• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • କରୋନା ବଦଳାଇ ଦେଲା ଜୀବିକା

  • ଘରୋଇ ସ୍କୁଲର ଶିକ୍ଷକ ଏବେ ଦିନ ମଜୁରିଆ

ନୂଆପଡା( ମାୟାଧର ସରାଫ) : ମହାମାରୀ କରୋନା ଛଡ଼ାଇନେଲା ଜୀବିକା । ଜ୍ଞାନର ଆଲୋକ ବାଣ୍ଟୁଥିବା ଘରୋଇ ବିଦ୍ୟାଳୟର ଶିକ୍ଷକ ଏବେ ଦିନ ମଜୁରିଆ । ମନରେଗାରେ କାମ କରି ପରିବାର ଚଳାଇବାକୁ ବାଧ୍ୟ ହୋଇଛନ୍ତି । କେବେ କୁଳି ମଜୁରୀ କରି ପରିବାର ଚଳାଇ ଥିବା ବେଳେ କେବେ ଜମି ଚଷୀ, ତଳି ରୋଇ ପରିବାର ଚଲାଉଛନ୍ତି । ନୂଆପଡା ଜିଲ୍ଲା ଫୁଣ୍ଡେଲପଡା ଗାଁର ଜଣେ ଘରୋଇ ସ୍କୁଲର ଶିକ୍ଷକଙ୍କ କାହାଣୀ ସତରେ ଖୁବ୍ ମର୍ମସ୍ପର୍ଶୀ ।

ନୂଆପଡା ଜିଲ୍ଲା ଫୁଣ୍ଡେଲପଡା ଗାଁର ଶିକ୍ଷିତ ଯୁବକ ତିଲ ରାଉତ । ବୃତ୍ତିରେ ଜଣେ ଘରୋଇ ବିଦ୍ୟାଳୟର ଶିକ୍ଷକ । ନିକଟସ୍ଥ ଏକ ଘରୋଇ ବିଦ୍ୟାଳୟରେ ଶିକ୍ଷକତା କରନ୍ତି । ଯେଉଁ ହାତରେ ଚକ୍ ଡଷ୍ଟର ଧରି ପିଲାଙ୍କୁ ପାଠ ପଢ଼ାଉଥିଲେ ଆଜି ସେହି ହାତରେ ରଫା, ଗଇନ୍ତି ଧରି ମାଟି ଖୋଲୁଛନ୍ତି । ହାଡ ଭଙ୍ଗା ପରିଶ୍ରମ କଲେ ମୁଠାଏ ଖାଇବାକୁ ମିଲୁଛି । ଗାଁ ପାଖରେ ସରକାରଙ୍କ ତରଫରୁ ଚାଳୁଛି ମନରେଗା ଯୋଜନାରେ ନାଳ ଖନନ , ସେହି କାମରେ ଗାଁର ମଜୁରିଆମାନଙ୍କ ସହ ମିଶି ନିଜେ ମାଟି ତାଡୁଛନ୍ତି । ଇଚ୍ଛା ନଥିଲେ ସୁଦ୍ଧା ମାଟି ତାଡିବାକୁ ସେ ବାଧ୍ୟ । ନ ହେଲେ ଘରେ ଚୂଳି ଜଳିବନି । ୫ ପ୍ରାଣୀ ଭୋକରେ ରହିବେ । ଆଜି ଏ ପରିସ୍ଥିତ କେବଳ କରୋନା ଯୋଗୁଁ ଆସିଛି ।

ଦିନ ଥିଲା ସ୍କୁଲ ଚାଲୁ ଥିଲା । ପିଲାଙ୍କୁ ପାଠ ପଢାଉ ଥିଲେ । ମାସିକ ଯାହା ଦରମା ମିଲୁ ଥିଲା, ୫ ପରିବାର ଠିକରେ ଚଳି ଯାଉଥିଲେ, ହେଲେ ସ୍କୁଲ ବନ୍ଦ ଥିବାରୁ ଦରମା ନାହିଁ । ତିଲ ରାଉତ ୨ ବର୍ଷ ମଧ୍ୟରେ କୁଳି ମଜୁରୀ କରିବା ସହ ଚାଷ ଜମିରେ ଜମି ଚଷିଛନ୍ତି । ତଳି ଉପାଡିବା ସହ ତଳି ମଧ୍ୟ ରୋଇଛନ୍ତି । ଆଉ ସେଥିରୁ ଯାହା ମିଳେ ପରିବାର ଚଳାଇଛନ୍ତି । ସେ କେବେ ଭାବି ନ ଥିଲେ ଏମିତି ବି ଦିନ ଆସିବ, ଚକ୍ ଡଷ୍ଟର ଧରିବା ହାତରେ ରଫା, ଗଇନ୍ତି ଧରିବେ । ତାଙ୍କ ପରିବାର ସରକାରଙ୍କୁ ଅନୁରୋଧ କରିଛନ୍ତି, ସ୍କୁଲ ଖୋଲିଲେ ତାଙ୍କ ପରିବାର ପରି ଅନେକ ଘରୋଇ ବିଦ୍ୟାଳୟର ଶିକ୍ଷକଙ୍କ ପରିବାରର ସମସ୍ୟା ଦୂର ହୋଇ ଯିବ ।