/odishatv-khabar/media/post_attachments/uploadimage/library/16_9/16_9_0/IMAGE_1645784631.jpg)
Angul & Talcher
ପରିବେଶ ପୂରା ପ୍ରଦୂଷିତ । ଯୁଆଡେ ଦେଖିବ ଧୂଳି । ରାସ୍ତାଘାଟ,ଘରଦ୍ୱାର,ଗଛ,ଜଳସ୍ତର ଉପରେ ଧୂଳି ଓ କୋଇଲାଗୁଣ୍ଡର ଆସ୍ତରଣ ଦେଖିବାକୁ ମିଲୁଛି । ବଞ୍ଚିବାର ଅଧିକାର ଏଠାରେ କ୍ଷୁର୍ଣ୍ଣ ହେଉଥିବାବେଳେ ବାୟୁ ପ୍ରଦୂଷଣ ଜନୀତ ରୋଗରେ ଅନେକ ଆକ୍ରାନ୍ତ ହେଉଥିବାର ଦେଖିବାକୁ ମିଲୁଛି । ଶିଳ୍ସ ସମୃଦ୍ଧ ଅନୁଗୋଳ ସହର ଓ କୋଇଲା ନଗରୀ ତାଳଚେରର ବାସ୍ତବ ଚିତ୍ର ବଦଳିବାରେ ଲାଗିଛି ।
ସମସ୍ୟାକୁ ନେଇ ଜନସାଧାରଣ ଅତିଷ୍ଠ ହୋଇପଡିଥିବା ବେଳେ ଖୁବଶୀଘ୍ର ପ୍ରଦୂଷଣ ଜନିତ ସମସ୍ୟାର ସମାଧାନ ନିମନ୍ତେ ବାସ୍ତବବାଦୀ ପଦକ୍ଷେପ ନ ନେଲେ, ଏହି ଅଞ୍ଚଳରେ ଭବିଷ୍ୟତରେ ଜୀବନ ଧାରଣ କରିବା ଅସମ୍ଭବ ହୋଇପଡ଼ିବ । ଏ ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀଙ୍କ କହିବା କଥା ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉଛି ।
ପ୍ରଦୂଷଣରେ ଅଣିନିଶ୍ଵାସୀ ଜନସାଧାରଣ । ଜଳ,ବାୟୁ,ମୃତ୍ତିକା ସବୁକିଛି ପ୍ରଦୂଷିତ । ଅର୍ଥନୈତିକ ଅଭିବୃଦ୍ଧି ଆଳରେ ତାଳଚେର ସହ ଅନୁଗୋଳରେ ଗଢ଼ି ଉଠିଛି ବହୁ ଶିଳ୍ପାନୁଷ୍ଠାନ, ଏହା ସହ ରହିଛି ଅନେକ ଖଣି ଖାଦାନ । ଶିଳ୍ପ ସଂସ୍ଥାର ସଂଖ୍ୟାକୁ ଦୃଷ୍ଟିରେ ରଖି ଅନୁଗୋଳକୁ ଶିଳ୍ପ ସମୃଦ୍ଧ ଜିଲ୍ଲା ରୂପେ କୁହାଯାଉଥିବାବେଳେ ଏହାର ଅନ୍ୟ ଏକ ପରିଚୟ ହେଉଛି ଦେଶ ତଥା ବିଶ୍ୱର ସର୍ବାଧିକ ପ୍ରଦୂଷିତ ଅଞ୍ଚଳ ମଧ୍ୟରୁ ଅନ୍ୟତମ ।
ଭାରତ ସରକାରଙ୍କ ଦ୍ୱାରା ପ୍ରକାଶିତ ପ୍ରଦୂଷିତ ସହର ତାଲିକା ମଧ୍ୟରେ ରହିଛି ତାଳଚେର ଓ ଅନୁଗୋଳ ସହର । ଶିଳ୍ପ ଓ ଖଣି ଖାଦାନ ଯୋଗୁଁ କଞ୍ଚାମାଲ ଓ ଉତ୍ପାଦିତ ସାମଗ୍ରୀ ପରିବହନ ନିମନ୍ତେ ଜିଲ୍ଲାରେ ବଢିଛି ଗାଡ଼ି ଚଳାଚଳ ସଂଖ୍ୟା । ଏହା ସହ ଜିଲ୍ଲା ଦେଇ ଯାଇଥିବା ରାଜପଥର ଅବସ୍ଥା ଶୋଚନୀୟ ଯୋଗୁଁ ଅନେକ ମାତ୍ରାରେ ଏହା ପ୍ରଦୂଷଣ ବଢ଼ିବାରେ ହେଉଛି ସହାୟକ । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ (CPCB)ତରଫରୁ ୨୦୦୯-୧୦ରେ କରାଯାଇଥିବା ସର୍ଭେରେ ଅନୁଗୋଳ-ତାଳଚେର ଅଞ୍ଚଳରେ ପ୍ରଦୂଷଣର ମାତ୍ରା ସହ ସ୍ଥିତି ଜାଣିବା ପାଇଁ କମପ୍ରେହେନସିଭ ଏନଭାୟାରମେଣ୍ଟାଲ ପଲ୍ୟୁସନ ଇଂଡ଼େକ୍ସ (CEPI) ବ୍ୟବହାର କରାଯାଇଥିଲା ।
ସେତେବେଳେ ଅନୁଗୋଳ ଓ ତାଳଚେର ଶିଳ୍ପାଞ୍ଚଳକୁ CPA ବା କ୍ରିଟିକାଲ ପଲ୍ୟୁଟେଡ଼ ଏରିଆ ତାଲିକାରେ ସ୍ଥାନ ପାଇଥିଲା । ତେଣୁ ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ କରିବା ନିମନ୍ତେ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼କୁ ପରାମର୍ଶ ଦେଇଥିଲେ । ପରବର୍ତ୍ତୀ ସମୟରେ ପ୍ରଦୂଷଣକୁ ନିୟନ୍ତ୍ରଣ କରିବା ନିମନ୍ତେ ସମସ୍ତ ଶିଳ୍ପସଂସ୍ଥାକୁ ସ୍ୱତନ୍ତ୍ର ଆକ୍ସନ ପ୍ଲାନ ଲାଗୁ କରିବା ନିମନ୍ତେ କୁହାଯାଇଥିଲା ।
ଏହି ଆକ୍ସନ ପ୍ଲାନ ଯୋଗୁଁ ପରବର୍ତ୍ତୀ ସମୟରେ ଅନୁଗୋଳ-ତାଳଚେର ଏରିଆ Critical Polluted Area ତାଲିକାରୁ ବାଦ ପଡ଼ିଥିଲେ ମଧ୍ୟ ସେହି ଆକ୍ସନ ପ୍ଲାନକୁ ଲାଗୁ କରି ପ୍ରଦୂଷଣର ମାତ୍ରାକୁ ନିୟନ୍ତ୍ରଣ ନିମନ୍ତେ କୁହାଯାଇଥିଲା । ମାତ୍ର ତାହା ଠିକରେ କାର୍ଯ୍ୟକାରୀ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଥିବା ବେଳେ ଏବେ ପ୍ରଦୂଷିତ ପରିବେଶରେ ଜୀବନ ହୋଇପଡିଛି ଦୁର୍ବିସହ।
ଧୂଳି,ଧୂଆଁ,ପାଉଁଶ,କୋଇଲା ଗୁଣ୍ଡରେ ଦୁଇ ସହରର ମାଟି,ପାଣି,ପବନ ପ୍ରଦୂଷିତ । ବିଶେଷ କରି ବାୟୁ ପ୍ରଦୂଷଣର ମାତ୍ରା ଅଧିକ ଯୋଗୁଁ ଦୁଇ ସହରର ଅନେକ ଲୋକ ଏବେ ବାୟୁ ଜନିତ ରୋଗରେ ଆକ୍ରାନ୍ତ । ଏସବୁ ପାଇଁ ଦୁଇ ସହରର ଜନସଧାରଣ ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଜିଲ୍ଲା ପ୍ରଶାସନ, ରାଜ୍ୟ ସରକାରଙ୍କୁ ଦାୟୀ କରିବା ସହ ପ୍ରଦୂଷଣ ମାତ୍ରା ବଢ଼ାଉଥିବା ସଂସ୍ଥା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଆସୁଛନ୍ତି । ଏହା ସହ ପ୍ରଦୂଷଣର ମାତ୍ରାକୁ କମ କରିବା ପାଇଁ ବ୍ୟାପକ ବୃକ୍ଷରୋପଣ ସହ ବାୟୁ ଜନିତ ରୋଗର ଚିକିତ୍ସା ପାଇଁ ତାଳଚେର ଉପଖଣ୍ଡ ଚିକିତ୍ସାଳୟକୁ ରେଫରାଲ ହସ୍ପିଟାଲ ରୂପେ ଘୋଷଣା କରାଯାଇଛି । ସ୍ୱାସ୍ଥ୍ୟସେବା ଯୋଗାଇଦେବାକୁ ଦାବି ଦୃଢ଼ କରାଯାଉଛି ।
ଅନ୍ୟପକ୍ଷରେ ପ୍ରଦୂଷଣର ମାତ୍ରା ବଢିବା ଯୋଗୁଁ ସେହି ଅନୁପାତରେ ବାୟୁ ଜନିତ ରୋଗୀଙ୍କ ସଂଖ୍ୟା ବଢିଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି । ଅପରପକ୍ଷରେ ପ୍ରଦୂଷଣର ନିୟନ୍ତ୍ରଣ ପାଇଁ ପଦକ୍ଷେପ ନିଆଯାଉଥିବା ସୂଚନା ଦେଇଛନ୍ତି ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ଡକ୍ଟର ଅନୁପ କୁମାର ମଲ୍ଲିକ ।
ଜିଲ୍ଲାରେ ଭେଇକୁଲାର ପଲ୍ୟୁସନର ମାତ୍ରା ଅଧିକ ଥିବା ଆଞ୍ଚଳିକ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଅଧିକାରୀ ସୂଚନା ଦେଇଛନ୍ତି । ପ୍ରଦୂଷଣର ମାତ୍ରା ନିୟନ୍ତ୍ରଣ ପାଇଁ ଟ୍ରାନ୍ସପୋର୍ଟ ଅଥରିଟି,ଜିଲ୍ଲା ପ୍ରଶାସନ, ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ସହ ସେଣ୍ଟର ଫର ସାଇନ୍ସ ଆଣ୍ଡ ଟେକ୍ନୋଲୋଜି,ନୂଆଦିଲ୍ଲୀ ମିଳିତ ରୂପେ ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଆକ୍ସନ ପ୍ଲାନ ପ୍ରସ୍ତୁତ କରି କାର୍ଯ୍ୟ କରୁଥିବା ବେଳେ ସମସ୍ୟାର ସମାଧାନ ନିମନ୍ତେ ପଦକ୍ଷେପ ନିଆଯାଉଥିବା କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)