• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବଦଳିଛି କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଡିଜାଇନ୍ ? ବିବାଦ ମୁଣ୍ଡ ଟେକିବା ପରେ ପ୍ରକଳ୍ପ ଢାଞ୍ଚାରେ କରାଯାଇଛି କି ପରିବର୍ତ୍ତନ ? ପୁରୁଣା ଫଳକ ହଟାଇ ତା ସ୍ଥାନରେ ମେଲ୍ ଟଏଲେଟ୍, ଫିମେଲ୍ ଟୟଲେଟ୍ ଲେଖାଥିବା ବୋର୍ଡ ଲଗାଯିବା ପରେ ଉଠିଛି ଏମିତି ପ୍ରଶ୍ନ । ତେବେ ପ୍ରତ୍ନତତ୍ତ୍ୱ ବିଭାଗ ଓ ଅନ୍ୟ ଅଧିକାରୀମାନେ ପ୍ରକଳ୍ପ ପରିଦର୍ଶନରେ ଆସୁଥିବାରୁ ଏଭଳି କାରସାଦି କରାଯାଇଥିବା ଚର୍ଚ୍ଚା ହେଉଛି । ଅନ୍ୟପକ୍ଷରେ ସବୁ ପ୍ରକାର ବିରୋଧସତ୍ତ୍ୱେ ଜାରି ରହିଛି ପ୍ରକଳ୍ପର ନିର୍ମାଣ କାମ । ତେଣେ ପ୍ରକଳ୍ପର ଅନୁଧ୍ୟାନ ଲାଗି ଗଠିତ ଗୃହ କମିଟିର ବୈଠକ କାହିଁକି ବସୁନି, ତାକୁ ଦେଇ ସୃଷ୍ଟି ହୋଇଛି ଦ୍ୱନ୍ଦ୍ୱ । ଏପଟେ ବାଚସ୍ପତି କହିଛନ୍ତି ଖୁବ୍ ଶୀଘ୍ର ବୈଠକ ହେବ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବଢୁଛି ବିବାଦ ସବୁଦିନ ସାମ୍ନାକୁ ଆସୁଛି ଭିନ୍ନ ଭିନ୍ନ ତଥ୍ୟ । ଏବେ ପୁଣି ଏକ ନୂଆ ଚିତ୍ର ଦେଖିବାକୁ ମିଳିଛି ନିର୍ମାଣଧୀନ ପ୍ରକଳ୍ପ ସ୍ଥଳରେ । ପଶ୍ଚିମ ଦ୍ୱାରରୁ ହଟିଛି ପ୍ରକଳ୍ପର ପୁରୁଣା ଫଳକ, ଲାଗିଛି ନୂଆ ଫଳକ । ପୂର୍ବରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ, ହେରିଟେଜ୍ ସିଟି ପୁରୀ ଲେଖାଥିବା ଫଳକ ଲାଗିଥିଲା । କିନ୍ତୁ ଏବେ ନୂଆ ଫଳକରେ ମେଲ୍ ଟଏଲେଟ୍, ଫିମେଲ୍ ଟଏଲେଟ୍ , ଫାଭିଲିଆନ୍ ସେଲଟର୍ ଆଦି ଲେଖାଯାଇଛି । ତେବେ ଏଠି ପ୍ରଶ୍ନ-କାହିଁକି ହଠାତ୍ ବଦଳିଗଲା ଫଳକ? ବିବାଦ ବଢୁଥିବାରୁ ଡିଜାଇନ୍‌ରେ କିଛି ପରିବତ୍ତନ ହୋଇଛି କି ?

ନା ପ୍ରତ୍ନତତ୍ତ୍ୱ ବିଭାଗ ଓ ଅନ୍ୟ ଅଧିକାରୀ ପ୍ରକଳ୍ପ ଅନୁଧ୍ୟାନ ଲାଗି ଆସୁଥିବାରୁ ସେମାନଙ୍କୁ ଚକମା ଦେବାକୁ ଏ କାରସାଦି ? ନା ବିବାଦ ପରେ ବଢୁଥିବା ଚାପ ? ଫଳକରେ ସୂଚନା ଅନୁସାରେ ଦକ୍ଷିଣ ଦ୍ୱାରରେ ସେଲଟର ଫାଭଲିୟନ୍, ମେଲ୍ ଓ ସେବାୟତ ଟଏଲେଟ୍ ନିର୍ମାଣ ହେଉଛି । ତାସହ ପୂର୍ବ ବା ସିଂହଦ୍ୱାର ପାଖରେ ରିସେପସନ୍ ସେଣ୍ଟର ନିର୍ମାଣ ପାଇଁ ବ୍ୟବସ୍ଥା କରାଯାଉଛି । ତେବେ ଉତ୍ତର ଦ୍ୱାରରେ ବଡ ବଡ ଗାତ କାହିଁକି ଖୋଳାଯାଇଛି ଓ ସେଠି କଣ ସବୁ ନିର୍ମାଣ ହେବ । ତାହା ଏବେ ବି ଅସ୍ପଷ୍ଟ ।

ତେବେ ଫଳକ ପରିବର୍ତ୍ତନ ନେଇ ପୁରୀ ଓ ଶ୍ରୀମନ୍ଦିର ପ୍ରଶାସନକୁ ସମାଲୋଚନା କରିଛନ୍ତି ସୂଚନା ଅଧିକାର କର୍ମୀ ଓ ଆଇନଜୀବୀ । ହେଲେ ଏନେଇ କିନ୍ତୁ ପୁରୀ ଜିଲ୍ଲା ପ୍ରଶାସନ କି ମନ୍ଦିର ପ୍ରଶାସନର ପତିକ୍ରିୟା ମିଳିପାରିନି ।

ସେପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ବିଧାନସଭାରେ ଉଠିବା ପରେ ବାଚସ୍ପଚିଙ୍କ ଅଧ୍ୟକ୍ଷତାରେ ଗୃହ କମିଟି ଗଠନ ହୋଇଛି । ୩୧ ମାର୍ଚ୍ଚରେ କମିଟି ଗଠନ ହୋଇଥିଲା ହେଲେ ଏପର୍ଯ୍ୟନ୍ତ କମିଟିର ବୈଠକ ବସି ନାହିଁ । ଯାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ । ପୁରୀ ବିଜେପି ବିଧାୟକ ତଥା କମିଟି ସଦସ୍ୟ ଗୃହ କମିଟି ଅନୁଧ୍ୟାନ ଉପରେ ସନ୍ଦେହ ପ୍ରକାଶ କରିଛନ୍ତି । କେବେ କମିଟିର ବୈଠକ ହେବ ବୋଲି କଂଗ୍ରେସ ବି ପଚାରିଛି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ଯେ, ପୂର୍ତ୍ତ ବିଭାଗ ସହ ସେ ପ୍ରଥମେ ଆଲୋଚାନ କରିବେ । ଅନ୍ୟପକ୍ଷରେ ହାଇକୋର୍ଟରେ ମାମଲା ଥିବାରୁ ଆଇନ ବିଭାଗ ସହ ବିଚାରବିମର୍ଶ ପରେ କମିଟରି ବୈଠକ ହେବ ।

ଆସନ୍ତା ୨୧ ତାରିଖରେ ହାଇକୋର୍ଟରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମାମଲାର ଶୁଣାଣି ହେବ । ସରକାର ପ୍ରକଳ୍ପ ବାବଦରେ କୋର୍ଟରେ କି ଯୁକ୍ତି ରଖୁଛନ୍ତି, ତା ଉପରେ ନଜର ରହିଛି ।

ରିପୋର୍ଟର- ମଧୁସୁଦନ ମିଶ୍ର, ମନୋରଞ୍ଜନ ଯୋଷୀ, ହରିହର ଚାନ୍ଦ