• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୟୁଟ୍ୟୁବ୍‌ ଦେଖି ଜୁସ୍‌ ମେସିନ୍‌ ତିଆରି କଲେ ଯୁବକ । ତାହା ପୁଣି ଏମିତି ସେମିତି ଜୁସ୍‌ ମେସିନ୍‌ ନୁହେଁ ବରଂ ଆଖୁ ଜୁସ୍‌ ମେସିନ । ଆଉ ଏହି ମେସିନରୁ ତିଆରି ହେଉଥିବା ଜୁସ୍‌ ଅଧିକ ଦିନ ପର୍ଯ୍ୟନ୍ତ ଭଲ ବି ରହିବ । ନୟାଗଡ଼ ଯୁବକଙ୍କ ଏହି ଜୁସ୍‌ ମେସିନକୁ ନେଇ ସ୍ଥାନୀୟ ଅଞ୍ଚଳରେ ବି ବେଶ୍‌ ଚର୍ଚ୍ଚା ଚାଲିଛି ।

ଆଖୁ ଚାଷରେ ନୟଗାଡ଼ ପୂରା ରାଜ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି । ମାତ୍ର ନୟାଗଡରେ ଥିବା ଚିନିକଳ ବନ୍ଦ ହେବା ପରେ ଆଖୁ ବିକ୍ରି କମିଗଲା । ତେଣୁ ଆଖୁ ଚାଷ କରିବା ବି ବନ୍ଦ କରିଦେଲେ ଚାଷୀ । କିନ୍ତୁ ଆଖୁ ରସ ପାଇଁ କିଛି ଚାଷୀ ଏବେ ବି ଚାଷ କରୁଛନ୍ତି । ଆଉ ସେହି ଆଖୁ ରସକୁ କେମିତି ଅଧିକ ଦିନ ସୁରକ୍ଷିତ ରଖାଯାଇପାରିବ, ସେନେଇ ଚିନ୍ତା କରିବା ପରେ ୟୁଟ୍ୟୁବ ଦେଖି ଏହି ମେସିନକୁ ତିଆରି କରିଛନ୍ତି ନୟାଗଡ଼ର ଯୁବକ ମାନସ ପାଢୀ ।

ୟୁଟ୍ୟୁବ ଦେଖି ଜ୍ଞାନକୌଶଳ ହାସଲ ପରେ ବିଭିନ୍ନ ରାଜ୍ୟରୁ ୧୦ ଲକ୍ଷ ଟଙ୍କାରେ ମେସିନ କିଣି ଆଣି ନିଜ ଗାଁ ମୃତ୍ୟୁଞ୍ଜୟପୁରରେ କରିଛନ୍ତି ଆଖୁ ଜୁସ କାରଖାନା l ପ୍ରଥମେ ଆଖୁ କାଟି ତାକୁ ଭଲ ଭାବରେ ସଫା କରି ଷ୍ଟିଲକେନ ମେସିନ ଦ୍ୱାରା ଗ୍ରାଇଣ୍ଡିଙ୍ଗ କରି ଆଖୁରସ ସଂଗ୍ରହ କରାଯାଉଛି । ପରେ ତାକୁ ବିଭିନ୍ନ ମେସିନ ଦ୍ୱାରା ଫିଲଟର କରି ନିର୍ଦ୍ଧିଷ୍ଟ ତାପମାତ୍ରାରେ ଫୁଟାଇବା ପରେ ବୋତଲରେ ପ୍ୟାକିଙ୍ଗ କରାଯାଏ । ଏଥିରେ ଆଖୁରସ ସହ ଅଦା, ଗୋଲମରିଚ, ପୋଦିନା ପତ୍ର ଓ ଟଭା ପତ୍ରକୁ ଭଲରେ ଫେଣ୍ଟାଯାଏ । ଆଉ ଶେଷରେ ପ୍ରସ୍ତୁତ ହେଉଥିବା ଆଖୁରସ ସ୍ୱାଦ ଓ ଔଷଧୀୟ ଗୁଣରେ ଭରପୁର ଥାଏ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ମେସିନ୍‌ରେ ତିଆରି ହେଉଥିବା ଆଖୁରସ ପାଖାପାଖି ୩ ମାସ ପର୍ଯ୍ୟନ୍ତ ଭଲ ରହୁଛି । ତେବେ ଆଗାମୀ ଦିନରେ ଏହି ଆଖୁ ରସକୁ ତିନି ମାସ ବଦଳରେ ୬ ମାସ ରଖିବାକୁ ମାନସ ଉଦ୍ୟମ କରୁଥିବା କହିଛନ୍ତି । ସମୟ ବଦଳିବା ସହ ଏବେ ଆଖୁଚାଷ ବି କମିଗଲାଣି । ଆଉ ରାସ୍ତା କଡରେ ବି ଆଖୁ ରସର ପସରା ମେଲୁନି । ଆଉ ଯେଉଁ ହାତଗଣତି କେତେ ଜାଗାରେ ଆଖୁ ରସ ମିଳୁଛି, ତାହା ଗୋଟିଏ ଦିନ ବାହାରେ ରଖିଲେ ଖରାପ ହୋଇଯାଉଛି ।

ଏଭଳି ସମୟରେ ୩ ମାସରୁ ଅଧିକ ସମୟ ଧରି ଆଖୁ ଜୁସ୍‌କୁ ସତେଜ ରଖିବାକୁ ମେସିନ୍‌ ତିଆରି କରିଥିବା ମାନସଙ୍କୁ ନେଇ ଏବେ ସବୁଠି ଚର୍ଚ୍ଚା । ମାନସ ନିଜେ ଆଖୁ ଜୁସ୍‌ରୁ ଭଲ ଦୁଇ ପଇସା ରୋଜଗାର କରିବା ସହିତ ପାଖଆଖ ଅଞ୍ଚଳର ଲୋକ ବି ରୋଜଗାର ପାଉଛନ୍ତି । ମୋଟ୍‌ ଉପରେ ବଜାରରେ ମିଳୁଥିବା ଜୁସ୍‌ରେ ଅନେକ ପ୍ରକାର କେମିକାଲ ମିଶୁଛି, ହେଲେ ଏହି ଆଖୁ ରସରେ କୌଣସି ରାସାୟନିକ ପଦାର୍ଥ ମିଶୁନାହିଁ । ତେଣୁ ଏହା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ମାନସ କହିଛନ୍ତି ।

ରିପୋର୍ଟର- ଆର୍ତ୍ତତ୍ରାଣ ପ୍ରଧାନ