• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

News Highlights

  • ବିଶେଷଜ୍ଞ କହିଲେ କ୍ୟାମେରା କି ଚିପ୍ ନଥିଲେ ବ୍ୟସ୍ତତାର ନାହିଁ କାରଣ

  • ଏପଟେ ଟ୍ୟାଗ୍ ସମ୍ପର୍କରେ ପୋଲିସର ତନାଘନା

ଓଡ଼ିଶାର ବିଭିନ୍ନ ସ୍ଥାନରେ ବୁଲୁଛନ୍ତି କି ଜାସୁସି ପାରା ? ଗୁଇନ୍ଦା ସୂଚନା ହାସଲ ପାଇଁ କୌଣସି ବିଦେଶୀ ରାଷ୍ଟ୍ର କିମ୍ବା ଏଜେନ୍ସି ପାରା ମାଧ୍ୟମରେ ତଥ୍ୟ ସଂଗ୍ରହ କରୁଛନ୍ତି କି ? ଗଲା କିଛି ଦିନ ଧରି ରାଜ୍ୟର ବିଭିନ୍ନ ସ୍ଥାନରେ ସନ୍ଦିଗ୍ଧ ଅବସ୍ଥାରେ ଏକାଧିକ ପାରା ଧରାପଡ଼ୁଛନ୍ତି । ସେମାନଙ୍କ ଗୋଡ଼ରେ ଟ୍ୟାଗ୍ ଓ ରିଙ୍ଗ ଲାଗିଥିବାରୁ ସାଧାରଣ ଲୋକଙ୍କ ମନରେ ଏ ସନ୍ଦେହ ଜାତ ହୋଇଛି।

ପୁରୀ, କେନ୍ଦ୍ରାପଡ଼ା, ରାଜଗାଙ୍ଗପୁର ସବୁଠି ପାରାକୁ ନେଇ ଉତ୍କଣ୍ଠା, ଚର୍ଚ୍ଚା, ସନ୍ଦେହ । ଦୁଇ ଦିନ ତଳେ ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର କାଂଶବାହାଲରୁ ଧରାପଡ଼ିଥିଲା ଏକ ସାଧାରଣ ପାରା । ପାରାଟି ସାଧାରଣ ହୋଇଥିଲେ ବି ଆପେ ଆପେ ଧରା ଦେବା ଆଉ, ତା ଗୋଡ଼ରେ ବିଦେଶୀ ଭାଷାରେ ଲେଖାଥିବା ଏ ଟ୍ୟାଗକୁ ଦେଖିବା ପରେ ଆଶଙ୍କା ହେବାରୁ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ ପାରା ଧରିଥିବା ସର୍ବେଶ୍ୱର ଛୋଟରାୟଙ୍କ ପରିବାର ।

ସେହିଭଳି ପୁରୀ କୋଣାର୍କ ଡିଫେନ୍ସ ରୋଡ୍ ନିକଟରୁ ଉଦ୍ଧାର ହୋଇଥିବା ଏ ପାରାକୁ ନେଇ ବି ପ୍ରବଳ ଚର୍ଚ୍ଚା । ଏହାର ରଙ୍ଗ ସାଧାରଣ ପାରାଠୁ ଟିକେ ଭିନ୍ନ ପାରାଟି ଗୋଡ଼ରେ ଲାଗିଛି ଦୁଇଟି ରିଙ୍ଗ୍ । ଗୋଟିକରେ ଇଂରାଜୀ ନମ୍ବର ଏବଂ ଅନ୍ୟଟିରେ ନମ୍ବର ସହ ବୁଝି ହେଉନଥିବା ବିଦେଶୀ ଭାଷାରେ ସଙ୍କେତ ରହିଛି । ଏପଟେ କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଅଞ୍ଚଳରୁ ବି ସମାନ ଢଙ୍ଗରେ ଆଉ ଏକ ପାରା ମିଳିଥିବାରୁ ତାକୁ ନେଇ ଚର୍ଚ୍ଚା ଓ ସନ୍ଦେହ ବଢ଼ିଛି ।

ରାଜଗାଙ୍ଗପୁରରେ ଧରାପଡ଼ିଥିବା ପାରାଟି ରେସିଂ ପାରା ବୋଲି ଅନୁମାନ କରୁଛି ସ୍ଥାନୀୟ ପୋଲିସ । ତେବେ ସବୁ ସ୍ଥାନରେ ପାରାଗୁଡ଼ିକ ଆପେ ଆପେ ଧରାଦେବା ଓ ସେମାନଙ୍କ ଗୋଡ଼ରେ ରିଙ୍ଗରେ ଇଂରାଜୀ ଓ ଚାଇନା ଭାଷାର ସଙ୍କେତ ଥିବାରୁ ଏହା ଲୋକଙ୍କ ମନରେ ସନ୍ଦେହ ଜାତ କରିଛି ।

ସେପଟେ ଓଡ଼ିଶା ପୋଲିସର ଅବସରପ୍ରାପ୍ତ ବରିଷ୍ଠ ପାରା ପ୍ରଶିକ୍ଷକଙ୍କ ମତରେ ଧରାପଡ଼ିଥିବା ପାରା ଦେହରୁ ଯଦି କୌଣସି କ୍ୟାମେରା, ଚିଠି, କିମ୍ବା ଚିପ୍ ନବାହାରେ ତେବେ, ସେଭଳି ପାରାକୁ ନେଇ ଆଦୌ ଦ୍ୱନ୍ଦ୍ୱ ନାହିଁ । କାରଣ ଘରୋଇ ଭାବେ ଅନେକ ଲୋକ ପାରା ରଖୁଥିବା ବେଳେ ଅନେକ ସମୟରେ କିଛି ତାଲିମପ୍ରାପ୍ତ ପାରା ଦିଗ ଭ୍ରଷ୍ଟ ହୋଇ ଏଣେତେଣେ ଚାଲିଯିବା ଦେଖିବାକୁ ମିଳିଥାଏ ।

ପାରାଗୁଡ଼ିକୁ ଜାସୁସି କର୍ଯ୍ୟରେ ବ୍ୟବହାର କରାଯାଉ ଥାଉ କି ନଥାଉ, କିନ୍ତୁ ବିଭିନ୍ନ ସ୍ଥାନରେ ଧରାପଡ଼ିଥିବା ଏସବୁ ସନ୍ଦିଗ୍ଧ ପାରା ଗୋଡ଼ରେ ଲାଗିଥିବା ରିଙ୍ଗରେ ଚାଇନା ଭାଷାର ସଙ୍କେତର ଅର୍ଥ କଣ ? ରିଙ୍ଗରେ ଉଲ୍ଲେଖ ଥିବା ଇଂରାଜୀ ନମ୍ବର କେଉଁ ସୂଚନାକୁ ବୁଝାଉଛି ? ସେ ସମ୍ପର୍କରେ ପୋଲିସ ଓ ଗୁଇନ୍ଦା ବିଭାଗ ଉପଯୁକ୍ତ ତଦନ୍ତ କରି ରହସ୍ୟ ଉନ୍ମୋଚନ କରିବା ଜରୁରୀ ହୋଇପଡ଼ିଛି ।