• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ନେତାଜୀ ସୁଭାଷ ଚନ୍ଦ୍ର ବୋଷ । ସେ ଥିଲେ ନେତାଙ୍କର ନେତା । ସେଇଥିପାଇଁ ତାଙ୍କୁ ସମସ୍ତେ ନେତାଜୀ ବୋଲି ଡାକୁଥିଲେ । ଏହି ମହାନ୍ ଦେଶପ୍ରେମୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ 1897 ମସିହା ଜାନୁଆରୀ 23 ତାରିଖରେ କଟକ ସହରର ଓଡିଆ ବଜାରରେ ରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପାଙ୍କ ନାମ ଜାନକୀନାଥ ବୋଷ ଓ ମାଆଙ୍କ ନାମ ପ୍ରଭାବତୀ ଦେବୀ । ତାଙ୍କ ବାପା ଥିଲେ ପେସାରେ ଜଣେ ଆଇନଜୀବୀ । ସେ ସମୟରେ ସେ ଥିଲେ ଜଣେ ସରକାରୀ ଓକିଲ । ବ୍ରିଟିଶ ସରକାରଙ୍କ ପାଇଁ କେସ୍ ଲଢୁଥିଲେ । ତାଙ୍କ ବାପା ଓକିଲାତି ପେସାରେ ବହୁତ ବ୍ୟସ୍ତ ରହୁଥିଲେ ।

ସୁଭାଷ ଥିଲେ ତାଙ୍କ ବାପା ମାଆଙ୍କର ନବମ ସନ୍ତାନ ଓ ଷଷ୍ଠ ପୁଅ । 1902 ମସିହାରେ ସୁଭାଷ କଟକ ବାପ୍ଟିଷ୍ଟ ମିଶନ ସ୍କୁଲରେ ପାଠପଢା ଆରମ୍ଭ କରିଥିଲେ । ଏହି ସ୍କୁଲରେ ସେ ଇଂରାଜୀ ମିଡିୟମରେ ପାଠ ପଢୁଥିଲେ । ତାଙ୍କ ବାପା ଚାହୁଁଥିଲେ, ତାଙ୍କ ପିଲାମାନେ ଭଲ ଇଂରାଜୀ ଲେଖନ୍ତୁ ଓ କୁହନ୍ତୁ । ଏହା ପରେ 1909 ମସିହାରେ ରେଭେନ୍ସା କଲେଜିଏଟ୍ ସ୍କୁଲରେ ନାମ ଲେଖାଇଥିଲେ ସୁଭାଷ । ଛାତ୍ରାବସ୍ଥାରୁ ସେ ସମାଜସେବା ପ୍ରତି ଆକୃଷ୍ଟ ହୋଇଥିଲେ । ମାଆଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ସେ ଆଧ୍ୟାତ୍ମିକ ଭାବଧାରାରେ ଉଦବୁଦ୍ଧ ହୋଇଥିଲେ । ସେ ରାମକୃଷ୍ଣ ପରମହଂସ ଓ ସ୍ୱାମୀ ବିବେକାନନ୍ଦଙ୍କୁ ନିଜର ଆଦର୍ଶ ବୋଲି ମାନୁଥିଲେ । ତାଙ୍କର ମନୋବଳ ଦୃଢ ଥିଲା ।

କଟକରେ ରହିବା ବେଳେ ହିଁ ଦେଶର ସ୍ୱାଧୀନତା କଥା ତାଙ୍କ ମନକୁ ଆସିଥିଲା । ପରେ ସେ କୋଲକତାର ପ୍ରେସିଡେନ୍ସୀ କଲେଜରେ ନାମ ଲେଖାଇଥିଲେ । ଏହି କଲେଜରେ ପାଠ ପଢିବା ବେଳେ ଜଣେ ପ୍ରଫେସର ଭାରତୀୟ ସଂସ୍କୃତିକୁ ନେଇ କଟୁ ମନ୍ତବ୍ୟ ଦେଇଥିଲେ । ଏହି ଘଟଣାରେ ସୁଭାଷ ଓ ତାଙ୍କର କେତେଜଣ ସାଥୀ ଏହି ପ୍ରଫେସରଙ୍କୁ ମାରଧର କରିଥିବା ଅଭିଯୋଗ ହୋଇଥିଲା । ଏହି ଘଟଣାରେ ତାଙ୍କୁ କଲେଜରୁ ବହିଷ୍କାର କରାଯାଇଥିଲା । ବର୍ଷକ ପରେ ସେ ଅନ୍ୟ ଏକ କଲେଜରେ ଆଡମିଶନ ନେଇଥିଲେ ଓ ସ୍ନାତକରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିଲେ ।

ଏହାପରେ ସେ ତାଙ୍କ ବାପାଙ୍କ ଇଚ୍ଛାରେ ଲଣ୍ଡନ ଯାଇ ଇଣ୍ଡିଆନ ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ । ସେ ପ୍ରଥମ ପରୀକ୍ଷା ସଫଳତାର ସହ ପାସ୍ କରିଥିଲେ । ତେବେ ଫାଇନାଲ୍ ପରୀକ୍ଷା ବେଳକୁ ସେ ପରୀକ୍ଷା ଦେବାକୁ ଅମଙ୍ଗ ହୋଇଥିଲେ । ଗୋଟିଏ ଚେନରେ ବନ୍ଧା ହୋଇ କେବେ ଜଣେ ଦେଶର ସେବା ଠିକ୍ ଭାବେ କରିପାରିବ ନାହିଁ ବୋଲି ସେ ତାଙ୍କ ବାପା ଓ ବଡ ଭାଇଙ୍କୁ ଜଣାଇ ଦେଇଥିଲେ ।

 

ତା ପରେ ସେ ଭାରତ ଫେରି ଆସିଥିଲେ । ସେ ଭେଟିଥିଲେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ । ଯୋଗ ଦେଇଥିଲେ ସ୍ୱାଧୀନତା ସଂଗ୍ରାମରେ । 1923 ମସିହାରେ ସେ ସର୍ବ ଭାରତୀୟ ଯୁବ କଂଗ୍ରେସର ସଭାପତି ଓ ବେଙ୍ଗଲ କଂଗ୍ରେସର ସଂପାଦକ ହୋଇଥିଲେ । ପରେ ଭାରତୀୟ କଂଗ୍ରେସର ସଭାପତି ହୋଇଥିଲେ । ତେବେ ଅହିଂସା ଉପରେ ସ୍ୱାଧୀନତା ସମ୍ଭବ ନୁହେଁ ବୋଲି କହିବାରୁ ବରିଷ୍ଠ କଂଗ୍ରେସ ନେତାମାନଙ୍କ ସହ ତାଙ୍କର ମତଭେଦ ହୋଇଥିଲା । ଏହା ପରେ ସେ କଂଗ୍ରେସରୁ ଅଲଗା ହୋଇ ଫରୱାର୍ଡ ବ୍ଲକ ଗଠନ କରିଥିଲେ ଓ ଇଂରେଜ ମାନଙ୍କ ବିରୋଧରେ ଯୁଦ୍ଧଂ ଦେହୀ ଡାକରା ଦେଇଥିଲେ । ବଦଳାଇ ଦେଇଥିଲେ ଇତିହାସର ମୋଡ ।

ମୋତେ ରକ୍ତଦିଅ ମୁଁ ସ୍ୱାଧୀନତା ଦେବି ବୋଲି ଡାକରା ଦେଇ ସେ ଆଜାଦ୍ ହିନ୍ଦ ଫୌଜ ଗଠନ କରିଥିଲେ । ବିଦେଶ ଯାଇ ବ୍ରିଟିଶରଙ୍କୁ ଚ୍ୟାଲେ଼ଞ୍ଜ କରିଥିଲେ । ସେମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲେ । ତେବେ 1945 ମସିହାରେ ଏକ ବିମାନ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଥିବାର ଖବର ପ୍ରଚାରିତ ହୋଇଥିଲା । ତେବେ ଏହା ସତ ନା ମିଛ, ସେ ନେଇ ବିବାଦ ରହିଛି । ତେଣୁ ନେତାଜୀଙ୍କର ଜନ୍ମଦିନ ପାଳନ କରାଯାଏ, କିନ୍ତୁ ତାଙ୍କର ଶ୍ରାଦ୍ଧ ଦିବସ ପାଳନ କରାଯାଏ ନାହିଁ । ଏହି ମହାନ ଯୋଦ୍ଧା ଥିଲେ ଓଡିଶା ତଥା ଭାରତର ଜଣେ ସୁଯୋଗ୍ୟ ସନ୍ତାନ ।

OTV is now on Whatsapp

Join and get latest news update delivered to you via whatsapp

Join Now