Advertisment

ଗୋଟିଏ ଶ୍ରେଣୀରେ ପ୍ରଥମରୁ ଅଷ୍ଟମ ପାଠପଢ଼ା! ଯେଉଁଠି ପଢ଼ିବେ, ସେଇଠି ଚାଲିଛି ରୋଷେଇ..

ବାଃ ବାଃରେ ଶିକ୍ଷା ବ୍ୟବସ୍ଥା। ଗୋଟିଏ ଶ୍ରେଣୀରେ ଚାଲିଛି ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ପାଠ ପଢା। ପୁଣି ପିଲାଏ ଯେଉଁଠି ପଢୁଛନ୍ତି ସେଇଠି ଚାଲିଛି ରୋଷେଇ...ଛାତର ଅବସ୍ଥା ଦେଖିଲେ କ୍ଲାସ ରୁମ୍‌କୁ ଯିବାକୁ ଲାଗିବ ଡର

author-image
Manoranjan Behera
Dilapidated School

Dilapidated School

ସ୍କୁଲର କାନ୍ଥ ଫାଟି ଆଁ କରିଛି, ତ ପୁଣି କୋଉଠି ଚଟାଣରେ ବିରାଟ ବିରାଟ ଗାତ ହୋଇଛି । ଆଉ କୋଉଠି ଛାତ ଉପରୁ ଟିଣ ମଧ୍ୟ ଉଠିଗଲାଣି । ସ୍କୁଲ ଘର ଭିତରେ ଥୁଆ ହୋଇଛି ପୁଳାପୁଳା କାଠ । ଝରକାରୁ ଲୁହା କବାଟ ବି ଗଳିପଡ଼ିଲାଣି । ଆଉ ଏହାରି ଭିତରେ ଚାଲିଛି ଆମ ସର୍ବଶିକ୍ଷା ଅଭିଯାନ ।

Advertisment

ସ୍କୁଲର ଅବସ୍ଥା ଦେଖିଲେ କହିବେ କେମିଚି ଚାଲିଛି ପାଠ ପଢା । ଆଉ ରୋଷେଇ ଘରର ଅବସ୍ଥା କଥା ନକହିଲେ ଭଲ । ଚିତ୍ରକୋଣ୍ଡା ବ୍ଲକ ସ୍ୱାଭିମାନ ଅଂଚଳ ଧୂଳିପୁଟ ପଂଚାୟତର ଏହି ସ୍କୁଲ ଆବାସିକ ବିଦ୍ୟାଳୟର ମାନ୍ୟତା ପାଇଛି । ସ୍କୁଲରେ ହଷ୍ଟେଲ ଥିବାରୁ ଅନେକ ପିଲା ହଷ୍ଟେଲରେ ରହି ପାଠ ପଢୁଛନ୍ତି । କିନ୍ତୁ ସ୍ଥିତି ଏମିତି ହେଲାଣି ଯେ, ଆବଶ୍ୟକଠାରୁ ଅଧିକ ପିଲା ହଷ୍ଟେଲରେ ରହୁଥିବାରୁ ଯେଉଁ ଘରେ ପିଲା ରହୁଛନ୍ତି ସେଇ ଘରେ ପିଲାଙ୍କ ପାଇଁ ଆସୁଥିବା ଚାଉଳ ବି ରହୁଛି ।

ସ୍କୁଲ ନିର୍ମାଣ ହେବା ଦିନରୁ ନାହିଁ ନାହିଁରେ ଚାଲିଛି ଏହି ସ୍କୁଲ । ସ୍ଥିତି ଏମିତି ହେଲାଣି ଯେ, ଗୋଟିଏ ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବସି ପଢୁଛନ୍ତି ପାଠ । ଆଉ ପିଲାଙ୍କ ସଂଖ୍ୟା କିଛି କମ୍‌ ନୁହେଁ, ବର୍ତ୍ତମାନ ଧୂଳିପୁଟ ସ୍କୁଲରେ ୧୦୦ ଉପରେ ପିଲା । ଆଉ ଏତେ ସଂଖ୍ୟାରେ ପିଲା ଯେତେବେଳେ ଗୋଟିଏ ଶ୍ରେଣୀରେ ପଢିବେ, ସେତେବେଳେ କେମିତି ପାଠ ପଢା ହେଉଥିବ ତାହା ସ୍ପଷ୍ଟ ଅନୁମେୟ କରିପାରୁଥିବେ ।

Advertisment

ରୋଷେଇ ପରିବେଶ ଦେଖିଲେ ଖାଇବା ପାଇଁ ଇଚ୍ଛା ହେବନି । ହେଲେ ବାଧ୍ୟ ହୋଇ ସେଠି ରୋଷେଇ ଚାଲିଛି । ବିପଦସଙ୍କୁଳ ଅବସ୍ଥାରେ ସ୍କୁଲ ମଝିରେ ରହିଛି କୂଅ । ସ୍କୁଲର ଉନ୍ନତି ଓ ଶ୍ରେଣୀ ଗୃହର ମରାମତି ପାଇଁ ବାରମ୍ବାର ପ୍ରଶାସନକୁ ଅନୁରୋଧ କରିବା ପରେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି ।

ସେପଟେ ଏନେଇ ଜିଲ୍ଲା ଶିକ୍ଷାଧିକାରୀ କହିଛନ୍ତି ଯେ, ସ୍କୁଲ ଘର ନିର୍ମାଣ ଚାଲିଛି । ପ୍ରକୃତରେ କଣ ହୋଇଛି ସେନେଇ ମୋ ପାଖରେ କୌଣସି ତଥ୍ୟ ନାହିଁ କହିବା ସହ ଦାୟିତ୍ୱହୀନ ମନ୍ତବ୍ୟ ଦେଇଥିଲେ । ତେବେ ସରକାର ବାରମ୍ବାର କହୁଛନ୍ତି ପିଲାଙ୍କ ଶିକ୍ଷାର ଉନ୍ନତି ପାଇଁ ଆମେ ସବୁ ପ୍ରକାର ବ୍ୟବସ୍ଥା କରୁଛୁ । ହେଲେ ବାସ୍ତବ ଚିତ୍ର କଣ ତାହା ଆପଣଙ୍କ ସାମ୍ନାରେ ।

ରିପୋର୍ଟର- ରତ୍ନାକାର ପ୍ରଧାନ

Dilapidated School Special Story 5T School
Advertisment
Advertisment