• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୟଙ୍କର ଦୁର୍ଘଟଣା, ଛାତିଥରା ଦୃଶ୍ୟ । ଝଡ଼ ପରର ନିରବତା ଭଳି ନୟାଗଡ଼ ବଡ଼ପଣ୍ଡୁସର ନିକଟରେ ଘଟିିଥିବା ଭୟାନକ ଦୁର୍ଘଟଣାର କିଛି ଘଣ୍ଟା ପରର ଦୃଶ୍ୟ ସମସ୍ତଙ୍କୁ ଭୟଭୀତ କରିଛି । ସେଠାକାର ଚିତ୍ର କହୁଛି ସବୁ କିଛି ଶାନ୍ତ ଓ ସମସ୍ତେ ସ୍ତବ୍ଧ । କିନ୍ତୁ ସେ ସମୟରେ ସେ ବିସ୍ଫୋରଣକୁ ଯିଏ ଦେଖିଛି, ସେ ହିଁ ଅନୁମାନ କରିଛି ତାର ପ୍ରଚଣ୍ଡତା ଓ ତୀବ୍ରତା ।

ଶୁକ୍ରବାର ରାତି ପ୍ରାୟ ଗୋଟାଏ ୪୫ ପାରାଦୀପରୁ ନୟାଗଡ଼ ଅଭିମୁଖେ ଯାଉଥିଲା ଏକ ଡିଜେଲ ଟ୍ୟାଙ୍କର । ୫୭ ନମ୍ବର ଜାତୀୟ ରାଜପଥର ବଡ଼ପଣ୍ଡୁସର ଗାଁ ନିକଟ କୁସୁମୀ ନଦୀ ବ୍ରିଜ୍ ଉପରେ ଗଡୁଥିବା ବେଳେ ହଠାତ ପୋଲ ତଳକୁ ଖସିପଡ଼ିଥିଲା ଏକ ଡିଜେଲ ଟ୍ୟାଙ୍କର । ଆଉ ତାର କିଛି ସମୟ ପରେ ଡିଜେଲ ଟ୍ୟାଙ୍କରରେ ଘଟିଥିଲା ପ୍ରଚଣ୍ଡ ବିସ୍ଫୋରଣ । କୁହାଯାଉଛି ଯେ, ଦୁର୍ଘଟଣାଗ୍ରସ୍ତ ଟ୍ୟାଙ୍କରର ଡ୍ରାଇଭରଙ୍କୁ ମିଶାଇ ଦୁଇ ଜଣ ଥିଲେ । ସେମାନଙ୍କୁ ଉଦ୍ଧାର କରିବାକୁ ପଛରେ ଆସୁଥିବା ଆଉ ଏକ ଟ୍ୟାଙ୍କରର ଡ୍ରାଇଭର, ହେଲ୍ପର ଓ ଅନ୍ୟଜଣେ ସହଯୋଗୀ ଦୁର୍ଘଟଣାସ୍ଥଳକୁ ଯିବା ଭିତରେ ସେମାନେ ଏ ଭୟଙ୍କର ବିସ୍ପୋରଣର ଶିକାର ପାଲଟିଥିଲେ ।

ଦୁର୍ଘଟଣା ମଧ୍ୟରାତ୍ରରେ ଘଟିଥିଲେ ବି ବିସ୍ଫୋରଣ ପାଇଁ ଉଦ୍ଧାର କାର୍ଯ୍ୟ ଆରମ୍ଭ ବେଳକୁ ବିଳମ୍ବ ହୋଇଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଅଗ୍ନିଶମ କର୍ମଚାରୀ, ପୋଲିସ ଓ ସ୍ଥାନୀୟ ବାସିନ୍ଦାଙ୍କ ସହାୟତାରେ ଉଦ୍ଧାର କାର୍ଯ୍ୟ କରାଯାଇଥିଲା । ତେବେ ଧ୍ୱଂସସ୍ତୁପ ତଳୁ ଜଣକୁ ଗୁରୁତର ଅବସ୍ଥାରେ ଉଦ୍ଧାର ସହ ଅନ୍ୟ ୪ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ମୃତକମାନେ ହେଲେ ଦୀପୁ ଖଟୁଆ,ପଙ୍କଜ ନାୟକ, ସାଗର ଖଟୁଆ ଓ ସମୀର ନାୟକ । ସଂଯୋଗ ଆଉ ଦୁର୍ଭାଗ୍ୟର କଥା ହେଉଛି, ଏ ଦୁର୍ଘଟଣା ଓ ବିସ୍ଫୋରଣରେ ସମସ୍ତ ମୃତାହତ ସ୍ଥାନୀୟ ସାନପଣ୍ଡୁସର ଗାଁର ।

 

ଦୁର୍ଘଟଣାଗ୍ରସ୍ତ ତେଲ ଟ୍ୟାଙ୍କରରେ ୧୦ ହଜାର ଲିଟରରୁ ଅଧିକ ଡିଜେଲ ରହିଥିଲା । ଏତେ ପରିମାଣର ତେଲ ଥିବାରୁ ବିସ୍ଫୋରଣର ଶବ୍ଦ ପ୍ରାୟ ୫ କିଲୋମିଟର ଯାଏଁ ଶୁଣାଯାଇଥିବା କହିଛନ୍ତି ସ୍ଥାନୀୟ ଲୋକେ । ଏପଟେ ବିସ୍ଫୋରଣ ପରେ ନିଆଁର ଧାସ ପ୍ରାୟ ୪୦ ଫୁଟ ଉଚ୍ଚର ବ୍ରିଜ ତଳଭାଗକୁ ସମ୍ପୂର୍ଣ୍ଣ କଳା ପକାଇ ଦେଇଥିବାରୁ ସେଇଥିରୁ ଭୟାବହତା ଅନୁମାନ କରିହେଉଛି । ସେହିଭଳି ବିସ୍ଫୋରଣସ୍ଥଳଠୁ ପ୍ରାୟ ୧୦୦ ମିଟର ଦୂରଯାଏଁ ଗଛପତ୍ର ସବୁ ପୋଡ଼ି ପାଉଁଶ ପାଲଟି ଯାଇଥିବା ଦେଖିବାକୁ ମିଳିଛି । ଏଣେ କୁସୁମୀ ନଦୀର ଜଳରେ ତେଲ ଓ କଳା ପାଉଁଶ ଭାସୁଥିବାରୁ ଏହାର ବ୍ୟବହାର ଉପରେ କଟକଣା ଜାରି କରଛି ପ୍ରଶାସନ।

ଇଟାମାଟିରେ ଏହି ଦୁର୍ଘଟଣା ପଛର କାରଣ କଣ ତାହା ଜାଣିବାକୁ ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏପଟେ କିନ୍ତୁ ଖରାପ ରାସ୍ତା, ବହୁ ବର୍ଷ ତଳର ପୁରୁଣା ଓ ସଂକୀର୍ଣ୍ଣ ବ୍ରିଜକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ । ସେପଟେ ବିସ୍ଫୋରଣ ପରେ ଏ ବ୍ରିଜ୍ ଦୁର୍ବଳ ହୋଇଥିବା କହି, ଆଗକୁ ଏହାର ସ୍ଥାୟୀତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ ।

ରିପୋର୍ଟର- ବଳରାମ ଲେଙ୍କା