• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ ସ୍ୱର୍ଗଦ୍ୱାରରେ ଆଜି ଏଭଳି ଏକ ଅସ୍ୱାଭାବିକ ଦୃଶ୍ୟ ଦେଖିବାକୁ ମିଳିଛି । ୟା ପଛର କାହାଣୀ ତା ଠୁ ବେଶୀ ଅଭାବନୀୟ । ଦୁଇ ଦୁଇଟି ପୁଅ ଥାଉ ଥାଉ, ସ୍ୱର୍ଗଦ୍ୱାରକୁ ଚାରି ଝିଅଙ୍କ କାନ୍ଧରେ ବୁହା ହୋଇ ଗଲେ ପୁରୀ ମଙ୍ଗଳାଘାଟର ୮୦ ବର୍ଷୀୟା ବୃଦ୍ଧା ଜଟି ସାହୁ । ମୁଖାଗ୍ନି ବି ପୁଅ ନୁହେଁ, ଦିଅର ଦେଲେ । ବୃଦ୍ଧାଙ୍କ ଝିଅମାନଙ୍କ କହିବା କଥା, ବଞ୍ଚି ଥାଉ ଥାଉ ପୁଅମାନେ ନିଜ ମାଆକୁ ପଚାରିଲେନି ।

ମା’ର ଯତ୍ନ ନେବା ତ ଦୂରର କଥା, ଅସୁସ୍ଥ ହେବା ପରେ ବି ଚିକିତ୍ସା ମଧ୍ୟ କରାଇଲେନି । ତେଣୁ ଏଭଳି ପୁଅମାନଙ୍କର ମାଆକୁ ମୁଖାଗ୍ନି ଦେବାର ଅଧିକାର ନାହିଁ ବୋଲି ଚାରି ଭଉଣୀ କହିଛନ୍ତି । ହେଲେ ସେପଟେ ପୁଅ ଓଲଟା ଅଭିଯୋଗ ଆଣିଛନ୍ତି, କହିଛନ୍ତି ଯେ ସେ ସ୍ୱର୍ଗଦ୍ୱାର ଯାଇଥିଲେ, ହେଲେ ତାଙ୍କ ଭଉଣୀମାନେ ମାଆର ମୃତଦେହ ପାଖକୁ ଛାଡ଼ିଲେନି । ସଂପତ୍ତି ଭାଗ ପାଇବାକୁ ଏତେ କାଣ୍ଡ ହୋଇଛି ବୋଲି ଅଭିଯୋଗ କରିଛନ୍ତି ।

କଟକ ଜିଲ୍ଲା ନିଶ୍ଚିନ୍ତକୋଇଲିର ଆଉ ଏକ ଦୃଶ୍ୟ । ଏଠି ବିବାଦ ନାହିଁ, କଳହ ନାହିଁ, କି ନାହିଁ ରାଗ ରୁଷା ଅଭିମାନ, ଖାଲି ଅଛି ତ ପ୍ରେମ । ଭଲ ପାଇବା ଅଛି, ଆଉ ରକ୍ତର ସଂପର୍କ ନଥିଲେ ବି ମଣିଷପଣିଆର ସୁନ୍ଦର କାହାଣୀଟେ ଅଛି । ଫୁଲରେ ସଜା ହୋଇ, ସିନ୍ଦୁର ବୋଳା ହୋଇ ଚିର ନିଦ୍ରାରେ ଶୋଇଥିବା ଏହି ବୃଦ୍ଧା ଜଣେ ଭିକାରୁଣୀ । ତାଙ୍କର ନାଁ, ଗାଁ, ପରିଚୟ କାହାକୁ ଜଣାନାହିଁ । ହେଲେ ନିଶ୍ଚିନ୍ତ କୋଇଲି ଅଞ୍ଚଳରେ ଦୀର୍ଘ ବର୍ଷର ରହଣି ଓ ଭିକ୍ଷାବୃତ୍ତି ଭିତରେ, ସେ ପାଲଟିଥିଲେ ସଭିଙ୍କ ଆପଣାର ଛାୟା ମାଆ ।

ସମସ୍ତଙ୍କୁ ଭଲ ପାଉଥିଲେ, ଭିକ୍ଷା ମାଗି ଯାହା ସଞ୍ଚୁଥିଲେ, ମନ୍ଦିରକୁ ଦାନ କରିଦେଉଥିଲେ । ଗତକାଲି ନୂଆବର୍ଷରେ ଛାୟାମାଆ ଆଖିବୁଜିବା ପରେ, ନିଶ୍ଚିନ୍ତକୋଇଲି ବାସୀ ନିଜ ଆଡ଼ୁ ଆଗେଇ ଆସି ନିଜ ଜନ୍ମକଲା ମାଆ ଭଳି ତାଙ୍କୁ ସସମ୍ମାନେ ଅନ୍ତିମ ବିଦାୟ ଜଣାଇଥିଲେ । ଆଉ ବିଧି ମୁତାବକ ଶେଷକୃତ୍ୟ କରିଥିଲେ । ଏ ଦୁନିଆ ସତରେ ବିଚିତ୍ର । ସ୍ୱାର୍ଥ ପାଇଁ ମଣିଷ କେଉଁଠି ରକ୍ତର ସଂପର୍କକୁ ଭୁଲିଯାଉଛି, ପୁଣି କେଉଁଠି ରକ୍ତର ସଂପର୍କ ନଥାଇ ବି ମାନବିକତାର ସଂପର୍କ ଯୋଡ଼ୁଛି ।