Advertisment

ଦିନେ ପାଣି ପାଇଁ ଡହଳ ବିକଳ ହେଉଥିଲେ, ଏବେ ବିନା ମୋଟର୍‌ରେ ମିଳୁଛି ୨୪ ଘଣ୍ଟା ପାଣି

ୟାକୁ କହନ୍ତି ବୁଦ୍ଧିର କରାମତି । ବିନା ମୋଟର ବିନା ଇଲେକ୍ଟ୍ରିରେ ଘରକୁ ଅନବରତ ଆସୁଛି ପାଣି । ଆଉ ନାହିଁ ପୂର୍ବର ଜଳକଷ୍ଟ । ଇଏ ପୁଣି ଆଦିବାସୀ ଇଲାକାରେ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Spring Water

Spring Water

ଗାଁ ମଝିରେ ବସିଛି ପାଣିଟାଙ୍କି । ଘରକୁ ଘର ସଂଯୋଗ ହୋଇଛି ପାଣି ପାଇପ । ଯେତେବେଳେ ଇଚ୍ଛା ପାଣି ମିଳୁଛି। ପାଣିଟାଙ୍କିକୁ ଭର୍ତ୍ତି କରିବା ପାଇଁ ମୋଟର କିମ୍ବା ଇଲେକ୍ଟ୍ରିର ଆବଶ୍ୟକତା ନାହିଁ । ସିଧାପାହାଡ଼ରୁ ପାଣି ଆସି ଟାଙ୍କିରେ ପଡୁଛି । ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଗୌଡ଼ଗୋଠ ପଂଚାୟତରେ ଏଭଳି କିଛି ଦେଖିବାକୁ ମିଳିଛି । ମାଙ୍କଡ଼ଛୁଆ, ବେସରବଟା, ଗାଜରକୁମ୍ପା ଏହି ତିନଟି ଗାଁରେ ରହୁଥିବା 100ରୁ ଅଧିକ ଆଦିବାସୀ ପରିବାରଙ୍କ ଦୁଃଖ ଦୂର ହୋଇଛି ।

Advertisment

ପୂର୍ବରୁ ଗାଁରେ ପାନୀୟ ଜଳର ଘୋର ଅଭାବ ରହିଥିଲା । ଗାଁରେ ନଳକୂପ ଥିଲେ ମଧ୍ୟ ସେଥିରୁ ପାଣି ବାହାରୁନଥିଲା। ଗାଁଠାରୁ ଦୁଇ କିଲୋମିଟର ଦୂରରେ ଥିବା ଝର ନିକଟକୁ ଚାଲି ଚାଲି ଯାଇ ମହିଳାମାନେ ପିଇବା ପାଣି ସଂଗ୍ରହ କରୁଥିଲେ। ବନ ବିଭାଗର ସହାୟତାରେ ଗାଁ ଦାଣ୍ଡକୁ ପାଣି ଆସି ପାରିଥିବା କହିଛନ୍ତି ଗ୍ରାମବାସୀ।

ପାହାଡ ଉପରୁ ବହି ଆସୁଥିବା ଜଳରାଶିକୁ ସଂରକ୍ଷଣ କରି ରଖିବା ପାଇଁ ପାହାଡର ମଧ୍ୟଭାଗରେ ସିମେଣ୍ଟ କଂକ୍ରିଟରେ ଏକ କୁଣ୍ଡ କରାଯାଇଛି। ସେଥିରେ ପାଣି ଜମା ହୋଇ ରହିବା ପରେ ସେଠାରୁ ପାଇପ ମାଧ୍ୟମରେ ପାଣି କୁ ଆଣି ଗାଁରେ ଥିବା ଟାଙ୍କିରେ ସିଧାସଳଖ ସଂଯୋଗ କରାଯାଇଛି। ସେଠାରୁ ପ୍ରତିଘର ଓ ଜମିକୁ ପାଇପ ସଂଯୋଗ କରାଯାଇଛି। ଯେତେବେଳ ଇଚ୍ଛା ପାଇପ ଖୋଲିବା କ୍ଷଣି ଅନବରତ ପାଣି ଆସୁଛି। ଏଥିପାଇଁ ଇଲେକ୍ଟ୍ରି କିମ୍ବା ପାଣିପମ୍ପର ଆବଶ୍ୟକତା ପଡ଼ୁନି।

Advertisment

ପ୍ରତି ଗାଁରେ ଦୁଇରୁ ତିନି ହଜାର ମିଟର ପାଇପ ବିଛାଯାଇ ଗାଁମୁଣ୍ଡକୁ ପାଣି ଅଣାଯାଇଛି। ବର୍ଷକର ବାରମାସ ଝରପାଣି ଶୁଖୁନଥିବାରୁ ପାନୀୟଠାରୁ ଆରମ୍ଭକରି ଚାଷବାସ କରିବା ପଯ୍ୟନ୍ତ ଆଉ ପାଣି ସମସ୍ୟା ନଥିବା କହିଛନ୍ତି ଗ୍ରାମବାସୀ।

ବନଖଣ୍ଡ ଅଧିକାରୀ ଜଙ୍ଗଲ ପରିଦର୍ଶନରେ ଯାଇଥିବା ସମୟରେ ଗାଁ ଲୋକେ ପାନୀୟ ଜଳର ସମସ୍ୟା ଥିବା କହିଥିଲେ । ପରେ ତିନି ଖଣ୍ଡ ଗାଁ ଲୋକଙ୍କ ପାଇଁ ପାଇପ ବିଛାଇ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ଓ ଗ୍ରୀନ ଇଣ୍ଡିଆ ସ୍କିମ ମାଧ୍ୟମରେ ପାନୀୟ ଜଳର ସୁବିଧା କରାଯାଇଥିବା କହିଛନ୍ତି ଦକ୍ଷିଣ ଘୁମୁସର ବନଖଣ୍ଡ ଅଧିକାରୀ। 

Special Story Spring Water
Advertisment
Advertisment