• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଅମଳ ବେଳ ହେଲାଣି, ହେଲେ ଧାନ ଗଛରେ କେନ୍ଦା ବାହାରୁନି । ଯେଉଁ ସମୟରେ ସୁନାର ଫସଲ ଫଳିବାର କଥା ସେହି ସମୟରେ ବିଲ ଫାଟି ଆଁ କରିଛି । ହଜାର ହଜାର ଟଙ୍କା ଖର୍ଚ୍ଚ କରି ଚାଷ କରିଥିବା ଚାଷୀ ଯେତେବେଳେ ଏହି ଦୃଶ୍ୟ ଦେଖୁଛି ତାହା ଆଖିରେ ବି ପାଣି ଜକେଇ ଆସୁଛି ।

ଏଭଳି ଦୃଶ୍ୟ ହେଉଛି ଜଗତସିଂହପୁର ଜିଲ୍ଳାର ବାଲିକୁଦା ବ୍ଲକ୍ ଅରିଲୋ ଗାଁର । ଠିକ୍‌ ଟାଇମ୍‌ରେ ବର୍ଷା ତ ହେଲାନି ଆଉ କେନାଲରେ ପାଣି ବି ଆସିଲାନି । ଆଖି ସାମ୍ନାରେ ଯେତେବେଳେ ନିଜ ସୁନାର ଫସଲ ଉଜୁଡିଯିବାକୁ ବସିଛି, ସେତେବେଳେ ଚଷା ପୁଅ କରିବ ବା କଣ ? ଧାରଉଧାର କରି ମଟର ଲଗେଇ କ୍ଷେତକୁ ପାଣି ମଡାଉଛି । ହେଲେ ସେତିକି ପାଣି ସମୁଦ୍ରକୁ ଶଙ୍ଖେ ।

ବର୍ଷା ସାଙ୍ଗକୁ ଦାଉ ସାଜିଛି କେନାଲ ପାଣି । ଠିକ୍‌ ସମୟରେ ସଫେଇ ନହେବା କାରଣରୁ ବିଲରେ ପାଣି ପହଞ୍ଚିଲାନାହିଁ । ପ୍ରତିବର୍ଷ ଜଳକର ଦେଇ ଆସୁଥିବା ଚାଷୀ ଏବେ ମଟର ଯୋଗେ ପାଣି ମଡାଇ ଅଧିକ ଖର୍ଚ୍ଚାନ୍ତ ହେଉଥିବା ଅଭିଯୋଗ କରିଛନ୍ତି । ଗୋଟିଏ ପଟେ ବର୍ଷାର ଅଭାବ ଏବଂ ଅନ୍ୟପଟେ କେନାଲ ପାଣି ସଙ୍କଟ ଏବେ ଜଗତସିଂହପୁର ଜିଲ୍ଳାର ଚାଷୀମାନଙ୍କ ପାଇଁ ହତାଶାର କାରଣ ପାଲଟିଛି । ତୁରନ୍ତ ଧାନଜମିକୁ ପାଣି ଯୋଗାଇବାର ବ୍ୟବସ୍ଥା କରିବାକୁ ଚାଷୀମାନେ ଦାବି କରିଛନ୍ତି ।

ତେବେ ଚାଷୀଙ୍କ ସମସ୍ୟା ସଂପର୍କରେ ଜଗତସିଂହପୁର ଜଳସେଚନ ବିଭାଗର ଅଧୀକ୍ଷଣଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ରୋଟେସନରେ ସମସ୍ତ ଜମିକୁ ପାଣି ଯୋଗାଇବା ପାଇଁ ଚେଷ୍ଟା କରାଯାଉଛି । କିନ୍ତୁ ଲୋକମାନଙ୍କ ସହଯୋଗ ନମିଳିବାରୁ ସମସ୍ୟା ସୃଷ୍ଟି ହେଉଛି । ତଥାପି ପୋଲିସ ସହାୟତାରେ ପାଣି ମଡାଇବାକୁ ଉଦ୍ୟମ ଜାରି ରଖାଯାଇଛି ।

ତେବେ ଚାଷୀଙ୍କର ଅସୁବିଧାକୁ ନେଇ ପୂରା ଜିଲ୍ଲାରେ ଜୋରଦାର ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ତୁରନ୍ତ ଏ ସମସ୍ୟାର ସମାଧାନ ପାଇଁ ଜୋର ଧରିଛି ଦାବି ।

(ରିପୋର୍ଟର- ଜଗତସିଂହପୁରରୁ ଶଶାଙ୍କ ଶେଖର ପଣ୍ଡା)