• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାମୀ-ସ୍ତ୍ରୀଙ୍କ କଳି । ଏହା ସାଧାରଣ କଥା ବା ଘଟଣା। କିନ୍ତୁ ଏବେ ବେଳେ ବେଳେ ସ୍ୱାମୀ-ସ୍ତ୍ରୀଙ୍କ କଳି ଏମିତି ହେଉଛି ଯେ, ଘରର ବନ୍ଦ କୋଠରୀରୁ ଯାଇ ହାଟରେ ଗଡୁଛି । ରାସ୍ତାଘାଟରେ ଚର୍ଚ୍ଚାର ବିଷୟ ପାଲଟୁଛି । ଆଗରୁ ଯାହା ଘରେ ବା ମଧ୍ୟସ୍ଥିଙ୍କ ଦ୍ୱାରା ତୁଟିଯାଉଥିଲା, ତାହା ଆଉ ଏବେ ସମ୍ଭବ ହେଉନି । ସ୍ୱାମୀ-ସ୍ତ୍ରୀ ନିଜ ନିଜ ଜିଦରେ ଅଟଳ ରହୁଛନ୍ତି । ଆସନ୍ତୁ ନଜର ପକାଇବା ରାଜ୍ୟର ଏପରି କିଛି ଚର୍ଚ୍ଚିତ ସ୍ୱାମୀ-ସ୍ତ୍ରୀ କଳି ଉପରେ....

ବର୍ଷା-ଅନୁଭବ

ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ ତାଙ୍କ ସ୍ୱାମୀ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତିଙ୍କ କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି । ଗୋଟିଏ ପଟେ ଅନୁଭବ ବର୍ଷାଙ୍କ ସହ ରହିବାକୁ ଚାହୁଁନଥିବା ସ୍ପଷ୍ଟ କରିବା ସହ କୋର୍ଟରେ ଛାଡ଼ପତ୍ର ମାମଲା ଦାୟର କରିଛନ୍ତି । କିନ୍ତୁ ବର୍ଷା ଅନୁଭବଙ୍କ ସହ ରହିବା ପାଇଁ ଚାହୁଁଛନ୍ତି । ଅନୁଭବଙ୍କ କଟକ ଚୌଧୁରୀ ବଜାରସ୍ଥିତ ଘରେ ରହୁଛନ୍ତି । ଏହି ସ୍ୱାମୀ-ସ୍ତ୍ରୀ କଳିରେ ନିଇତି ନୂଆ ନୂଆ ଅଧ୍ୟାୟ ଯୋଡ଼ି ହେବାରେ ଲାଗିଛି। କେତେବେଳେ ରାତିଅଧିଆ ପୁରୀଘାଟ ଥାନାରେ ବର୍ଷା ଅଭିଯୋଗ କରୁଛନ୍ତି ତ ପୁଣି କେତେବେଳେ ବର୍ଷାଙ୍କୁ ସାଂସଦଙ୍କ ପତ୍ନୀଙ୍କୁ ମିଳୁଥିବା କୌଣସି ସୁବିଧା ଦିଆନଯାଉ ବୋଲି ଲୋକସଭାର ସେକ୍ରେଟାରିଏଟକୁ ଚିଠି ଲେଖି ନିବେଦନ କରିଛନ୍ତି ଅନୁଭବ। ଆଉ ଏବେ ଏହି ଚର୍ଚ୍ଚିତ ସ୍ୱାମୀ-ସ୍ତ୍ରୀ କଳିରେ ଅନୁଭବଙ୍କ ବାନ୍ଧବୀ ଦିଲ୍ଲୀର ଜାଗ୍ରତି ଶୁକ୍ଲାଙ୍କ ନାଁ ଯୋଡିହୋଇଛି ।

ସୁମିତ-ତପସ୍ୱିନୀ

ଏବେ ସୋସିଆଲ ମିଡ଼ିଆ ହେଉ କି ଟେଲିଭିଜନ ହେଉ। ଏହି ସ୍ୱାମୀ-ସ୍ତ୍ରୀଙ୍କ କଳି ଦେଖିବାକୁ ମିଳୁଛି। ଅନେକ ଦିନର ଧାରଣା ପରେ ସୁମିତଙ୍କ ଘରେ ପ୍ରବେଶ କରିଛନ୍ତି ତପସ୍ୱିନୀ । ହେଲେ ସେହିଦିନଠାରୁ ସୁମିତ ତାଙ୍କ ଘରକୁ ଆସିନାହାନ୍ତି । ଏପରିକି ସୁମିତଙ୍କ ବାପା ବି ସେହି ଘରେ ଏବେ ରହୁନଥିବାର କୁହାଯାଉଛି । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସୁମିତ୍ ପ୍ରତିମାସ ୧୦ ତାରିଖରେ ୧୭ ହଜାର ଟଙ୍କା ଦେବାକୁ ରାଜି ହୋଇଛନ୍ତି। ପ୍ରଥମେ ଏହି ଟଙ୍କା ଦେବାକୁ ଅମଙ୍ଗ ହେଉଥିଲେ । କିନ୍ତୁ କୋର୍ଟଙ୍କ ନିର୍ଦ୍ଦେଶ ପରେ ଟଙ୍କା ଦେଇଛନ୍ତି । ଏହି ମାମଲାରେ କୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ ବରଂ ତପସ୍ୱିନୀ ତାଙ୍କୁ ଓ ତାଙ୍କ ପରିବାରକୁ ମାନସିକ ଆଘାତ ଦେବା ସହ ତାଙ୍କ ମାନସମ୍ମାନ ହାନି କରୁଥିବା ନେଇ ସେ ଅଭିଯୋଗ ମଧ୍ୟ କରିଛନ୍ତି। ତପସ୍ୱିନୀ ପତ୍ନୀର ଅଧିକାର ପାଇବାକୁ ଚାହୁଁଛନ୍ତି ।

ରାଜାଶ୍ରୀ-ବର୍ଷାସୋନୀ

୨୦୧୩ ମସିହାରେ ରାଜାଶ୍ରୀ-ବର୍ଷା ସୋନୀ ଚୌଧୁରୀଙ୍କ ମାମଲାରୁ ନେଇ ଭାରି ଚର୍ଚ୍ଚା ହୋଇଥିଲା। ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତିଙ୍କ ବୋହୂ ବର୍ଷା ନିଜ ଶ୍ୱଶୁର ଘର ଲୋକଙ୍କ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ। ଯାହାକୁ ନେଇ ଅଡ଼ୁଆରେ ପଡ଼ିଥିଲେ ରଘୁନାଥ ମହାନ୍ତି । ସ୍ଥିତି ଏମିତି ହୋଇଥିଲା ଯେ, ଶେଷରେ ମନ୍ତ୍ରୀ ପଦ ହରାଇଥିଲେ ରଘୁନାଥ । ଯୌତୁକ ନିର‌୍ୟ୍ୟାତନା ମାମଲାରେ ଗିରଫ ହୋଇ ତାଙ୍କୁ ଯିବାକୁ ପଡ଼ିଥିଲା ଜେଲ୍ । କିନ୍ତୁ ପରେ ବର୍ଷା ଓ ରାଜାଶ୍ରୀଙ୍କ ମନ ମିଶିବାରୁ ମାମଲା ପ୍ରତ୍ୟାହାର କରିନେଇଥିଲେ ବର୍ଷା । ଏବେ ପରିବାର ସହ ବେଶ୍ ଖୁସିରେ ଅଛନ୍ତି । ସେତେବେଳେ ଏହି କଳି ରାଜ୍ୟରେ ଚର୍ଚ୍ଚିତ ଥିଲା ।

ସୌମ୍ୟ-ବିଦ୍ୟା ଭାରତୀ

ସୌମ୍ୟ-ବିଦ୍ୟାଭାରତୀଙ୍କ ମାମଲା ବି ବେଶ୍ ଚର୍ଚ୍ଚିତ। ବିବାହ ପରେ ଉଭୟ ଉଭୟଙ୍କ ଉପରେ ସନ୍ଦେହ କରୁଥିଲେ ବୋଲି କୁହାଯାଏ । ପରିସ୍ଥିତି ଏପରି ହୋଇଥିଲା ଯେ, ନିଆଁରେ ପୋଡି ହୋଇ ସୌମ୍ୟରଂଜନ ମହାପାତ୍ରଙ୍କ ପ୍ରାଣହାନି ଘଟିଥିଲା । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ସୌମ୍ୟଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଥିଲା । ହେଲେ ପୋଲିସ ଏହାକୁ ଏକ ଆତ୍ମହତ୍ୟା ଘଟଣା ବୋଲି କହିଥିଲା । ବିଦ୍ୟାଭାରତୀଙ୍କର ବଡବଡିଆ ଅଫିସରଙ୍କ ସହ ସମ୍ପର୍କ ଥିବା ସୌମ୍ୟଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ। ସେହି କାରଣରୁ ଘଟଣାକୁ ଚପାଇ ଦିଆଯାଇଛି ମଧ୍ୟ ଅଭିଯୋଗ କରିଥିଲେ । କିନ୍ତୁ ଏବେ ବି ଘଟଣା ଉପରୁ ପରଦା ହଟିନି ବୋଲି କୁହାଯାଉଛି ।

ସ୍ୱାମୀ-ସ୍ତ୍ରୀ କଳିରେ ଯଦି ଆପୋଷ ସମାଧାନ ହୋଇଯାଏ ତାହା ଦୁଇ ଜଣଙ୍କ ପାଇଁ ହିତ ହୋଇଥାଏ। ଯଦି କଳି ଆଗକୁ ଆଗକୁ ବଢେ ଶେଷରେ ବିଚ୍ଛେଦ ହିଁ ହୋଇଥାଏ। ସମାଜରେ ଏବେ ଘରୋଇ ହିଂସା ବୃଦ୍ଧି ପାଉଥିବାରୁ ବୁଦ୍ଧିଜୀବୀମାନେ ଚିନ୍ତା ପ୍ରକଟ କରିଛନ୍ତି।