• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପ୍ରାୟତଃ ସବୁ ପିଲା ପାଠ ପଢିବା ସହ ଖେଳକୁଦରେ ବ୍ୟସ୍ତ ଥାନ୍ତି । ହେଲେ ଏମିତି ମଧ୍ୟ କିଛି ପିଲା ଅଛନ୍ତି ଯେଉଁମାନେ ଶୈଶବ କାଳରୁ ହିଁ ନିଜ ପରିବାରର କଷ୍ଟ ବୁଝିପାରନ୍ତି । ପରିବାର ଭରଣପୋଷଣ ଭାର ନିଜ କାନ୍ଧରେ ବୋହି ଘରର ସାହା ଭରଷା ପାଲଟିଯାନ୍ତି । ଠିକ୍ ଏହିପରି ଏକ ଘଟଣା କଟକରେ ଦେଖିବାକୁ ମିଳିଛି । କଟକ ଜାଉଁଳିଆପଟି ଅଞ୍ଚଳର କୁନି ଚା ବିକାଳି ଉମା ଶଙ୍କର ଚୌଧୁରୀ ଓରଫ ଦୀପୁ । ମାତ୍ର ୧୧ ବର୍ଷ ବୟସରେ ସେ ପରିବାର ପ୍ରତିପୋଷଣ ପାଇଁ କଟକର ଗଳିକନ୍ଦିରେ ବୁଲି ଚା ବିକ୍ରି କରିଥାନ୍ତି । କେବଳ ଏତିକି ନୁହେଁ ଏହାସହ ସେ ଫୋନରେ ଅନଲାଇନ୍ ଅର୍ଡର ନେଇ ମଧ୍ୟ ଚାହା ଯୋଗାଇଥାନ୍ତି ।

ଖଣ୍ଡେ ହାପ୍ ଜାକେଟ ପିନ୍ଧି, ସାଙ୍ଗରେ ଚା କେଟିଲ ଧରି ପ୍ରତିଦିନ ସକାଳେ ସଞ୍ଜରେ ବାହାରି ପଡ଼ନ୍ତି ଦୀପୁ । ଗୋଟେ ହାତରେ ସାଇକେଲ୍, ଆଉ ଗୋଟେ ହାତରେ ଚା ବ୍ୟାଗ୍ କୁନି ସାଇକେଲ୍ ଖଣ୍ଡିଏ ଧରି ସକାଳୁ ସକାଳୁ କଟକର ଗଳିକନ୍ଦିରେ ବୁଲି ଛକ ଛକରେ ଅଟକି ଲୋକଙ୍କୁ ଚା ଦିଅନ୍ତି । ଲୋକମାନେ ବି ତାଙ୍କ ଚା ପିଇ ଖୁବ୍ ପ୍ରଶଂସା କରିଥାନ୍ତି ।

ସୂଚନା ଅନୁସାରେ, ଦୀପୁ ହେଉଛନ୍ତି କଟକ ଜାଉଁଳିଆପଟି ଅଞ୍ଚଳର ସୁରେଶ ଚୌଧୁରୀଙ୍କ ସାନ ପୁଅ । ସୁରେଶ ଚା ଦୋକାନ କରି ପେଟ ପୋଷୁଥିବା ବେଳେ ଲକଡାଉନ ବେଳେ ବେପାର ବନ୍ଦ ହୋଇ ଯାଇଥିଲା । ଘରର ଆର୍ଥିକ ବୋଝକୁ ଦେଖି ସହି ନ ପାରି ଦିପୁ ସାଇକେଲରେ ଚା ବିକ୍ରି ପାଇଁ ବାହାରି ଯାଇଥିଲେ । ଆଉ ସେବେଠାରୁ ହିଁ ଏହାକୁ ସେ ନିଜର ପେଷା ଭାବେ ଆପଣାଇ ନେଇଛନ୍ତି । ନିଜେ ପାଠ ପଢିବା ସହ ବାକି ସମୟରେ ଚା ବିକି ସେହି ପଇସାରେ ଘର ଚଳାଉଛନ୍ତି । ବଡ଼ ହେଲେ ସେ ଜଣେ ସମାଜସେବୀ ହୋଇ ଲୋକଙ୍କ ସେବା କରିବାକୁ ଦୀପୁ ଲକ୍ଷ ରଖିଛନ୍ତି ।