• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଓଡ଼ିଶାରେ ବର୍ଷକୁ ପ୍ରତି ଲକ୍ଷେ ଲୋକରେ ହତ୍ୟାକାଣ୍ଡ ନେଉଛି ୩ ଜୀବନ । କିନ୍ତୁ ଆତ୍ମହତ୍ୟାରେ ଚାଲିଯାଉଛି ୧୨ ପ୍ରାଣ । କେବଳ ଓଡ଼ିଶା କାହିଁକି, ଭାରତ ତଥା ସାରା ବିଶ୍ୱରେ ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ହାର ଢେର୍ ଅଧିକ । ଏ ତଥ୍ୟ ସାମ୍ନାକୁ ଆସିବା ପରେ ଚାରିଆଡ଼େ ଚର୍ଚ୍ଚା । ମାନସିକ ରୋଗ ବିଶେଷଜ୍ଞଙ୍କ ମତରେ ପରିବାର ଓ ସାଙ୍ଗସାଥୀଙ୍କ ସହଯୋଗ ରହିଲେ, କମିପାରିବ ଆତ୍ମହତ୍ୟାଜନିତ ମୃତ୍ୟୁ ।

ହତ୍ୟା ଅପରାଧ ରୋକିବାକୁ ଢେର୍ ସାରା ଅର୍ଥ, ସମୟ ଓ ଶକ୍ତି ଖଟାଉଛନ୍ତି ସରକାର । କିନ୍ତୁ ବାସ୍ତବତା ହେଉଛି, ହତ୍ୟାର ଶିକାର ହେଉଥିବା ଲୋକଙ୍କ ତୁଳନାରେ ଆତ୍ମହତ୍ୟାରେ ଜୀବନ ଯାଉଥିବା ଲୋକଙ୍କ ସଂଖ୍ୟା ଢେର୍ ଅଧିକ । ପ୍ରଶ୍ନ ଉଠୁଛି, ହତ୍ୟା ତୁଳନାରେ କାହିଁକି ଅଧିକ ରହୁଛି ଆତ୍ମହତ୍ୟା? ନ୍ୟାସନାଲ କ୍ରାଇମ୍ ରେକର୍ଡ୍ସ ବ୍ୟୁରୋ- NCRB ତଥ୍ୟ କହୁଛି, ଓଡ଼ିଶାରେ ହତ୍ୟାକାଣ୍ଡ ଯୋଗୁ ଯେତିକି ଲୋକଙ୍କ ମୃତ୍ୟୁ ହେଉଛି, ତା ତୁଳନାରେ ଆତ୍ମହତ୍ୟା ହାର ୩.୮ ଗୁଣା ।

୨୦୨୦ରେ ରାଜ୍ୟରେ ପ୍ରତି ଲକ୍ଷେ ଲୋକଙ୍କ ମଧ୍ୟରେ ହତ୍ୟାଜନିତ ମୃତ୍ୟୁହାର ଥିଲା ୩.୨ । ହେଲେ ଏ ସମୟରେ ଆତ୍ମହତ୍ୟା ହାର ଥିଲା ୧୨.୨, ଅର୍ଥାତ୍ ପ୍ରତି ଲକ୍ଷେ ଲୋକଙ୍କ ଭିତରୁ ୧୨ ଜଣ ଆତ୍ମହତ୍ୟା କରିଥିଲେ । କେରଳର ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୨୪ଗୁଣା, ଯାହାକି ଦେଶରେ ସର୍ବାଧିକ । ଏହାପଛକୁ ତେଲଙ୍ଗାନାରେ ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୧୦.୨ ଗୁଣା ରହିଛି । କିନ୍ତୁ ଦେଶର ଏକମାତ୍ର ରାଜ୍ୟ ଭାବେ ବିହାରରେ ଆତ୍ମହତ୍ୟା ତୁଳନାରେ ହତ୍ୟା ହାର ଅଧିକ । ସେଠାରେ ପ୍ରତି ଲକ୍ଷେ ଲୋକରେ ଆତ୍ମହତ୍ୟା ହାର ୦.୭ ଥିଲା ବେଳେ ହତ୍ୟା ହାର ରହିଛି ୨.୬ ।

ଏପଟେ ଦେଶର ପ୍ରତି ଲକ୍ଷେ ଲୋକରେ ହାରାହାରି ହତ୍ୟା ହାର ୨.୨ ଥିବା ବେଳେ ଆତ୍ମହତ୍ୟା ହାର ରହିଛି ୧୧.୩ । ଏନେଇ ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା କଥା, ଆତ୍ମହତ୍ୟାରେ ଜଣେ ନିଜର ଜୀବନ ନେଇଥାଏ । ଏଥିରେ ଆଇନ୍ ଦ୍ୱାରା ଦଣ୍ଡିତ ହେବାର ଭୟ ନାହିଁ । ତେବେ ହତ୍ୟା କରିବା ପାଇଁ ଏକ କାରଣ ଦରକାର । ଏଥିପାଇଁ ପୂର୍ବରୁ ଯୋଜନା କରିବାକୁ ପଡ଼ିଥାଏ । ଆଇନର ଭୟ ବି ରହୁଛି । ତେଣୁ ହତ୍ୟା ତୁଳନାରେ ଆତ୍ମହତ୍ୟା ଅଧିକ ରହୁଛି ।

କରୋନା ମହାମାରୀ ଯୋଗୁ ୨୦୨୦ରେ ଦେଶରେ ବଢ଼ିଯାଇଥିଲା ଆତ୍ମହତ୍ୟା । ୨୦୧୯ରେ ମୋଟ୍ ୧ ଲକ୍ଷ ୩୯ ହଜାର ୧୨୩ ଜଣ ଆତ୍ମହତ୍ୟା କରିଥିଲା ବେଳେ ୨୦୨୦ରେ ଏହା ୧୦ ପ୍ରତିଶତ ବଢ଼ି ୧ ଲକ୍ଷ ୫୩ ହଜାର ୫୨ରେ ପହଞ୍ଚିଥିଲା । କିନ୍ତୁ ମହାମାରୀ ସମୟରେ ଓଡ଼ିଶାର ଆତ୍ମହତ୍ୟା ସଂଖ୍ୟା ଜାତୀୟ ହାରଠୁ ଢେର୍ ଅଧିକ ଥିଲା । ୨୦୧୯ରେ ରାଜ୍ୟରେ ୪ ହଜାର ୫୮୨ ଜଣ ଲୋକ ଆତ୍ମହତ୍ୟା କରିଥିଲା ବେଳେ ୨୦୨୦ରେ ଏହି ସଂଖ୍ୟା ୨୦ ପ୍ରତିଶତ ବୃଦ୍ଧି ଘଟି ପହଞ୍ଚିଥିଲା ୫ ହଜାର ୫୪୬ରେ ।

ହତ୍ୟାଜନିତ ମୃତ୍ୟୁ ତୁଳନାରେ ଆତ୍ମହତ୍ୟା ସଂଖ୍ୟା କେବଳ ଭାରତରେ ନୁହେଁ, ସାରା ବିଶ୍ୱରେ ବି ଅଧିକ । ଜାପାନରେ ହତ୍ୟା ତୁଳନାରେ ଆତ୍ମହତ୍ୟା ହାର ୫୭ ଗୁଣା ଅଧିକ ବୋଲି ଜଣାପଡ଼ିଛି ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ