• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଥମିବାର ନାଁ ନେଉନି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ । ବରଂ ଦିନକୁ ଦିନ ବଢ଼ି ଚାଲିଛି ଏହି ବିବାଦ । ଘଟଣାରେ ଏବେ ଆଉ ଏକ ସାଂଘାତିକ ତଥ୍ୟ ସାମ୍ନାକୁ ଆସିଛି । ସୂଚନା ଅଧିକାର ଆଇନରୁ ମିଳିଥିବା ତଥ୍ୟ ଅନୁସାରେ ଏବେ ବି କାମରେ ଏଏସ୍ଆଇ ସାମିଲ ହୋଇନାହିଁ । ଇଲେକଟ୍ରିକାଲ ବିଲ୍ଡିଂ ନିର୍ମାଣ ଦ୍ରୁତ ଗତିରେ ଆଗେଇ ଚାଲିଛି କିନ୍ତୁ ଏଏସ୍ଆଇଙ୍କ ଦେଖା ନଥିବା ଜଣାପଡିଛି । 

ଏନେଇ ହାଇକୋର୍ଟରେ ଆଡ୍‌ଭୋକେଟ ଜେନେରାଲ କହିଥିଲେ, ଚାଲିଥିବା କାର୍ଯ୍ୟ ଓ ଭବିଷ୍ୟତରେ ହେବାକୁ ଥିବା କାମ ରାଜ୍ୟ ସରକାର ଏଏସ୍ଆଇ ସହଯୋଗରେ କରିବେ । କାମ ଚାଲିଥିବା ବେଳେ କୀର୍ତ୍ତିରାଜି ଯେପରି ଅକ୍ଷୂର୍ଣ୍ଣ ରହିବ, ସେଥିପ୍ରତି ଦୃଷ୍ଟି ଦିଆଯିବ ହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ଏଏସ୍ଆଇ ନିର୍ମାଣସ୍ଥଳକୁ ଆସିନି କୌଣସି କାର୍ଯ୍ୟ ଉପରେ ଟିପ୍ପଣୀ ଦେଉ ନାହିଁ କାମ ବନ୍ଦ କରିନାହିଁ କି କୌଣସି କାର୍ଯ୍ୟାନୁଷ୍ଠାନ ନେଉନଥିବାର ଜଣାପଡିଛି । ତେବେ ସୂଚନା ଅଧିକାର ଆଇନରୁ ଓକିଲ ଶରତ ରାୟଗୁରୁଙ୍କୁ ମିଳିଥିବା ସୂଚନାରୁ ଏହି ତଥ୍ୟ ମିଳିଛି ।

ଗୋଟିଏପଟେ ପରିକ୍ରମା ପ୍ରକଳ୍ପ ବିବାଦକୁ ନେଇ ସାଂଘାତିକ ତଥ୍ୟ ଏବେ ସାମ୍ନାକୁ ଆସିଥିବାବେଳେ ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଚାରି ଆଡୁ ବିରୋଧ କରାଯାଉଛି । ରାଜନୈତିକ ଦଳଠୁ ନେଇ ସାମାଜିକ ସଙ୍ଗଠନ, କିଛି ଆଇନଜୀବୀ, ଐତିହାସିକ, ଗବେଷକ, ଏମିତିକି ଜଗଦ୍‌ଗୁରୁ ଶଙ୍କାରାଚାର୍ଯ୍ୟ ବି ଏହାର ବିରୋଧ କରୁଛନ୍ତି। ହେଲେ ତା ସତ୍ତ୍ୱେ ବି ନିୟମକୁ ଜଳାଞ୍ଜଳି ଦେଇ ଶ୍ରୀମନ୍ଦିର ଚାରିପାଖେ ଜୋର୍‌ସୋର୍‌ରେ ନିର୍ମାଣ ଚାଲିଛି । ଆଉ ଏହି ଭିତରେ ହାଇକୋର୍ଟରୁ ନ୍ୟାୟ ନ ମିଳିବାରୁ କାମ ବନ୍ଦ ପାଇଁ ଶ୍ରୀମନ୍ଦିର ସୁରକ୍ଷା ଅଭିଯାନ ସୁପ୍ରିମ୍‌କୋର୍ଟରେ କେଶ୍ ଫାଇଲ୍ କରିଛି ।