Advertisment

ଅନ୍ୟ ଜାତିରେ ବାହାହେଲା ଝିଅ; ୧୮ ଘଣ୍ଟା ପଡ଼ି ରହିଲା ମାଆର ଶବ, କାନ୍ଧ ଦେଲେନି ଗାଁ ଲୋକେ

ଅନ୍ୟ ଜାତିରେ ବିବାହ କରିଥିଲା ଝିଅ। ମରିଗଲା ପରେ ୧୮ ଘଂଟା ଘରେ ପଡି ରହିଲା ଶବ। ଶବ ସତ୍କାର କରିବା ତ ଦୂରର କଥା…ଘରକୁ ଆସିଲେନି ସାହିପଡ଼ିଶା। କାନ୍ଦି କାନ୍ଦି ଗୁହାରି କରୁଥିଲା ଝିଅ, ହେଲେ କେହି ଶୁଣିଲେନି। ଶେଷରେ ସ୍ୱେଚ୍ଛାସେବୀ ବୁଢୀ ମାଆର ଶବକୁ ଶ୍ମଶାନକୁ ନେଲେ, ମାଆ ମୁହଁରେ ମୁଖାଗ୍ନି ଦେଲା ଝିଅ

author-image
Otv Khabar Bureau
ଅଦ୍ୟତନ ହୋଇଛି
socially boycotted

socially boycotted

ଅନ୍ୟ ଜାତିରେ ଝିଅ ବାହା ହେଲା, ୧୮ ଘଣ୍ଟା ଧରି ଘର ଭିତରେ ମାଆର ଶବ ପଡ଼ିରହିଲା । ହୁଏତ ଏହି ଘଟଣା ଶୁଣିବା ପରେ ଆଶ୍ଚର୍ଯ୍ୟ ଲାଗିବ । ପ୍ରଶ୍ନ ଉଠୁଛି ଯେ ଆଜିର ସଭ୍ୟ ସମାଜରେ କଣ ମଣିଷ ଟିକିଏ ବି ବଦଳିନି? ମାଆ ଶବ ପାଖରେ ବାହୁନି ହୋଇ କାନ୍ଦୁଛି ଝିଅ । ମାଆ ଆଉ ଏ ଦୁନିଆରେ ନାହିଁ। ହେଲେ ତାକୁ ଶ୍ମଶାନ ନେବା ପାଇଁ କେହି ନାହିଁ। ୟାକୁ ତାକୁ ଗୁହାରି କଲେ ବି କେହି ଶୁଣିବାର ନାହିଁ। କାରଣ ଏଇ ଝିଅଟି କୁଆଡ଼େ ଅନ୍ୟ ଜାତିରେ ବିବାହ କରିଛି। ତେଣୁ ତା ବାପଘରକୁ ଗାଁରୁ ବାସନ୍ଦ କରିଥିଲେ ଗାଁ ଲୋକେ।

Advertisment

ସ୍ଥିତି ଏମିତି ହେଲା ଯେ, ମରିଗଲା ପରେ କାନ୍ଧ ଦେବାକୁ ଗାଁରୁ ସାହିପଡ଼ିଶା କେହି ଆସିଲେଣି । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଜିଲ୍ଲା ବୌଦ୍ଧ ବ୍ଲକ୍ ଅନ୍ତର୍ଗତ ବଲାସୀଙ୍ଗା ଗ୍ରାମରେ । ଏଇ ଗ୍ରାମର ସୁଲଭ ପ୍ରଧାନଙ୍କ ଝିଅ ଜମ୍ବୁ ପ୍ରଧାନ ଅନ୍ୟ ଏକ ଜାତିରେ ବିବାହ କରିଥିଲେ । ଅନ୍ୟ ଜାତିରେ ବିବାହ କରିବାରୁ ଗ୍ରାମବାସୀ ତାଙ୍କୁ ଗାଁରୁ ବାସନ୍ଦ କରିଥିଲେ। ହେଲେ ବିଳମ୍ବିତ ରାତିରେ ଜମ୍ବୁଙ୍କ ମାଆଙ୍କ ଦେହାନ୍ତ ହୋଇଥିଲା। ଆଉ ମାଆର ମୃତ୍ୟୁ ଖବର ପାଇବା ପରେ ଜମ୍ବୁ ବାପଘର ଗାଁକୁ ଧାଇଁ ଆସିଥିଲେ ମାଆର ଶବସତ୍କାର କରିବା ପାଇଁ ।

ହେଲେ ମାଆର ଶବକୁ ଛୁଇଁବା ପାଇଁ ଗ୍ରାମବାସୀଙ୍କ ବାରଣ ସତ୍ତ୍ୱେ ଘର ଏରୁଣ୍ଡି ରେ ଜଗି ବସି ରହିଥିଲେ। ଜନ୍ମ କଲା ମାର ଶବ ସତ୍କାର ପାଇଁ ସତେ ଯେପରି ଅକ୍ଷମ ହୋଇପଡ଼ିଥିଲେ ଝିଅ । ବାରମ୍ବାର ଗୁହାରି ପରେ ବି ମାଆଙ୍କ ସବ ସତ୍କାର କରିବା ପାଇଁ ଗାଁ ଲୋକେ ଆସିନଥିଲେ। ତେବେ ଝିଅର କେହି ନଥିବାରୁ ଏବଂ ଜାତି ଭେଦ ପାଇଁ ଗ୍ରାମବାସୀ ମଧ୍ୟ ପାଖକୁ ଆସିଲେ ନାହିଁ। ଆଉ ଏହି ଖବର ସହରର ଗଙ୍ଗାଧର ମେହେର ସ୍ବେଛାସେବୀ ସଂଗଠନ ପାଖରେ ପହଞ୍ଚିବା ପରେ ସଂଗଠନ ଶବ ସତ୍କାର ପାଇଁ ଆଗେଇ ଆସିଥିଲା।

Advertisment

ଶବକୁ ଉଦ୍ଧାର କରି ମହାପ୍ରୟାଣ ଗାଡ଼ି ଦ୍ଵାରା ରାଜଘାଟକୁ ନେବା ସହିତ ଝିଅ ଜମ୍ବୁଙ୍କୁ ମୁଖାଗ୍ନି ଦେବାର ସମସ୍ତ ପ୍ରକାର ସହଯୋଗ ବି କରିଥିଲା। ଶେଷରେ ମାଆକୁ ଝିଅ ଜମ୍ବୁ ହିଁ ମୁଖାଗ୍ନି ଦେଇଥିଲେ ।

ରିପୋର୍ଟର- ଦୀପକ ଆଦାର

Special Story Socially Boycotted
Advertisment
Advertisment