• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଜୀବନର ତାରୁଣ୍ୟରେ ତମାଖୁ ଖାଇ ଯେଉଁ ଭୁଲ କରିଥିଲେ, ଏବେ ତାର ପ୍ରାୟଶ୍ଚିତ କରୁଛନ୍ତି । ବୁଲି ବୁଲି ସମସ୍ତଙ୍କୁ ବୁଝାଉଛନ୍ତି ବିଷରୂପୀ ତମାଖୁ ସେବନର ଭୟବହତା । ନା ତାଙ୍କର ଡର ଦେବାନନ୍ଦ ଦାସ । ଉଚ୍ଚଶିକ୍ଷିତ ହୋଇ ବି ଯୁବା ବୟସରେ ତମାଖୁର ଆଶକ୍ତି ଛାଡ଼ି ପାରିନଥିଲେ । ହେଲେ ବର୍ଷ କେଇଟା ପରେ ହିଁ ମୁଖ ଗହ୍ୱର କର୍କଟର ଶିକାର ପରେ ପରିଣାମକୁ ସାମ୍ନା କରିଥିଲେ । ତେବେ ପାଣି ଭଳି ଟଙ୍କା ଖର୍ଚ୍ଚ, ଆଉ ଯାବତୀୟ ଯନ୍ତ୍ରଣା ଭୋଗିବା ପରେ ଏବେ ସେ ସାମୟିକ ଭାବେ ସୁସ୍ଥ । କିନ୍ତୁ ସେ ନର୍କ ଯନ୍ତ୍ରଣା ଯେମିତି ଆଉ କାହା ଜୀବନରେ ନଆସୁ, ସେଥିପାଇଁ ତାଙ୍କର ଏ ପ୍ରୟାସ ଜାରି ରହିଛି ।

ମାରାତ୍ମକ କ୍ୟାନସରର ଶିକାର ପରେ ଏବେ ସୁସ୍ଥ ଜୀବନ ଲାଗି ସଂଗ୍ରାମ କରୁଥିବା ଆଉ ଜଣେ ପୀଡ଼ିତ ଭଦ୍ରକ ଧାମନଗର ଅଞ୍ଚଳର କାଳୀପଦ ଦାସ । ଚିକିତ୍ସା ପାଇଁ ଚାରିଆଡୁ ନିରାଶ ପରେ ଏବେ କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ହିଁ ତାଙ୍କ ଭରସା । ତମାଖୁ ଖାଇ ସେ ଯେଉଁ ଭୁଲ କରିଛନ୍ତି, ତାହା ଆଉ କେହି ନକରନ୍ତୁ ବୋଲି କୋହଭରା କଣ୍ଠରେ ନିବେଦନ କରିଛନ୍ତି ।

ତମାଖୁ ବିରୋଧୀ ନିୟମ ଆଉ ବାସ୍ତବତା ଭିତରେ ଥିବା ଦୂରତା କେତେ?  ବ୍ରହ୍ମପୁର ସହରରେ ପ୍ରତିଷ୍ଠିତ ବିଦ୍ୟାଳୟ ସିଟି ହାଇସ୍କୁଲଠୁ ୧୦୦ ମିଟର ପରିଧି ଭିତରେ ବିକ୍ରି ହୋଇପାରିବନି ତମାଖୁ ଓ ତମାଖୁଜାତ ପଦାର୍ଥ । କିନ୍ତୁ ସ୍କୁଲ ସାମ୍ନାରେ ହିଁ ଏ ନିୟମକୁ ଫୁ କରାଯାଉଛି । ଅନୁରୂପ ଦୃଶ୍ୟ ଜୟପୁର ସହରରେ ସ୍କୁଲ ନିକଟ ଏକାଧିକ ପାନ ଦୋକାନରେ ମାଳ ମାଳ ତମାଖୁ ବିକ୍ରି ହେଉଥିଲେ ବି କଟକଣା ନାହିଁ । ବାଲେଶ୍ୱର ବସ୍ ଷ୍ଟାଣ୍ଡ୍ ଜନଗହଳି ଭିତରେ ବି ଖୁଲ୍ଲମଖୁଲ୍ଲା ତମାଖୁ ସେବନ ପାଇଁ କୁଣ୍ଠାବୋଧ କରୁ ନାହାନ୍ତି ଲୋକେ । ଆଉ ସେମାନଙ୍କର ଏ ଆଇନବିରୁଦ୍ଧ କାର୍ଯ୍ୟକୁ ବାଧା ଦେବାକୁ ବି କେହି ନାହାନ୍ତି ।

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁସାରେ ସାରା ବିଶ୍ୱରେ ପ୍ରତିବର୍ଷ ୮୦ ଲକ୍ଷ ଲୋକଙ୍କର ତମାଖୁ ଜନିତ କର୍କଟ ରୋଗରେ ଜୀବନ ଯାଉଛି । ୨୦୨୦ରେ କେବଳ ଭାରତରେ ପ୍ରାୟ ୧୪ ଲକ୍ଷ ଲୋକଙ୍କର ଏଥିରେ ମୃତ୍ୟୁ ହୋଇଛି । ସେହିଭଳି ତମାଖୁ ସେବନରୁ ୧୭ ପ୍ରକାର କର୍କଟ ରୋଗର ଶିକାର ଆଶଙ୍କା ରହିଛି ।ଏସବୁ ସତ୍ତ୍ୱେ ବନ୍ଦ ହୋଇପାରୁନି ଏହାର ପ୍ରସ୍ତୁତି, ବିକ୍ରି ଓ ବ୍ୟବହାର ।

ସେପଟେ ତମାଖୁ ସେବନର ଭୟାବହତା ସମ୍ପର୍କରେ ଜନ ସଚେତନତା ସୃଷ୍ଟି ଲାଗି ପ୍ରତିବର୍ଷ ବିଶ୍ୱ ବ୍ୟାପୀ ପାଳନ ହେଉଛି 'ନୋ ଟବାକୋ ଡେ' । ଚଳିତ ବର୍ଷ ଏହାର ଥିମ୍ ରହିଛି 'ପ୍ରୋଟେକ୍ଟ ଦି ଏନ୍‌ଭାରମେଣ୍ଟ' ବା ପରିବେଶକୁ ସୁରକ୍ଷା ଦିଅ । ଏହି ଅବସରରେ ଆନ୍ତର୍ଜାତିକ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମିରେ ୨୩ ଫୁଟ ଲମ୍ବର ଏକ ବାଲୁକା କଳା ନିର୍ମାଣ କରି ବାଲୁକା ଜନ ସଚେତନତାର ବାର୍ତ୍ତା ଦେଇଛନ୍ତି ।