• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଲେପୁର(ମନୋଜ) : ଯେତେବେଳେ ନିଶା ପେଶା ହୋଇଯାଏ, ସେତେବେଳେ ଜୀବନ ଜିଇଁବାର ଆନନ୍ଦ ଆସେ । ଯିଏ ପିଲାଟି ବେଳୁ ବଂଶୀ ପ୍ରତି ଆକର୍ଷିତ ହେଉଥିଲେ ଆଉ ବଂଶୀର ସ୍ୱରରେ ବିଭୋର ହେଉଥିଲେ ସେ ସମୟକ୍ରମେ ପାଲଟିଗଲେ ଇଞ୍ଜିନିୟର । ହେଲେ ତଥାପି ମନ ଭିତରେ ବଂଶୀ ପ୍ରତି ଦୁର୍ବଳତା ତାଙ୍କୁ ବଂଶୀ ଆଡ଼କୁ ପୁଣି ଆକର୍ଷିତ କଲା । ଆଉ ସେ ବିନା ଗୁରୁରେ ପାଲଟି ଗଲେ ବଂଶୀ ବାଦକ । ଖାଲି ସେତିକି ନୁହେଁ, ବଂଶୀ ବାଦନ ସହ ଏବେ ଶହ ଶହ ବଂଶୀ ତିଆରି କରି ଦେଶ ବିଦେଶକୁ ମଧ୍ୟ ପଠାଉଛନ୍ତି ।

କଟକ ସାଲେପୁର ନିକଟ ନନ୍ଦୋଳ ଗାଁର ସତ୍ୟବ୍ରତ ସାହୁ । ୧୨ ବର୍ଷ ଧରି ବେଙ୍ଗାଲୋରର ଏକ ଘରୋଇ କମ୍ପାନୀରେ ଆଇଟି ପ୍ରଫେସନାଲ ଭାବେ କାର୍ଯ୍ୟ କରିଆସୁଥିଲେ । ଅଫିସ ସମୟରେ କମ୍ପ୍ୟୁଟର ଧରି ବସନ୍ତି, ଆଉ ବଳକା ସମୟ କଟେ ବଂଶୀ ପଛରେ । ପିଲାଦିନର ବଂଶୀ ବଜାଇବା ନିଶା ଧୀରେ ଧୀରେ ତାଙ୍କୁ ବିନା ଗୁରୁରେ ବି ଭଲ ବଂଶୀ ବାଦକ କରିଦେଇଛି । ନିଜର ଚେଷ୍ଟା ଓ ନିଷ୍ଠା ବଳରେ ସେ ବଂଶୀ ତିଆରି କରି ଦେଶବିଦେଶକୁ ମଧ୍ୟ ପଠାଉଛନ୍ତି । କରୋନା ପାଇଁ ଘରେ ରହି ଏବେ କାମ କରୁଛନ୍ତି , ହେଲେ ଫୁରସତ ମିଳିଲେ ବଂଶୀ ତିଆରି କରୁଛନ୍ତି । ଆଉ ବଂଶୀ ତିଆରି କାମରେ ତାଙ୍କ ପତ୍ନୀଙ୍କ ସମେତ ବାପା ବି ସହଯୋଗ କରୁଛନ୍ତି ।

ସତ୍ୟବ୍ରତ ବଂଶୀ ପାଇଁ ବାଉଁଶ ସବୁ ଆସାମରୁ ଆଣନ୍ତି । ସେ ସବୁକୁ ଅନେକ ଦିନ ପର୍ଯ୍ୟନ୍ତ ବିଭିନ୍ନ ପ୍ରକ୍ରିୟାରେ ରଖାଯାଏ । ଭଲ କିସମର ବାଉଁଶ ସବୁକୁ ଭଲ ଭାବେ ପଲିସ କରି ସେଥିରେ ତିଆରି କରନ୍ତି ବଂଶୀ । ବେଙ୍ଗାଲୋରରେ ଥିବାବେଳେ ସେ ବଂଶୀ ତିଆରି କରି ଦେଶ ବିଦେଶକୁ ଅନଲାଇନ୍ ମାଧ୍ୟମରେ ପଠାଉଥିଲେ । ଆଉ ଏବେ ଗାଁରେ ରହି ମଧ୍ୟ ଉଭୟ ଅନଲାଇନ ଏବଂ ଅଫଲାଇନରେ ବଂଶୀ ବିକ୍ରୟ କରୁଛନ୍ତି । ତାଙ୍କ ହାତ ତିଆରି ବଂଶୀ ଏବେ ଭାରତ ତଥା ଭାରତ ବାହାରେ ଚାହିଦା ଥିବା କହିଛନ୍ତି ସତ୍ୟବ୍ରତ ଓ ତାଙ୍କ ପରିବାର ଲୋକେ।