Advertisment

ଦୀପକ ସାରଙ୍କ ନିଆରା ପାଠଶାଳା; ଗୀତ ଓ ଗପରେ ମନେ ରହୁଛି ଗଣିତ ସୂତ୍ର

ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ।

author-image
Manoranjan Behera
Teacher

Teacher

ଏଯାଏଁ ନିଜେ ନିଜ ଭବିଷ୍ୟତକୁ ଗଢ଼ି ସାରି ନାହାନ୍ତି, କିନ୍ତୁ ଅତି ନିଆରା ଢଙ୍ଗରେ ଅନ୍ୟ ଅନେକ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିପଡ଼ିଛନ୍ତି। ଆମେ କହୁଛୁ ଭଦ୍ରକ ସନ୍ଥରାର ସମସ୍ତଙ୍କ ସାର୍ ୨୬ ବର୍ଷୀୟ ଦୀପକ ସାରଙ୍କ କଥା। ଚାକିରି ପାଇଁ ପ୍ରସ୍ତୁତି ସହ ପ୍ରଥମରୁ ୧୦ ମ ଯାଏଁ ପିଲାଙ୍କୁ ସେ ଏମିତି ଢଙ୍ଗରେ ପାଠ ପଢ଼ାଉଛନ୍ତି ଯେ, ପାଠଶାଳା ଦେଖିଲେ ଆପଣ ବି ତାଙ୍କ ଶୈଳୀ ଓ ମହତପଣିଆ ପ୍ରେମରେ ପଡ଼ିଯିବେ।

Advertisment

ଟନ୍ ଟନା ଟନ୍ ଟନ୍ ଟନ୍ ତାରା, ସାଇନ୍ କେ ନିଚେ କସ୍ ବିଚାରା.. କହି ଅଙ୍କ ବୁଝାଉଛନ୍ତି ଦୀପକ ସାର। ଅଙ୍କ, ହେଉ କି ଭୁଗୋଳ, ଇତିହାସ ହେଉ କି ବିଜ୍ଞାନ, ସାହିତ୍ୟ ଅବା ସାଧାରଣଜ୍ଞାନ..ଏଠି ଗୀତରେ ଗୀତରେ ସବୁ ପାଠ ସହଜ। ଗପରେ ଗପରେ ସବୁ କ୍ଳିଷ୍ଟ ପାଠ ଏକଦମ୍ ରସାଳ। ପାଠ ପଢ଼ାର ଶୈଳୀ ଏମିତି ପଢ଼ାରେ ମନ ଲାଗୁ ନଥିବା ପିଲା ପଢୁଛି, ସୂତ୍ର ଏମିତି ମନେ ରଖୁନଥିବା ପିଲା ଆଉ ବିଲକୁଲ୍ ଭୁଲୁନି।

ଦୀପକ କୁମାର ଦାସ। ଶବ୍ଦରେ ଶବ୍ଦ ଛନ୍ଦି କାହାଣୀରେ କାହାଣୀ ଫାନ୍ଦି, ଭଦ୍ରକ ପୌରାଞ୍ଚଳ ଅଧିନସ୍ଥ ସନ୍ଥିଆର ଏ ଟିଣ ଛପର ଘରେ ପ୍ରାୟ ଦେଢ଼ ଶହ ପିଲାଙ୍କ ଭବିଷ୍ୟତ ଗଢ଼ାରେ ଲାଗିଥିବା ଏ ୨୬ ବର୍ଷୀୟ ମେଧାବୀ ଯୁବକଙ୍କ ଘର ବାସୁଦେବପୁର ଆନ୍ଦୋଳ ପଞ୍ଚାୟତରେ। ଚାଷୀ ଘର ପୁଅ। ଗରିବୀ ସହ ଯୁଝି ଏମବିଏ ବି କରିଛନ୍ତି। ଆଉ ନିଜେ କମ୍ପିଟେଟିଭ୍ ପାଇଁ ପ୍ରସ୍ତୁତି କରିବା ଭିତରେ ଭଦ୍ରକ ଆସି ଏଇଠି ପିଲାଙ୍କୁ ପଢ଼ାଉ ପଢ଼ାଉ ଏବେ ସାଜିଛନ୍ତି ଗରିବ ଛାତ୍ରଛାତ୍ରୀଙ୍କ ମସିହା। ଆର୍ଥିକ ସ୍ଥିତିକୁ ଦେଖି କାହାଠୁ ପାରିଶ୍ରମିକ ନେଉଛନ୍ତି, କାହାଠୁ ବିଲକୁଲ୍ ନାହିଁ। ସେଇଥିପାଇଁ ତ ପିଲାଙ୍କ ପ୍ରତି ଦୀପକ ସାରଙ୍କ ଅବଦାନ କଥା ପଚାରିଲେ ତାଙ୍କ ପ୍ରଶଂସାରେ ଗଦଗଦ୍ ହୋଇ ପଡ଼ନ୍ତି ଅଭିଭାବକ।

Advertisment

ପ୍ରଥମରୁ ୧୦ମ ଯାଏଁ ପିଲାଙ୍କୁ ପଢ଼ାଉଥିବା ଦୀପକଙ୍କର ଇଛା ସବୁ ପିଲା, ଆନନ୍ଦମୟ ବାତାବରଣରେ ସରଳତାର ସହ ପଢନ୍ତୁ, ବଢ଼ନ୍ତୁ। ପାଠକୁ ମୁହଁରୁ ନୁହେଁ, ମନରୁ ପଢ଼ନ୍ତୁ। ନିଜ ପାଇଁ ଶିକ୍ଷା ବିଭାଗ କିମ୍ବା ପ୍ରଶାସନିକ ସ୍ତରରେ ଚାକିରିଟିଏ ପାଇବା ଦୀପକଙ୍କର ଇଚ୍ଛା। ହେଲେ ସେ ଆଶା ଏଯାଏଁ ପୂରା ହୋଇ ନଥିଲେ ବି ଶିକ୍ଷାଦାନରେ ତାଙ୍କର ଏ ପ୍ରୟୋଗ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି, ଶିକ୍ଷା ବ୍ୟବସ୍ଥା ପାଇଁ ଭଲ ଉଦାହରଣ ସାଜିଛି।

Teacher Education System
Advertisment
Advertisment