ସରକାରୀ କ୍ୱାଟର୍ସରେ ନିଶା ବେପାର; ଜବତ ହେଲା ୧ କିଲୋରୁ ଅଧିକ ବ୍ରାଉନସୁଗାର

ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ ।

ସରକାରୀ କ୍ୱାଟର୍ସରେ ନିଶା ବେପାର

ରାଜଧାନୀର ଛାତିଉପରେ ଥିବା ସରକାରୀ କ୍ୱାର୍ଟର ଭିତରେ ଖୋଲାଖୋଲି ଚାଲୁଥିଲା ନିଶା ବେପାର । ବାଲେଶ୍ୱରରୁ ମାଲ ଆସି ବେଧଡ଼କ ବିକ୍ରି ହେଉଥିଲା । ତେବେ ନିର୍ଦ୍ଦିଷ୍ଟ ସୂତ୍ରରୁ ଖରବ ପାଇ ଗତକାଲି ବିଳମ୍ବିତ ରାତିରେ ୟୁନିଟ୍ ୮ ଅଞ୍ଚଳରେ ଏକ ଗ୍ୟାରେଜ୍ ଦୋକାନ କରିଥିବା ଜଣେ ବ୍ୟକ୍ତିଙ୍କୁ ଧରି ସେ ଭଡ଼ାରେ ରହୁଥିବା ଏକ ସରକାରୀ କ୍ବାର୍ଟରରୁ ୧ କେଜିରୁ ଅଧିକ ବ୍ରାଉନସୁଗାର ଜବତ କରିଛି STF । ଏହି ଘଟଣା ପୁରା ରାଜଧାନୀରେ ଚହଳ ସୃଷ୍ଟି କରିଛି ।

ଘର ସରକାରୀ, କାରବାର ହେଉଥିଲା ଦୋ ନମ୍ବରୀ । ପରିଚୟ ମେକାନିକ, କିନ୍ତୁ ପ୍ରଫେସନ ପକ୍କା ନିଶା ବେପାରୀ । ରାଜଧାନୀର ପୋସ୍ ଏରିଆ ୮ ନମ୍ବର ଅଞ୍ଚଳରେ ଗ୍ୟାରେଜ୍ ଦୋକାନ ବାହାନାରେ ଧଳା ଜହର ବିକି ଏସଟିଏଫ୍ ହାବୁଡ଼ରେ ପଡ଼ିଥିବା ଇଏ ସେଇ ଅଭିଯୁକ୍ତ । ନାଁ ତାର ଚିତ୍ତରଞ୍ଜନ ସାହୁ । ଗତକାଲି ବିଳମ୍ବିତ ରାତିରେ କିଛି ଖୁଚୁରା ବେପାରୀଙ୍କୁ ବ୍ରାଉଉନସୁାଗର ଡେଲିଭରି ପାଇଁ ଡିଲ୍ କରୁଥିଲା ଚିତ୍ତରଞ୍ଜନ । ଆଉ ଠିକ୍ ସେତିକିବେଳେ ପୂର୍ବରୁ ଠୋସ ସୂଚନା ପାଇ ଛକି ବସିଥିବା ଏସଟିଏଫ୍ ଚିତ୍ତରଞ୍ଜନକୁ କାବୁ କରିନେଇଥିଲେ ।

ପରେ ଚିତ୍ତରଞ୍ଜନ ରହୁଥିବା ଏଇ ସରକାରୀ ଘରୁ ଜବତ ହୋଇଥିଲା ୧ କିଲୋ ୧୦୭ ଗ୍ରାମର ବ୍ରାଉନସୁଗାର । ଯାହାର ମୂଲ୍ୟ ପ୍ରାୟ ୧ କୋଟି ଦଶ ଲକ୍ଷରୁ ଅଧିକ । ଜଣେ ଗ୍ୟାରେଜ୍ ଦୋକାନୀର ଘରୁ ଏତେ ପରିମାଣର ଧଳାଜହର ଦେଖି ଦେଖି ତାଜୁବ୍ ହୋଇଥିଲେ ଏସଟିଏଫ୍ ଓ କମିଶନରେଟ୍ ପୋଲିସ ।

ପୋଲିସ କହିଛି, ଅଭିଯୁକ୍ତ ଚିତ୍ତରଞ୍ଜନର ଘର ଢେଙ୍କାନାଳ ଜିଲ୍ଲାରେ । ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରୁ ସେ ବ୍ରାଉନସୁଗାର ଆଣି ଏଠାରେ ବେପାର କରୁଥିଲା । ଗଲା ଦୁଇ ବର୍ଷ ହେବ ୟୁନିଟ୍ ୮ର 1R/2 କ୍ୱାର୍ଟରରେ ଭଡ଼ା ସୂତ୍ରରେ ରହି ଆସୁଥିଲା ସେ । ସ୍ପେୟାର ପାର୍ଟ୍ ରଖିବା ବାହାନାରେ ଏଇ ଘରେ ହିଁ ବେଧଡକ ଭାବେ ଚଳାଇ ଆସୁଥିଲା ଚୋରା ନିଶା ବେପାର ।

ଏଠି ମାଲ ରଖି ଗ୍ୟାରେଜରେ ଖୁଚୁରା ବେପାରୀଙ୍କୁ ଯୋଗାଇବା ସହ କଲେଜ୍ ପଢୁଆ ପିଲାଙ୍କୁ ବି ଟାର୍ଗେଟ୍ କରୁଥିଲା । ଏବେ ଚିତ୍ତରଞ୍ଜନ ଏସଟିଏଫ୍ କବଜାକୁ ଆସିବା ପରେ ତା ନେଟୱାର୍କରେ ଆଉ କିଏ କିଏ ଅଛନ୍ତି, ସେ ସମ୍ପର୍କରେ ଖୋଳତାଡ଼ ଚାଲିଛି । ତେବେ ଏ କ୍ୱାର୍ଟରଟି କାହା ନାଁରେ ଅଛି ଏବଂ ଅଭିଯୁକ୍ତ ଭଡ଼ା ସୂତ୍ରରେ କେମିତି ହାତେଇଲା, ସେ ଦିଗରେ ଅଧିକ ଖୋଳତାଡ଼ କରୁଛି ଏସଟିଏଫ୍ ।

ଏହା ପୂର୍ବରୁ ମଧ୍ୟ ରାଜଧାନୀରେ ସରକାରୀ କ୍ୱାର୍ଟରକୁ ଭଡା ସୂତ୍ରରେ ନେଇ ଅପରାଧୀମାନେ ବିଭିନ୍ନ ଅପରାଧିକ କାର୍ଯ୍ୟକଳା ଚଳାଇବାର ଏକାଧିକ ଘଟଣା ଦେଖିବାକୁ ମିଳିଛି । ଗତ ୧୧ ତାରିଖରେ ୟୁନିଟ ୨ରେ ଥିବା ଏକ ସରକାରୀ କ୍ୱାର୍ଟରରେ ବେଆଇନ୍ ବାଣ ଗଚ୍ଛିତ ରଖିବା କାରଣରୁ ଏଠାରେ ବିସ୍ଫୋରଣ ଘଟିଥିଲା । ସେହିଭଳି କିଛି ଦିନ ପୂର୍ବରୁ ଭିଏସଏସ ନଗର ସାଇବର ଥାନା ସମ୍ମୁଖରେ ଥିବା ଏକ କ୍ୱାର୍ଟରରେ ମଧ୍ୟ ବେଆଇନ ବାଣ ତିଆରି ବେଳେ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଥିଲା।