୍ଡାରୁ ବାହାରିଛି ।

ତେଜରାଜର ଏଭଳି ଉଦ୍ଭାବନ ପାଇଁ କେବଳ ପରିବାର ଲୋକ ନୁହେଁ, ଅଚଳବାସୀ ତଥା କୁକୁଡା ଚାଷୀ ମାନେ ବେଶ ଉତ୍ସାହିତ ଅଛନ୍ତି । ଏହି ଖବର ପ୍ରଚାର ହେବା ପରେ ନୂଆ ଯନ୍ତ୍ର ଦେଖିବାକୁ ତାଙ୍କ ଘରକୁ ଲୋକଙ୍କ ସୁଅ ଛୁଟୁଛି । ତେଜରାଜ ନିଜେ ଏହି ଯନ୍ତ୍ର ବ୍ୟବହାର କରିବା ସହିତ ଅନ୍ୟମାନଙ୍କୁ ବିକ୍ରି ମଧ୍ୟ କରୁଛନ୍ତି । ଗତ ୩ ମାସ ମଧ୍ୟରେ ସେ ୫ଟି ହାତ ତିଆରି ଇନକ୍ୟୁବେଟର ବିକ୍ରି କରିସାରିଲେଣି ।

ଇନକ୍ୟୁବେଟର ତିଆରି ପାଇଁ ପରେ ୨୫୦୦ ଟଙ୍କା ଖର୍ଚ ହେଉଥିବା ବେଳେ ୩୦୦୦ ଟଙ୍କାରେ ତେଜରାଜ ଏହାକୁ ବିକ୍ରି କରୁଛନ୍ତି । କେବଳ କୁକୁଡା ଅଣ୍ଡା ପାଇଁ ନୁହେଁ ଗୁଣ୍ଡରୀ ଅଣ୍ଡା ପାଇଁ ମଧ୍ୟ ସ୍ୱତନ୍ତ୍ର ଇନକ୍ୟୁବେଟର ବନାଇଛନ୍ତି ତେଜରାଜ । ତେଜରାଜଙ୍କୁ ଉତ୍ସାହିତ କରିବା ସହିତ ନିଜେ ମଧ୍ୟ କିଭଳି ଏହି ଯନ୍ତ୍ରରୁ ଲାଭବାନ ହେବ ତାହା ଶିକ୍ଷା ନେଉଛନ୍ତି କୁକୁଡ଼ାଚାଷୀ । ବର୍ତ୍ତମାନ ସ୍ଥାନୀୟ କୁକୁଡା ବ୍ରିଡ ସହିତ ବନରାଜ, କଡକନାଥ, ପଲଶା କୁକୁଡା ଅଣ୍ଡା ଆଣି କିଭଳି କୁକୁଡା ଚାଷ କରିବେ ତାହାକୁ ନେଇ ଚିନ୍ତା କରୁଥିବା ଲୋକେ କହିଛନ୍ତି ।