• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭାରତୀୟ ସେୟାର ମାର୍କେଟକୁ ଆସିଲା ବହୁ ପ୍ରତିକ୍ଷିତ ଏଲ୍ଆଇସି ଆଇପିଓ । ୯ ଯାଏଁ ଖୋଲା ଥିବା ଏହି ଆଇପିଓର ୫୦ ପ୍ରତିଶତ ପ୍ରଥମ ଦିନରେ ହିଁ ବିକ୍ରି ହୋଇସାରିଛି । ଆଇପିଓ ଆସିବା ପରେ ନିବେଶକ ତ ଖୁସି, ହେଲେ କର୍ମଚାରୀ ଓ ବୀମାଧାରୀ ଚିନ୍ତାରେ ରହିଲେଣି । ସେଥିପାଇଁ ସବୁଠି ବିରୋଧର ସ୍ୱର ଦେଖିବାକୁ ମିଳିଛି । ଅନ୍ୟପଟେ ନିଷ୍ପତ୍ତି ଯୋଗୁଁ ସବୁ ଅଂଶୀଦାର ଲାଭବାନ ହେବେ ବୋଲି ମତ ରଖିଛନ୍ତି ବିଶେଷଜ୍ଞ ।

ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି । ଭାରତୀୟ ସେୟାର ବଜାରର ସର୍ବବୃହତ ଇନିସିଆଲ୍ ପବ୍ଲିକ୍ ଅଫର୍ ବା ଆଇପିଓ ଖୋଲିଛି । ଭାରତୀୟ ଜୀବନ ବୀମା ନିଗମ- ଏଲ୍ଆଇସି ପକ୍ଷରୁ ଏହି ଆଇପିଓ ଆଜିଠାରୁ ମେ ୯ ତାରିଖ ଯାଏଁ ଖୋଲା ରହିବ । କିନ୍ତୁ ଆଜି ପ୍ରଥମ ଦିନରେ ହିଁ ୫୧ ପ୍ରତିଶତ ଆଇପିଓ ଅଧିଗୃହିତ ହୋଇସାରିଛି । ଅର୍ଥାତ୍ ନିବେଶକମାନେ ଏହି ପରିମାଣର ଆଇପିଓ କିଣି ସାରିଛନ୍ତି ।

ଏଲ୍ଆଇସିର ପଲିସିଧାରୀଙ୍କ ପାଇଁ ଯେତିକି ଆଇପିଓ ସଂରକ୍ଷିତ ରଖାଯାଇଥିଲା, ତାହା ତୁଳନାରେ ୬୯ ପ୍ରତିଶତ ଅଧିକ ଆବେଦନ ଆସିଛି । ସେହିପରି କର୍ମଚାରୀଙ୍କ ପାଇଁ ସଂରକ୍ଷିତ ଅଂଶର ୯୦ ପ୍ରତିଶତ ଅଧିଗୃହିତ ହୋଇ ସାରିଛି । ଏଲ୍ଆଇସିର ପବ୍ଲିକ୍ ଅଫର୍ ଜରିଆରେ ସରକାର ଦେଶର ସର୍ବବୃହତ ଜୀବନ ବୀମା କମ୍ପାନିରୁ ୩.୫ ପ୍ରତିଶତ ପୁଞ୍ଜି ପ୍ରତ୍ୟାହାର କରି ୨୧ ହଜାର କୋଟି ଟଙ୍କା ରାଜସ୍ୱ ହାସଲ ପାଇଁ ଲକ୍ଷ୍ୟ ରଖିଛନ୍ତି ।

 

ତେବେ ସଭିଙ୍କ ମନରେ ପ୍ରଶ୍ନ, ଶହେ ପ୍ରତିଶତ କେନ୍ଦ୍ର ମାଲିକାନାରେ ଥିବା ଏଲ୍ଆଇସିରୁ କାହିଁକି ପୁଞ୍ଜି ପ୍ରତ୍ୟାହାର ନିଷ୍ପତ୍ତି ନେଲେ ସରକାର ? ନିଜ ଆର୍ଥିକ ଚାହିଦା ପୂରଣ ପାଇଁ ନା ଅନ୍ୟ କିଛି କାରଣ ? ଏଲ୍ଆଇସିର ଆଇପିଓ ସାଧାରଣ ଜୀବନ ବୀମାଧାରୀଙ୍କ ଅର୍ଥକୁ ବିପଦରେ ପକାଇବନି ତ ? ଅର୍ଥନୀତି ବିଷାରଦଙ୍କ ମତରେ, ଜୀବନ ବୀମାଧାରୀଙ୍କ ଅର୍ଥ ସମ୍ପୂର୍ଣ୍ଣ ସୁରକ୍ଷିତ ବରଂ ସେମାନେ ଏହାଯୋଗୁ ଅଧିକ ଲାଭବାନ ହେବେ ।

ପୂର୍ବରୁ ବୀମାଧାରୀଙ୍କ ନିକଟରୁ ସଂଗ୍ରହ କରୁଥିବା ଅର୍ଥକୁ ଏଲ୍ଆଇସି କେଉଁଠି ନିବେଶ କରୁଥିଲା, କେହି ଜାଣି ପାରୁ ନ ଥିଲେ । ଏଲ୍ଆଇସି ଆକ୍ଟ ଅନୁସାରେ କେବଳ ଏଲ୍‌ଆଇସି ଓ ସରକାର ଜାଣୁଥିଲେ । କିନ୍ତୁ ଏବେ ଏହା ସେୟାର ବଜାରକୁ ଆସିବା ପରେ ଏଲ୍ଆଇସିର ପ୍ରତି ଟଙ୍କାର ପୁଞ୍ଜିନିବେଶ ନେଇ ସବିଶେଷ ତଥ୍ୟ ସାର୍ବଜନୀନ ହେବ । ଲୋକମାନେ ନିଜ ସଞ୍ଚିତ ଅର୍ଥ ତଥା ନିବେଶ ସମ୍ପର୍କରେ ସବୁକିଛି ଜାଣି ପାରିବେ । ଏଣୁ ଲୋକଙ୍କ ଅର୍ଥର ପୁଞ୍ଜିନିବେଶ ନେଇ ଅଧିକ ସଚେତନ ରହିବ ଏଲ୍ଆଇସି ।

ହେଲେ ଏଲ୍ଆଇସିର ଆଇପିଓକୁ ବିରୋଧ କରି ଦ୍ୱୈତନଗରୀ କଟକ ଓ ଭୁବନେଶ୍ୱରରେ ପ୍ରତିବାଦ ଦେଖିବାକୁ ମିଳିଥିଲା । କଟକ ଏଲ୍ଆଇସି ମଣ୍ଡଳ କାର୍ଯ୍ୟାଳୟରେ କର୍ମଚାରୀମାନେ ୨ ଘଣ୍ଟିଅା ଧର୍ମଘଟ କରି ସରକାରଙ୍କ ଏ ନିଷ୍ପତ୍ତିକୁ ପ୍ରତ୍ୟାହାର ଦାବି କରିଥିଲେ । ଅନ୍ୟପଟେ ଏ ନିଷ୍ପତ୍ତି ଦ୍ୱାରା ପୁଞ୍ଜିପତି ଲାଭବାନ ଆଉ ହିତାଧିକାରୀ କ୍ଷତିଗ୍ରସ୍ତ ହେବେ ବୋଲି ଅଭିଯୋଗ କରି ଭୁବନେଶ୍ୱର ସ୍ଥିତ ଏଲ୍ଆଇସି ମୁଖ୍ୟ କାର୍ଯ୍ୟାଳୟ ନିକଟରେ ପ୍ରତିବାଦ କରିଥିଲେ ସିପିଆଇ ଓ ସିପିଆଇ-ଏମ୍ ।

ରିପୋର୍ଟର- ପ୍ରଭାତ ବିଷୋୟୀ, ସୌମ୍ୟରଞ୍ଜନ ସାହୁ ଓ କପିଳେନ୍ଦ୍ର ପ୍ରଧାନ