• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତୁଳସୀ ଦୁଇ ପତ୍ରରୁ ବାସେ । ପିଲାବେଳୁ ହିଁ ସ୍ୱଭାବ ଜାଣି ହୋଇଯାଏ । ସେ ପ୍ରତିଦିନ ସ୍କୁଲରେ ଗାଉଥିବା ପ୍ରାର୍ଥନା ବୋଲନ୍ତି ‘ସତ କହିବାକୁ କିଆଁ ଡରିବି.. ସତ କହି ପଛେ ମଲେ ମରିବି..ମୋତେ ଏତିକି ସିଖାଅ ସାଇଁ ହେ ମୋର ଧନଜନ ଲୋଡ଼ା ନାହିଁ ହେ..’ । ଆଉ ପ୍ରାର୍ଥନାର ପ୍ରତ୍ୟେକ ଧାଡିକୁ ଅକ୍ଷରେ ଅକ୍ଷରେ ପାଳନ କରି ନିଜର ସଚ୍ଚୋଟପଣିଆ ପାଇଁ ଚର୍ଚ୍ଚାରେ ସପ୍ତମ ଶ୍ରେଣୀର ଛାତ୍ର ।

ନୀଳଗିରି ଔପଦା ବ୍ଲକ ସାନପାଟପୁର ସରକାରୀ ଉଚ୍ଚ ବିଦ୍ୟାଳୟର ସପ୍ତମ ଶ୍ରେଣୀର ଛାତ୍ର ଶୁଭଙ୍କର ବେହେରା । ତାଙ୍କର ସଚ୍ଚୋଟପଣିଆ ପାଇଁ ସେ ଆଜି ବିଦ୍ୟାଳୟର ଗର୍ବ ଓ ଅନ୍ୟମାନଙ୍କ ପାଇଁ ପ୍ରେରଣା । ପିଲାମାନେ ଟଙ୍କାଟିଏ ପାଇଲେ ବି ଖୁସି ହୋଇଯାଆନ୍ତି । ହେଲେ ଶୁଭଙ୍କର ଭାରି ସଚ୍ଚୋଟ । ସ୍କୁଲ ଆସିବା ବାଟରେ ସେ ୨୫ ହଜାର ୫୦୦ ଟଙ୍କା ପାଇଥିଲେ । ହେଲେ ଲୋଭ ନକରି ସ୍କୁଲ ଶିକ୍ଷକଙ୍କୁ ସମସ୍ତ ଘଟଣା କହିଥିଲେ । ପରେ ଏହି ଟଙ୍କା ସ୍କୁଲର ଶିକ୍ଷୟିତ୍ରୀ ନିର୍ମଳା ପାଣିଆଙ୍କ ସ୍ୱାମୀଙ୍କର ବୋଲି ଜଣାପଡ଼ିଥିଲା । ନିର୍ମଳାଙ୍କୁ ସ୍କୁଲ ଛାଡ଼ିବା ବେଳେ ଟଙ୍କା ବିଡ଼ା ଖସି ହଜିଯାଇଥିଲା । ସମସ୍ତ ତଥ୍ୟ ପ୍ରମାଣ ଆଧାରରେ ସର୍ବସମ୍ମୁଖରେ ଶିକ୍ଷୟିତ୍ରୀଙ୍କ ସ୍ୱାମୀଙ୍କୁ ଡକାଇ ଟଙ୍କା ଫେରସ୍ତ କରାଗଲା ।

ଏତେ ଗୁଡ଼ାଏ ଟଙ୍କା ପାଇ ତିଳେ ମାତ୍ର ଲୋଭ କରିନଥିଲେ ଶୁଭଙ୍କର । ଏସମ୍ପର୍କରେ ପଚରାଯିବା ପରେ ସେ କହିଛନ୍ତି, ଦିଦି ଶିଖେଇଛନ୍ତି ପର ଧନକୁ ଲୋଭ କରିବା କଥା ନୁହେଁ । ଏଥିପାଇଁ ସେ ଖୁସିରେ ଖୁସିରେ ଟଙ୍କା ଫେରାଇ ଦେଇଛନ୍ତି । ଆଉ ନିଜେ ଦେଇଥିବା ଶିକ୍ଷା ଯୋଗୁ ସ୍ୱାମୀଙ୍କ ହଜିଯାଇଥିବା ଟଙ୍କା ଫେରି ପାଇ ବେଶ ଖୁସି ଓ ଗର୍ବିତ ଶିକ୍ଷୟିତ୍ରୀ ନିର୍ମଳା ପାଣିଆ । ଅନ୍ଯ ଛାତ୍ରଛାତ୍ରୀମାନେ ବି ଶୁଭଙ୍କରଙ୍କଠାରୁ ଅନୁପ୍ରାଣିତ ହୋଇଛନ୍ତି ।

ସଚ୍ଚୋଟ ଛାତ୍ର ଶୁଭଙ୍କରଙ୍କୁ ସ୍କୁଲ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇ । ଏକ ସଭାକାର୍ଯ୍ୟ ଆୟୋଜନ କରି ମିଠା ବାଣ୍ଟି ପିଲାଙ୍କୁ ଶୁଭଙ୍କର ଭଳି ସଚ୍ଚୋଟ ହେବାକୁ ପରାମର୍ଶ ଦେଇଛନ୍ତି ।

ରିପୋର୍ଟ -(ନୀଳଗିରିରୁ ବିଶ୍ୱାମ୍ବର ଦାସ)