• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଦାଣ୍ଡ ଦୁଆରେ କାନ୍ଦ ବୋବାଳି ପଡ଼ୁଛି । କିଏ ଭୂଇଁରେ ଗଡୁଛି ତ ପୁଣି ଆଉ କିଏ ରାହା ଧରି କାନ୍ଦି କାନ୍ଦି ମୁଣ୍ଡ ବାଡେଇ ଦେଉଛି । ଏକା ସାଙ୍ଗରେ ବନ୍ଧା ଯାଉଛି ୫ କୋକେଇ । ଡାକ ପଡୁଛି ରାମ ରାମ ସତ୍ୟ ହେ ହରିନାମ ସତ୍ୟ ହେ । ପୁଣି ଓମ୍‌ ଶୀବ ଗଙ୍ଗା ନାରାୟଣାୟ ଡାକ ବି ପଡ଼ୁଛି । ଆଉ ଜଣଙ୍କ ପରେ ଜଣଙ୍କ ଶବ ଘରୁ ଆଣି କୋକେଇରେ ବାନ୍ଧୁଛନ୍ତି ଗାଁ ଲୋକ । ଏ ଦୃଶ୍ୟ ଏତେ ଦୃଦୟ ବିଦାରକ ଯେ, ଯିଏ ଦେଖିବ ସିଏ ବି କାନ୍ଦିବାକୁ ଲାଗିବ, ଆଉ କହିବ ଭଗବାନ କାହାକୁ ଏ ଦୁଃଖ ନଦେଉ ।

ଯେତେବେଳେ ପାଂଚ ପାଞ୍ଚୋଟି ଜୀବନ ଏମିତି ନିମିଷକେ ଲିଭିଯିବ, କାନ୍ଦିବା ଛଡା ପରିବାର ଲୋକଙ୍କ ପାଖରେ ଉପାୟ ବା ଆଉ ଅଛି କଣ? ଗାଁ ଶ୍ମଶାନରେ ଏକା ସାଙ୍ଗରେ ଜଳୁଛି ପାଂଚ ପାଞ୍ଚଟି ଚିତା । କିଏ କାହାକୁ ସାନ୍ତ୍ୱନା ଦେବ ବୁଝାପଡୁନି । କାନ୍ଦ ଚିତ୍କାରରେ କମ୍ପୁଛି ପୂରା ପରିବେଶ । ସମସ୍ତଙ୍କ ମୁହଁରେ ଗୋଟିଏ କଥା ବିଧାତା ତୁ ଏ କଣ କଲୁ ? ସବୁ କିଛି ଅଜାଡି ଦେଲୁ । ମହୁଲ ପେଡିବା ପାଇଁ ବଡି ଭୋରୁ ତରତର ହୋଇ ଏମାନେ ସବୁ ବାହାରି ଆସିଥିଲେ । ତେଲ ଆଣିଲେ ଗୁଜୁରାଣ ମେଂଟିବ ବୋଲି ଭାବିଥିଲେ। ହେଲେ ଗୁଜୁରାଟ ମେଂଟିବ କଣ? ପାଂଚ ପାଂଚଟି ପରିବାର ଛାରଖାର ହୋଇଗଲା ।

ଘରୁ ସିନା ଗୁଜୁରାଣ ମେଂଟାଇବା ପାଇଁ ବାହାରି ଯାଇଥିଲେ, ହେଲେ ଫେରିଲେ ଶବ ହୋଇ । ଆଉ ଗାଁରେ ଶବ ପହଞ୍ଚିବା ପରେ କାନ୍ଦବୋବାଳିରେ ଫାଟି ପଡ଼ିଥିଲା ପୂରା ଗାଁ ପରିବେଶ । କିଏ ବାପାକୁ ହରାଇ କାନ୍ଦୁଥିଲା ଆଉ କିଏ କକାକୁ । ଆଉ ସ୍ୱାମୀକୁ ହରାଇ ବେହାସ ହୋଇ ପଡ଼ୁଛି ସ୍ତ୍ରୀ । ଏହି ଦୃଶ୍ୟ ଦେଖିଲେ ଆପଣଙ୍କ ଆଖିରେ ବି ଲୁହ ଜକାଇ ଆସିବ ।

ଭୋରୁ ଭୋରୁ କାମାକ୍ଷାନଗର ଜାତୀୟ ରାଜପଥରେ ଯେଉଁ ଘଟଣା ଘଟିଲା ତାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଅଟୋକୁ ଟ୍ରକ ଧକ୍କା ଦେବା ଫଳରେ ଲିଭିଯାଇଥିଲା ୫ ପାଞ୍ଚଟି ଜୀବନ ଦୀପ । ଖବର ବ୍ୟାପିବା ପରେ ସାଙ୍ଗେ ସାଙ୍ଗେ ଲୋକରଣ୍ୟ ହୋଇ ଉଠିଥିଲା ପୂରା ଅଂଚଳ। କିନ୍ତୁ ସବୁ କିଛି ସରିଯାଇଥିଲା।

ମୃତ୍ୟୁ କେତେବେଳେ କାହାର ହେବ, ତାହା ତ କେହି କହିପାରିବେ ନାହିଁ। ହେଲେ ଏମିତି ଅକାଳ ମୃତ୍ୟୁ ହେଲେ ପରିବାର ଓ ଆତ୍ମୀୟ ସୋଜନଙ୍କୁ କେତେ କଷ୍ଟ ଦେଇଥାଏ, ତାହା ହୁଏତ ଏହି ଦୃଶ୍ୟ ବୟାନ କରୁଛି । ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ଅନୁକମ୍ପା ରାଶି ତ ସରକାର ଘୋଷଣା କରିଦେଲେ, ହେଲେ ଯେଉଁ ୫ ଜୀବନ ଚାଲିଗଲା ତାହାର ଭରଣ କରିବ ବା କିଏ?

ରିପୋର୍ଟର- କାମାକ୍ଷାନଗରରୁ ବିଦ୍ୟାଧର ବରାଳ