• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରୋଜଗାର କରିବାର ଅନେକ ମାଧ୍ୟମ ରହିଛି । କେବଳ ଚାକିରି କରି ଯେ ପେଟ ପୋଷି ହେବ ତା’ ନୁହେଁ । ବର୍ତ୍ତମାନ ସମୟରେ ଚାଷ ତଥା ପଶୁପାଳନରେ ଅନେକ ସୁଯୋଗ ରହିଛି । ତେବେ ଏଥିପାଇଁ ଆବଶ୍ୟକ ଦୃଢ଼ ମନୋବଳ ଓ କଠିନ ପରିଶ୍ରମ । ଜଣେ ଯୁବ ଚାଷୀ ନିରାକାର ମାହୁନ୍ତ ଏପରି କରି ଦେଖାଇଛନ୍ତି । ଦୀର୍ଘ ତିନି ବର୍ଷ ହେବ ଛେଳିଚାଷ କରି ବର୍ଷକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିବା ସହ ୭/୮ଜଣ ଲୋକଙ୍କୁ ନିଜଫାର୍ମରେ ନିଯୁକ୍ତି ଦେଇଛନ୍ତି । କେବଳ ଯେ ନିଜେ ଛେଳି ଚାଷ କରି ଲାଭବାନ ହେଉଛନ୍ତି ତାହା ନୁହେଁ ବରଂ ଛେଳି ଚାଷ କରିବା ପାଇଁ ଅନ୍ୟ ଚାଷୀ ମାନଙ୍କୁ ଉତ୍ସାହିତ ମଧ୍ୟ କରୁଛନ୍ତି । ସେ ବର୍ତ୍ତମାନ ନିଜ ଅଂଚଳରେ ଆବଶ୍ୟକ ହେଉଥିବା ମାଂସର ଚାହିଦା ମେଣ୍ଟାଇବା ସହ ଛେଳିଚାଷୀ ଭାବେ ବେଶ ସଫଳତା ଅର୍ଜନ କରିଛନ୍ତି ।

କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ କାଟଣା ଗାଁର ନିରାକାରମାହୁନ୍ତ । ସେ +୩ଯାଏଁ ପାଠ ପଢ଼ିଛନ୍ତି । ପାଠ ପଠା ସରିବା ପରେ ଏକ କନଷ୍ଟ୍ରକସନ କମ୍ପାନୀରେ କାମ ଆରମ୍ଭ କରିଥିଲେ । କିଛି ଦିନ କାମ କରିବା ପରେ କରୋନା ଯୋଗୁ କାମ ଠପ ହୋଇଯାଇଥିଲା । ଆଉ ତାଙ୍କୁ ଶେଷରେ କାମ ଛାଡିବାକୁ ପଡିଲା । ତାପରେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ରାଜସ୍ଥାନର ଶିରୋହି ପ୍ରଜାତିର ଛେଳି ଛୁଆ ଆଣି ନିଜର ତିନି ଏକର ବିଶିଷ୍ଟ ଜାଗାରେ ଆରମ୍ଭ କଲେ ଛେଳିଚାଷ । ଆଉ ବର୍ଷେ ଚାଷ କରିବା ପରେ ତାଙ୍କୁ ମିଳିଥିଲା ସଫଳତା । ଏବେ ତାଙ୍କ ଫର୍ମରେ ୪୦୦ରୁ ଅଧିକ ଛେଳି ରହିଥିବା ବେଳେ ୨୦୦ରୁ ଅଧିକ ଛେଳି ଛୁଆ ରହିଛନ୍ତି । ଏହି ଛେଳି ଚାଷ କରିବା ଦ୍ୱାରା ବାର୍ଷିକ ୫ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ରୋଜଗାର ହେଉଥିବା ନିରାକାର କହନ୍ତି ।

ତେବେ ଏଥିପାଇଁ ଦିନରାତି ଏକ କରିଦେଇଛନ୍ତି ନିରାକାର । ପ୍ରତିଦିନ ରାତି ପାହିଲେ ନିରାକାର ଧାଇଁ ଆସିଥାନ୍ତି ନିଜର ଫାର୍ମହାଉସକୁ । ଆଉ ନିଜେ ଛେଳିଙ୍କ ଖାଇବା ପିଇବା ଠାରୁ ଆରମ୍ଭ କରି ଚିକିତ୍ସା ଯାଏଁ ସବୁ କିଛି ବୁଝିଥାନ୍ତି । ତେବେ ଏଥିପାଇଁ ତାଙ୍କ ପୁଅ ପାଠପଢ଼ା ସାରିବା ପରେ ବଳକା ସମୟରେ ବାପାଙ୍କୁ ସାହାଯ୍ୟ କରିଥାନ୍ତି। ଏଥିସହ ନିରାକାର ଛେଳିମାନଙ୍କ ରକ୍ଷଣାବେକ୍ଷଣ ପାଇଁ ୭/୮ଜଣ ଲୋକଙ୍କୁ ନିଯୁକ୍ତି ଦେଇଛନ୍ତି । ନିରାକାର ଛେଳି ଚାଷକରିବା ସହ ଛେଳି ପ୍ରଜନନ କରି ଚାଷକରିବା ପାଇଁ ଅନ୍ୟ ମାନଙ୍କୁ ଉତ୍ସାହିତ କରିଥାନ୍ତି । ନିରାକାର ଆଧୁନିକ ପ୍ରଣାଳୀରେ ଛେଳିଚାଷ କରି ବେଶ ଲାଭବାନ ହେବା ସହ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି।

ଆଳିରୁ ବନମାଳୀ ସାହୁଙ୍କ ରିପୋର୍ଟ