• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯାହାକୁ ୧୦ ମାସ ଗର୍ଭରେ ରଖି ଦୁନିଆର ଆଲୋକ ଦେଖାଇଥିଲା ତାକୁ କ୍ଷୀର ଟିକେ ଖୁଆଇ ପାରୁନି। ୩ ବର୍ଷର ଛୁଆକୁ ଝୁରି ଝୁରି ମାଆ ଆଖିରୁ ଲୁହ ବି ଶୁଖୁନି। କଣ କରିବ? କେମିତି କରିବ? ନିଜ ଛୁଆକୁ ନିଜ ପାଖକୁ କେମିତି ଫେରାଇ ଆଣିବ ସେନେଇ କିଛି ମୁଣ୍ଡରେ ପଶୁନି। ଆଉ ନିଜ ଛୁଆକୁ କୋଳକୁ ଫେରାଇ ଆଣିବା ପାଇଁ କାନ୍ଦୁଛି ମାଆ ।

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଲାଗିଥିବା କଳି ପାଇଁ ମାଆ କୋଳରୁ ଅଲଗା ହୋଇଯାଇଛି କୁନି ପୁଅ। ଯେଉଁ ସମୟରେ ମାଆର ପଣତକାନି ତଳେ ରହିବା କଥା ସେଇ ସମୟରେ ମାଆଠୁ ଦୂରେଇ ରହିଛି କୁନି ପୁଅ। ଛାତି ଚିରି ଛୁଆକୁ ଟିକିଏ କ୍ଷୀର ଖୁଆଇ ପାରୁନଥିବାରୁ ମୁଣ୍ଡ ବାଡ଼େଇ କାନ୍ଦୁଛି ମାଆ। ଆଉ ଦିନରାତି ମୋବାଇଲରେ କୁନି ପୁଅର ଫଟୋ ଦେଖି କାନ୍ଦୁଛି।

ଆଖିରୁ ଯେତେ ଲୁହ ପୋଛିଲେ ବି ଲୁହ ଶୁଖୁନି। ନିଜର ତିନି ବର୍ଷର ପୁଅକୁ ସ୍ୱାମୀ ଛଡାଇ ନେଇ ଅଧା ରାସ୍ତାରୁ ମାଡ଼ ମାରି ଶଶୁର ଘରକୁ ବିଦା କରିଦେବା ପରେ ୧୫ ଦିନ ହେଲାଣି ମା ଆଖିରୁ ଲୁହ ଗଡ଼ୁଛି । ସୁନ୍ଦରଗଡ଼ ଜିଲ୍ଲା ଲହୁଣୀପଡା ସଶ୍ୟକଳା ଗାଁରୁ ସାମ୍ନାକୁ ଆସିଛି ଏଇ ହୃଦୟଥରା ଦୃଶ୍ୟ ।

ଚାରି ବର୍ଷ ପୂର୍ବେ ସଶ୍ୟକଳା ଗ୍ରାମର ସୁଦାନନ୍ଦ ମହାକୁଡ଼ଙ୍କ ଝିଅ ଉମାଦେବୀ ମହାକୁଡ଼ କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ବର୍ଦ୍ଧନା ଗ୍ରାମର ଅଲେଖ ଖିଲାରଙ୍କ ପୁଅ ନିରୋଦ ଖିଲାରଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପର ଦିନଠାରୁ ଉମାଦେବୀଙ୍କୁ ଯୌତୁକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ ହୋଇଛି । ଏମିତିକି ସ୍ୱାମୀ ଏବଂ ଶ୍ୱଶୁର ଉମାଙ୍କୁ ବାରମ୍ବାର ମାଡ଼ ମାରି ଆସୁଥିବା ଅଭିଯୋଗ ମଧ୍ୟ ହୋଇଛି । ତେବେ ଶାଶୂଘର ଲୋକଙ୍କ ନିର୍ଯାତନା ସହି ନପାରିବାରୁ ବାପଘରକୁ ଆସି ଏକ ପୁତ୍ର ସନ୍ତାନ ଜନ୍ମ କରିଥିଲେ ଉମା।

ପିଲା ଜନ୍ମ ହେବା ପରେ ଉଭୟଙ୍କ ପରିବାର ମଧ୍ୟରେ ଆଲୋଚନା ହେବା ପରେ ଉମା ଶାଶୂଘରକୁ ଯାଇଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଶାଶୂଘର ଯିବା ବାଟରେ ହିଁ ଉମାଙ୍କୁ ମାଡ଼ ମାରିଥିଲେ ନିରୋଦ। କେବଳ ମାଡ଼ ମାରିଥିଲେ ତାହା ନୁହେଁ ବରଂ ୩ ବର୍ଷର ଛୁଆକୁ ମାଆ ପାଖରୁ ଛଡ଼ାଇ ନେବାକୁ ମଧ୍ୟ ପଛାଇ ନଥିଲେ। ତେବେ ସ୍ୱାମୀ-ସ୍ତ୍ରୀଙ୍କ ଝଗଡ଼ାକୁ ନେଇ ବାରିଆ ଥାନା , ଚମ୍ପୁଆ ଥାନା , ଲହୁଣୀପଡା ଥାନା , ଟେନସା ଫାଣ୍ଡି , ମହିଳା ଥାନାରେ ମାମଲା ରୁଜୁ ହୋଇଛି।

ତେବେ ପୁଅକୁ ଏ ପର୍ଯ୍ୟନ୍ତ ପାଇନଥିବା ଉମାଙ୍କ ବାପା ଅଭିଯୋଗ କରିଛନ୍ତି । ସେପଟେ ଏଇ ମାମଲା ସମ୍ପର୍କରେ ପୋଲିସର କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ସ୍ୱାମୀ ନିରୋଦ ଖିଲାର ଓଲଟା ସ୍ତ୍ରୀ ଉମା ଏବଂ ତାଙ୍କ ପରିବାର ଉପରେ ପାଲଟା ଅଭିଯୋଗ ଆଣିଛନ୍ତି ।

ରିପୋର୍ଟର- ସୁନୀଲ ପଣ୍ଡା