• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁଣି ଚର୍ଚ୍ଚାରେ ମନ୍ତ୍ରୀଙ୍କ ରିପୋର୍ଟ କାର୍ଡ । ମନ୍ତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ପୁଣିଥରେ ମାସିକିଆ ରିପୋର୍ଟ କାର୍ଡ ମାଗିବା ପରେ ପାୱାର କରିଡରରେ ଆଲୋଚନା । ପୂର୍ବରୁ ମନ୍ତ୍ରୀମାନେ ସବୁ ମାସର ପ୍ରଥମ ସପ୍ତାହରେ ପ୍ରଦର୍ଶନ ରିପୋର୍ଟ ଦେଉଥିଲେ, କିନ୍ତୁ କୋଭିଡ୍ ସମୟରେ କିଛି ମନ୍ତ୍ରୀ ଦେଉନଥିଲେ । ଆଉ ଏବେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ତତ୍ପରତା ପ୍ରକାଶ ପାଇଛି । ଯାହା ଆଗକୁ ମନ୍ତ୍ରୀମଣ୍ଡଳ ଅଦଳଦଳର ସଙ୍କେତ ବୋଲି ଚର୍ଚ୍ଚା ହେଉଛି ।

ପୁଣି ପାୱାର କରିଡରକୁ ଫେରିଲା ରିପୋର୍ଟ କାର୍ଡ । ମନ୍ତ୍ରୀଙ୍କ ପ୍ରଦର୍ଶନର ମାପଦଣ୍ଡକୁ ନେଇ ନେଇ ଚାଲିଛି ଚର୍ଚ୍ଚା । ମନ୍ତ୍ରୀମାନଙ୍କୁ ନିଜ ବିଭାଗର ମାସିକିଆ ପରଫରମାନ୍ସ ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀ । ୨୦୧୯ରେ ନୂଆ ମନ୍ତ୍ରିମଣ୍ଡଳ ଗଠନ ହେବା ପରେ, ସେବେଠୁ ସବୁ ମାସ ପ୍ରଥମ ସପ୍ତାହରେ ପ୍ରଦର୍ଶନ ରିପୋର୍ଟ ଦେବାକୁ କୁହାଯାଇଥିଲା । ହେଲେ କୋଭିଡ୍ ପାଇଁ କିଛି ମନ୍ତ୍ରୀ ଏହା ଦେଉନଥିଲେ ତାପରେ ବି ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ରିପୋର୍ଟ କାର୍ଡ ପ୍ରଦାନ କରୁନଥିଲେ ।

ତେଣୁ ପ୍ରତି ମାସ ପ୍ରଥମ ସପ୍ତାହରେ ରିପୋର୍ଟ କାର୍ଡ ଦେବାକୁ ଏବେ ମୁଖ୍ୟମନ୍ତ୍ରଙ୍କ କାର୍ଯ୍ୟାଳୟରୁ ମନ୍ତ୍ରୀମାନଙ୍କ କାର୍ଯ୍ୟାଳୟକୁ ଅବଗତ କରାଯାଇଛି । ମନ୍ତ୍ରୀଙ୍କ ମାସିକିଆ ଗସ୍ତ, ଫାଇଭ୍ ଟି ଇନିସେଏଟିଭ୍, ବିଭାଗରେ ନିଆଯାଇଥିବା ପଦକ୍ଷେପ, ନୂଆ ଯୋଜନା , ଲାଗୁ ହୋଇଥିବା ସରକାରୀ ଯୋଜନାର କାର୍ଯ୍ୟକାରିତା, ବିଭାଗରେ ରହିଥିବା ସମସ୍ୟା ଓ ବିଭାଗର ନିଆଯାଇଥିବା ସମୀକ୍ଷା ଆଦି ସଂପର୍କରେ ରିପୋର୍ଟରେ ଉଲ୍ଲେଖ ରହୁଥିଲା । ରିପୋର୍ଟ ଦେବାକୁ ପୁଣି ନିର୍ଦ୍ଦେଶ ପାଇବା ପରେ ଏବେ ମନ୍ତ୍ରୀମାନେ ତତ୍ପରତା ଦେଖାଇଛନ୍ତି ।

୨୦୧୯ ମେ ୨୯ରେ ନବୀନ ସରକାରଙ୍କ ପଞ୍ଚମ ପାଳିରେ ଗଠନ ହୋଇଥିବା ମନ୍ତ୍ରିମଣ୍ଡଳ ୩ବର୍ଷ ପୂରଣ କରିବାକୁ ଯାଉଛି । ତାଭିତରେ ପଞ୍ଚାୟତ ଓ ପୌର ନିର୍ବାଚନ ବି ସରି ଗଲାଣି । ତେଣୁ ଆଗକୁ ମନ୍ତ୍ରିମଣ୍ଡଳ ଅଦଳବଦଳର ନିଶ୍ଚିତ ଆଭାସ ମିଳିଲାଣି । ଏମିତିକି ରିପୋର୍ଟ କାର୍ଡ ମାଗିବା ସେ ଅନ୍ତର୍ଗତ କସରତ ବୋଲି ବି ଚର୍ଚ୍ଚା ହେଉଛି । ମନ୍ତ୍ରୀଙ୍କ ପରଫରମାନ୍ସ ରିପୋର୍ଟ, ନିର୍ବାଚନ ସମୟରେ ସେମାନଙ୍କ ସଫଳତା, ଦଳ ପ୍ରତି ଆନୁଗତ୍ୟ ଓ ୨୪ ସାଧାରଣ ନିର୍ବାଚନ ଗଣିତକୁ ଦେଖି ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ କରାଯିବା ଅନୁମାନ କରାଯାଉଛି ।

କେବଳ ସେତିକି ନୁହେଁ ପ୍ରଶାସନିକ ସ୍ତରରେ ଅଦଳବଦଳଠୁ ଆରମ୍ଭ କରି ବିଜେଡି ସାଙ୍ଗଠନିକ ସ୍ତରରେ ମଧ୍ୟ ପରିବର୍ତ୍ତନ ହେବାର ଆଭାସ ମିଳିଲାଣି । ନୂଆ ମନ୍ତ୍ରିମଣ୍ଡଳର ଚେହେରାକୁ ନେଇ ଆଗାମୀ ଦୁଇବର୍ଷ ସରକାର ଚାଲିବ ବୋଲି ରାଜନୀତି ସମୀକ୍ଷକଙ୍କ ମତ ଦେଇଛନ୍ତି।

ଏପଟେ ପଞ୍ଚାୟତ ଓ ପୌର ନିର୍ବାଚନ ପରେ ବିଜେପି ନିଜ ସଙ୍ଗଠନ ମଜଭୁତ୍ କରିବାକୁ ପ୍ରସ୍ତୁତ କରୁଛି ବ୍ଲୁପ୍ରିଣ୍ଟ । କଂଗ୍ରେସ ବି ନେତୃତ୍ୱ ପରିବର୍ତ୍ତନ ନେଇ ଅଙ୍କ କଷୁଛି । ତା ଭିତରେ ବିଜେଡି କୋର୍ସ କରକ୍ସେନ୍ କରି ନୂଆ ରଣୀନୀତି ସହ ୨୪ ରଣନୀତି ପ୍ରସ୍ତୁତି କରିବାକୁ ଯାଉଛି । ତେଣୁ ସେଇ ଅନୁସାରେ ସବୁ ସ୍ତରରେ ଏବେ ପରିବର୍ତ୍ତନ ହେବ ବୋଲି ଚର୍ଚ୍ଚା ହେଉଛି ।

ରିପୋର୍ଟର- ହରିହର ଚାନ୍ଦ