Advertisment

ସରକାର ଶୁଣିଲେନି, ଗାଁ ରାସ୍ତା ତିଆରି ପାଇଁ ଭିକ ମାଗୁଛନ୍ତି ସରପଞ୍ଚ ଓ ସମିତିସଭ୍ୟ

ସରପଂଚ ହେବ ତ ଏମିତି। ଗାଁ ରାସ୍ତା ପାଇଁ ଘରକୁ ଘର ବୁଲି ମାଗିଲେ ଭିକ। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ବି ରାସ୍ତା କାମ ନହେବାରୁ ଏମିତି ଅଭିନବ ଉପାୟରେ ଭିକ ମାଗି ରାସ୍ତା ତିଆରି ପାଇଁ ନେଲେ ନିଷ୍ପତ୍ତି।

author-image
Manoranjan Behera
Sarpanch, Samiti Members

Sarpanch, Samiti Members

ହାତରେ ଜରି ବ୍ୟାଗ୍‌ ଅଛି । ଆଉ ଘରକୁ ଘର ବୁଲି ଭିକ ମାଗୁଛନ୍ତି ସରପଂଚ ଓ ସମିତିସଭ୍ୟ । ଆଉ ଲୋକମାନେ ବି ଯିଏ ଯେତିକି ପାଇଲେ ଟଙ୍କା ଦେଉଛନ୍ତି।  ଆଉ ଲୋକଙ୍କୁ କହୁଛନ୍ତି ଗାଁ ରାସ୍ତା ପାଇଁ ଆମେ ପ୍ରଶାସନ ପାଖରେ ବାରମ୍ବାର ଗୁହାରି କରିଛୁ ହେଲେ କେହି ଶୁଣିଲେନି । ତେଣୁ ଆମେ ମାନେ ବୁଲି ବୁଲି ଏମିତି ଟଙ୍କା ସଂଗ୍ରହ କରିବୁ ଆଉ ସେଇ ଟଙ୍କାରେ ଗା ରାସ୍ତା ନିର୍ମାଣ କରିବୁ ।

Advertisment

କେନ୍ଦ୍ରାପଡା ରାଜକନିକା ବ୍ଲକ ପେଗରପଡା ପଂଚାୟତରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଏହି ପଂଚାୟତର ୧ ଓ ୫ ନମ୍ବର ୱାର୍ଡକୁ ସଂଯୋଗ କରୁଥିବା ରାସ୍ତାରେ ଆଣ୍ଠୁଏ ଉଚ୍ଚର ପାଣି ଜମୁଥିବା ସହ ପଚପଚ କାହୁଅ ବି ହେଉଥିଲା । ଯାହା ଫଳରେ ରାସ୍ତାରେ ଗଲାବେଳେ ନାହିଁ ନଥିବା ଅସୁବିଧାର ସାମ୍ନା କରୁଥିଲେ ଲୋକେ ।

ନିର୍ବାଚନ ସମୟରେ ରାସ୍ତା ନିର୍ମାଣ ପାଇଁ ପ୍ରତିଶ୍ରୁତି ଦେଇଥିଲେ ସରପଂଚ । ହେଲେ ଏ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ହେଲାନି । ଗାଁକୁ ଭଲ ରାସ୍ତା ଲାଗି ପ୍ରଶାସନକୁ ବାରମ୍ବାର ଅନୁରୋଧ କରାଯିବା ପରେ ବି ପ୍ରଶାସନ ରାସ୍ତା କରୁନଥିବା ଅଭିଯୋଗ ଆଣିଛନ୍ତି ସରପଂଚ ଓ ସମିତିସଭ୍ୟ । ଏମିତିକି ବିଡ଼ିଓ ଓ ଜିଲ୍ଲାପାଳଙ୍କୁ ଲିଖିତ ଅଭିଯୋଗ କରିବା ପରେ ବି ସମସ୍ୟାର ସମାଧାନ ହେଲାନି ।

Advertisment

ବାରମ୍ବାର ଅଭିଯୋଗ ପରେ ବିଡିଓ ସିନା କନିଷ୍ଠ ଯନ୍ତ୍ରୀ ଓ ପିଇଓଙ୍କୁ ଘଟଣାସ୍ଥଳକୁ ପଠାଇ ସ୍ଥିତି ଅନୁଧ୍ୟାନ କରିବା ପାଇଁ ନିର୍ଦ୍ଦେଶ ଦେଲେ । ହେଲେ ସେହି ଦୁଇ ବାବୁ ମାଟି ପକାଇ ଢଳେଇ ରାସ୍ତା କରିଦେବାକୁ ସରପଞ୍ଚଙ୍କୁ କହିଥିଲେ। ହେଲେ ମାଟି ପକାଇ ରାସ୍ତା ତିଆରି ହେବା ଆରମ୍ଭ ହେବା ବେଳକୁ ପିଇଓ ହଠାତ୍‌ କାମ ବନ୍ଦ କରିବା ପାଇଁ କହିଥିବା ଅଭିଯୋଗ କରିଛନ୍ତି ସରପଂଚ। ତେବେ ଲୋକଙ୍କୁ ଦେଇଥିବା ପ୍ରତିଶ୍ରୁତିକୁ ପୂରଣ କରିବା ଲାଗି କୌଣସି ଉପାୟ ନପାଇ ଶେଷରେ ଦୁଆର ଦୁଆର ବୁଲି ଭିକ ମାଗୁଛନ୍ତି ସରପଂଚ ଓ ସମିତିସଭ୍ୟ।

ସେପଟେ ଏହି ଅଭିଯୋଗ ଖଣ୍ଡନ କରିଛନ୍ତି କେନ୍ଦ୍ରାପଡା ଜିଲ୍ଲାପାଳ ଅମ୍ରିତ ଋତୁରାଜ । ସେ କହିଛନ୍ତି, ରାସ୍ତା ନିର୍ମାଣ ପାଇଁ ଟଙ୍କା ଏଷ୍ଟିମେଟ୍‌ କରାଯିବ। ପରେ ପଂଚାୟତ କିମ୍ବା ବ୍ଲକ୍‌ ଅନୁଦାନରେ ରାସ୍ତା ନିର୍ମାଣ କରାଯିବ । ତେବେ ଏଠାରେ ପ୍ରଶ୍ନ ଉଠୁଛି, ପ୍ରଶାସନ ଓ ରାଜନୈତିକ ଦ୍ୱନ୍ଦ୍ୱ ଭିତରେ କାହିଁକି ଛନ୍ଦି ହେବେ ପଂଚାୟତବାସୀ? ତାହାକୁ ନେଇ ଚର୍ଚ୍ଚା ଚାଲିଛି।

ଖାଲି ଏତିକି ନୁହେଁ ବରଂ କରୋନା ସମୟରେ ସରପଂଚଙ୍କୁ କଲେକ୍ଟର କ୍ଷମତା ଦେଇଥିଲେ ମୁଖ୍ୟମନ୍ତ୍ରୀ। କିନ୍ତୁ ସେହି ସରଂପଚ ଏବେ ସାମାନ୍ୟ ରାସ୍ତାଟିଏ ପାଇଁ ବାରଦୁଆର ବୁଲୁଛନ୍ତି । ଯାହା ସରକାରଙ୍କ ପାରିବା ପଣିଆକୁ ପଦାରେ ପକାଇଛି।

ରିପୋର୍ଟର- କେନ୍ଦ୍ରାପଡା ଆଳିରୁ ବନମାଳୀ ସାହୁ

Beg To Repair Road Special Story Sarpanch Samiti Members
Advertisment
Advertisment