ଦିନରେ ଉପଭୋକ୍ତାଙ୍କୁ ଲଣ୍ଠନ ଦେଖାଉଛି ଟାଟା ପାୱାର । କାରସାଦି କରି ବିଦ୍ୟୁତ୍ ବିଲ ଆଦାୟ କରାଯାଉଛି ଅଧିକ ଅର୍ଥ । ବାସ୍ତବ ଦେୟ ବାଦ୍ ବିଭିନ୍ନ ହେଡରେ ଏହି ଅର୍ଥ ନେଉଛି କଂପାନି । ତେବେ ଏସବୁ ଦେୟ କଣ ପାଇଁ କଂପାନି କର୍ତ୍ତପକ୍ଷ ବି ତାହା ସ୍ପଷ୍ଟ କରିପାରୁନାହାନ୍ତି ।
କେନ୍ଦ୍ରାପଡ଼ା ବଣିଆମାଳରେ କପଡ଼ା ଦୋକାନ କରିଥିବା ପଦ୍ମଲୋଚନ ଧଳଙ୍କ ବିଜୁଳି ବିଲ୍ ଥରେ ଦେଖିଲେ ସବୁକିଛି ଜାଣିହେବ । ବିଲରେ MFC/CUST ଚାର୍ଜ, ED ଚାର୍ଜ ନାମରେ ପଡ଼ିଛି ଅତିରିକ୍ତ ଦେୟ । କେବଳ ପଦ୍ମଲୋଚନ ନୁହନ୍ତି, ବ୍ରହ୍ମଗିରି ମଥୁରାର କୃଷ୍ଣଚନ୍ଦ୍ର ନାୟକ ହୁଅନ୍ତୁ ବା ଢେଙ୍କାନାଳର ବିଶ୍ୱନାଥ ବେହେରା । ସମସ୍ତଙ୍କର ବିଜୁଳି ବିଲରେ ରହିଛି ଏମିତି ଅତିରିକ୍ତ ଦେୟ ।
ତେବେ ଏ ଅତିରିକ୍ତ ଦେୟ ନାଁରେ ଉପଭୋକ୍ତାଙ୍କୁ ଶୋଷଣ କରୁନି ତ ଟାଟା ପାୱାର ? ଯଦି ନୁହେଁ, ତେବେ ପ୍ରତି ମାସର ବିଲରେ MFC/CUST ଚାର୍ଜ, ED ଚାର୍ଜ ନାମରେ ଆସୁଥିବା ଏ ଅତିରିକ୍ତ ଦେୟ, ବାସ୍ତବରେ କଣ ? କାହିଁକି ଏହାକୁ ଉପଭୋକ୍ତାଙ୍କ ମୁଣ୍ଡରେ ଲଦି ଦେଉଛି ବିଦ୍ୟୁତ୍ ବିତରଣକାରୀ କଂପାନି ?
ତେଣେ ଏମିତିକି ବିଦ୍ୟୁତ୍ ସଂଯୋଗ ବେଳେ ଉପଭୋକ୍ତା ନୂଆ ମିଟର ବାବଦ ଅର୍ଥ ପୈଠ କରୁଥିଲେ ମଧ୍ୟ ବର୍ଷ ବର୍ଷ ଧରି କାହିଁକି କଂପାନି ମିଟର ରେଣ୍ଟ ଆଦାୟ କରୁଛି ତାହା ବି ବୁଝାପଡୁନି । ବିଜୁଳି ବିଲରେ ଏଭଳି ଅତିରିକ୍ତ ଦେୟକୁ ନେଇ ରାଜ୍ୟବ୍ୟାପୀ ବଢ଼ିବାରେ ଲାଗିଛି ଜନଅସନ୍ତୋଷ ।
ଏଣେ ବିଦ୍ୟୁତ୍ ବିଲରେ ବିଭିନ୍ନ ପ୍ରକାର ତ୍ରୁଟିରୁ ନେଇ ଉପଭୋକ୍ତାଙ୍କ ତରଫରୁ ବାରମ୍ବାର ଅଭିଯୋଗ ଆସିବା ପରେ କ୍ଷୁବ୍ଧ ବିଧାନସଭା ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟି । ବିଜୁଳି ଅଦାଲତ ଜରିଆରେ ଅଭିଯୋଗର ସମାଧାନ ଲାଗି କହିଛି କମିଟି । ଜିଲ୍ଲାସ୍ତରରେ ବିଜୁଳି ଅଦାଲତକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଷ୍ଟାଣ୍ଡିଂ କମିଟି, ଶକ୍ତି ବିଭାଗକୁ ସୁପାରିସ କରିଛି ।
ଏପଟେ କଂପାନି କର୍ତ୍ତପକ୍ଷଙ୍କ କହିବା କଥା, ଟାଟା ନୈତିକ ମୂଲ୍ୟବୋଧ ଉପରେ ଆଧାରିତ । ଏକ କମ୍ପାନି ଏହା ଆଇନ ବହିର୍ଭୂତ କୌଣସି କାମ କରି ନ ଥାଏ । ବିଦ୍ୟୁତ୍ ନିୟାମକଙ୍କ ଦ୍ୱାରା ଯେଉଁ ଦର ଧାର୍ଯ୍ୟହୋଇଛି, କମ୍ପାନି ତାଠାରୁ ଗୋଟିଏ ପଇସା ବି ଅଧିକ ନେଉନି ବୋଲି କୁହାଯାଇଛି ।
ପ୍ରୋ ରାଟା ବିଲ୍ ଅର୍ଥାତ୍ ୩୦ ଦିନ ବଦଳରେ ୨୫ରୁ ୨୭ ଦିନ ବ୍ୟବଧାନେର ବିଲ୍ ଦେଇ ଟାଟା ପାଓ୍ୱାର ଉପଭୋକ୍ତାଙ୍କୁ ଚୁନା ଲଗାଉଥିବା ନେଇ ଗତକାଲି ଓଟିଭି ଦେଖାଇଥିଲା । ଏହି କାରସାଦି ଦ୍ୱାରା ଟାଟା ପାଓ୍ୱାର ବିଲ୍ ପିଛା ୪୫ରୁ ୫୦ ଟଙ୍କା ଅଧିକ ନେଉଥିବା ଜଣା ପଡିଥିଲା । ତେବେ ବିଲରେ ସ୍ପଷ୍ଟତା ନଥିବାରୁ ସନ୍ଦେହ ଘନୀଭୂତ ହେଉଛି । ଏଣୁ କେଉଁ ହେଡରେ କେତେ ପଇସା ନିଆଯାଉଛି, କଂପାନି କର୍ତ୍ତପକ୍ଷ ତାହା ସ୍ପଷ୍ଟ କରିବାକୁ ଦାବି ଉଠିଛି ।