/odishatv-khabar/media/post_attachments/uploadimage/library/16_9/16_9_0/IMAGE_1649673163.jpg)
Wildlife Smuggler
ନାଇଁ ନାଇଁରେ ବାବା । ୟାଙ୍କ ଠାଣିକୁ ଦେଖନ୍ତୁ, ଆଉ ୟାଙ୍କ ରୂପକୁ ଦେଖନ୍ତୁ। ଯାହାକୁ ଦେଖିଲେ ବନ୍ୟଜନ୍ତୁ ଜୀବନ ବଂଚାଇବା ପାଇଁ ଧାଉଁଥିଲେ । ବନକର୍ମଚାରୀଙ୍କ ଛାତିରେ ଛନକା ପଶୁଥିଲା। ଦିନେ ଇଏ ଜଙ୍ଗଲର ବିରାପାନ ଥିଲେ। ଜନ୍ତୁ ଶିକାରୀ ମାନଙ୍କର ମାଷ୍ଟର ମାଇଣ୍ଡ ଥିଲେ । ପଶୁ ଶିକାରୀଙ୍କ ସର୍ଦାର ବୋଲାଉଥିବା ଖୁକୁନକୁ ଧରିବାକୁ ନାକେଦମ ହେଉଥିଲା ବନବିଭାଗ । ଆଇନକୁ ଆଇନା ଦେଖାଇ ଚୁଟକିରେ ପୋଲିସ ହାତରୁ ଖସିଯାଉଥିଲା ଟୁକୁନ ।
ସମୟ ବଦଳିଛି, ସ୍ୱଭାବ ମଧ୍ୟ ବଦଳିଛି। ଟୁକୁନ ଏବେ ଚଣ୍ଡାଶୋକରୁ ଧର୍ମାଶୋକ ପାଲଟି ଯାଇଛନ୍ତି। ଯିଏ ଦିନେ ଜଙ୍ଗଲରେ ବୁଲି ଶିକାର କରୁଥିଲା ସିଏ ଆଜି ଜଙ୍ଗଲୀ ଜାନୱାରଙ୍କ ପ୍ରେମରେ ପାଗଳ। ଯାହାକୁ ଜଙ୍ଗରେ ପୂରାଇ ନଦେବା ପାଇଁ ବନବିଭାଗ ଦିନରାତି ଏକକରି ଡ୍ୟୁଟି କରୁଥିଲା ସିଏ ଆଜି ବନବିଭାଗ କର୍ମଚାରୀଙ୍କ ସହ ମିଶି ଜଙ୍ଗଲ ଜଗୁଛି। ଏ ହେଉଛନ୍ତି କୁଳଡିହା ଅଭୟାରଣ୍ୟ ନିକଟ ଚେକାମରା ବିଟ ଅଧିନ ବାଲିଚୁଆ ଗ୍ରାମର ଗଙ୍ଗାଧର ସିଂ ଓରଫ ଖୁକୁନ। ଡେମା ଡେମା ନାଲି ଆଖି ସାଙ୍ଗକୁ ମୋଟା ନିଶ ।
ଦିନେ ଖୁକୁନର ନାଁ ଶୁଣିଲେ ଜଙ୍ଗଲୀ ଜନ୍ତୁଙ୍କ ସମେତ ବନକର୍ମଚାରୀଙ୍କ ଭିତରେ ବି ଭାଳେଣି ପଡିଯାଉଥିଲା। ୨୦୦୭ ମସିହାରେ ହାତୀ ଶିକାର ମାମଲାରେ ତିନିମାସ ବିଚାରଧୀନ କଏଦୀ ଭାବେ ଜେଲରେ ରହି ନିର୍ଦ୍ଦୋଷରେ ଖଲାସ ବି ହୋଇଯାଇଥିଲା। କିନ୍ତୁ ଶିକାର ଛାଡ଼ିନଥିଲା। ହେଲେ ଗୋଟେ ଗୁରାଣ୍ଡି ଖୁକୁନର ଜୀବନ ବଦଳାଇ ଦେଲା । ଦିନେ ଶିକାର ସମୟରେ ତାକୁ ତିର ମାରି ଶିକାର ତ କରିଦେଲା, ହେଲେ ଧରିବାକୁ ଯିବା ସମୟରେ ଗୁରାଣ୍ଡିଟି ଶିଙ୍ଘ ଭୁଶି ଖୁକୁନର ଗୋଡ଼ରେ ଗଭୀର ଆଘାତ ଦେଇଥିଲା।
ବହୁଦିନ ଯନ୍ତ୍ରଣା ଅନୁଭବ କରିବା ପରେ ଜନ୍ତୁଙ୍କୁ ଶିକାର ସମୟରେ ତାଙ୍କୁ ହେଉଥୁବା ଯନ୍ତ୍ରଣାକୁ ଖୁକୁନ ଅନୁଭବ କରିପାରିଥିଲେ । ସେହିଦିନ ଠୁଁ ଶିକାର କୁ ଛାଡି ସାଧାରଣ ଜୀବନ ଜିଇଁବା ଆରମ୍ଭ କରିଦେଲେ ଖୁକୁନ। ଖୁକୁନର ଏ ପରିବର୍ତ୍ତନ ଦେଖି ସେଠିକାର ଫରେଷ୍ଟର ଦାୟିତ୍ୱରେ ଥିବା ନରେଶ ତାଙ୍କୁ ସବୁଜ ବାହିନୀରେ ଯୋଗ ଦେବାକୁ ସୁଯୋଗ ଦେଇଥିଲେ। ଆଉ ଖୁକୁନ୍ ଏବେ ଜଙ୍ଗଲକୁ ସୁରକ୍ଷା ଦେବା ସହ କେମିତି ପଶୁମାନେ ନିରାପଦରେ ରହିବେ ସେନେଇ ଅନେକ କାମ କରୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)