• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଯେଉଁ ଗଙ୍ଗୁଆ ନଦୀ ଦିନେ ଗଙ୍ଗା ପରି ଏକ ସ୍ୱଚ୍ଛ ନଦୀ ଥିଲା । ରାଜଧାନୀ ଭୁବନେଶ୍ୱର ପାଇଁ ଜୀବନ୍ତ ଐତିହ୍ୟ ଥିଲା । ହେଲେ ଏବେ ସେ ଗଙ୍ଗୁଆର ଅବସ୍ଥା ଯାହା, ସେଥିରେ ଜଳ ନୁହେଁ ପ୍ରବାହିତ ହେଉଛି ଜହର । ତାସହ ବେଆଇନ୍ ଜବରଦଖଲ ଯୋଗୁଁ ଲୋପ ପାଇବାକୁ ବସିଛି ଏ ବିଶାଳ ପ୍ରାକୃତିକ ଜଳଉତ୍ସ । ମୃତପ୍ରାୟ ଏ ନଦୀର ସୁରକ୍ଷା ପାଇଁ ଆନ୍ଦୋଳନ ଦାନା ବାନ୍ଧୁଥିବାବେଳେ ବିଏମ୍‌ସି ମେୟର ସୁଲୋଚନା ଦାସ କହିଛନ୍ତି ଯେ, ଗଙ୍ଗୁଆ ପାଇଁ ମାଷ୍ଟରପ୍ଲାନ୍ ହେବ ।

ଗଙ୍ଗବତୀରୁ ଗଙ୍ଗୁଆ । ଚିରସ୍ରୋତା ନଦୀରୁ ପାଲଟିଗଲା ନର୍ଦ୍ଦମା । ଓଟିଭି କ୍ୟାମେରା ଫ୍ରେମ୍‌ରେ ବନ୍ଧା ଏକାମ୍ର କ୍ଷେତ୍ରର ଏକ ବିରାଟ ପ୍ରାକୃତିକ ଜଳସ୍ରୋତ ଗଙ୍ଗୁଆର ବିକଳ ଚିତ୍ର ଏବେ ସମସ୍ତଙ୍କ ସାମ୍ନାରେ ରହିଛି । କିଛି ସ୍ଥାନରେ ସ୍ୱଚ୍ଛ ଜଳ ତ ଅନ୍ୟ କିଛି ସ୍ଥାନରେ ଅପରିଷ୍କାର ସ୍ଥିତି ଦେଖିବାକୁ ମିଳିଛି । ଆଧୁନିକ ମଣିଷର ତାଡ଼ନାରେ ଯେମିତି ନଦୀଟି ଖାଲି ଅସ୍ଥିତ୍ୱ ପାଇଁ ଲଢ଼େଇ କରୁଛି । ସତ୍ତା ହରାଇବାକୁ ବି ବସିଛି ଗଙ୍ଗୁଆ ନଦୀ ।

ଜାତୀୟ ପ୍ରଦୂଷଣ ବୋର୍ଡର ତଥ୍ୟ ଅନୁସାରେ, ରାଜ୍ୟର ୧୯ଟି ପ୍ରଦୂଷିତ ନଦୀ ମଧ୍ୟରେ ସବୁଠୁ ଆଗରେ ରହିଛି ଗଙ୍ଗୁଆ । ସ୍ଥାନେ ସ୍ଥାନେ ଜଳର କିଭଳି ଜହର ସମ ଅବସ୍ଥା ତାକୁ ବଖାଣିବା ଅନାବଶ୍ୟକ । କାରଣ ସିଧା ମିଶୁଥିବା କଳ କାରଖାନାର ବିଷାକ୍ତ ପାଣି, ନାଳ ନର୍ଦ୍ଦମାର ଦୂଷିତ ଜଳ ଓ ଶୌଚାଳୟ ପାଣିରେ ଆକ୍ତାମାକ୍ତା ଗଙ୍ଗୁଆ । ବଢୁଥିବା ଜନବସତି ସାଙ୍ଗକୁ ବେଆଇନ୍ ଜବରଦଖଲ ବି ଗଙ୍ଗୁଆ ପାଇଁ କାଳ ସାଜିଛି । ନଦୀର ପଥ ଅବରୋଧ ଯୋଗୁଁ ସାମାନ୍ୟ ବର୍ଷାରେ କୃତ୍ରିମ ବନ୍ୟାରେ କଲବଲ ହେଉଛନ୍ତି ରାଜଧାନୀବାସୀ । ତେଣୁ ଏ ମୃତପ୍ରାୟ ନଦୀର ସୁରକ୍ଷା ପାଇଁ ଏବେ ଦାନା ବନ୍ଧିଛି ଗଙ୍ଗୁଆ ବଞ୍ଚାଅ ଆନ୍ଦୋଳନ ।

 

ଗଙ୍ଗୁଆର ଉତ୍ପତ୍ତିରୁ ଅବସ୍ଥିତି ଯାଏଁ ସବୁ ଇତିହାସରେ ବର୍ଣ୍ଣିତ ଅଛି । ଅବଲୋକନ କଲେ ଜଣାଯାଏ ଯେ, ୨୨ଟି ପ୍ରାକୃତିକ ଝରର ସମାହାର ହେଉଛି ଭୁବନେଶ୍ୱରକୁ ଘେରି ରହିଥିବା ଗଙ୍ଗୁଆ ନଦୀ । ଯାହାର ଦୈର୍ଘ୍ୟ ପ୍ରାୟ ୬୫ କିଲୋମିଟର । ହେଲେ ଉତ୍ପତି ସ୍ଥଳରୁ ମାତ୍ର ୧୩ କିଲୋମିଟର ଆସିବା ପରେ ଏହା ନେଇଛି ନର୍ଦ୍ଦମାର ରୂପ ।

ତେବେ ଗବେଷକଙ୍କ ମତରେ ସମ୍ରାଟ ଖାରବେଳଙ୍କ ରାଜତ୍ୱ ସମୟରେ ଏଇ ଗଙ୍ଗବତୀ ନଦୀ ରାଜଧାନୀ ଶିଶୁପାଳଗଡ଼କୁ ଦେଉଥିଲା ସୁରକ୍ଷା । ତାସହ ଏହା ଥିଲା ଜୀବନ ଧାରଣର ଏକ ବଡ଼ ମାଧ୍ୟମ । ଗଙ୍ଗୁଆ ସମାହାର ଜଳଧାରାକୁ ଆଶ୍ରାକରି ଗଢ଼ି ଉଠିଥିଲା ପଟିଆଗଡ଼, ଚୂଡ଼ଙ୍ଗଗଡ଼ ଓ ଶିଶୁପାଳଗଡ଼ ଭଳି ୭ଟି ଏତିହ୍ୟସମ୍ପନ୍ନ ଗଡ଼ । ହେଲେ ଆଜି ସେସବୁ କେବଳ ମୂକସାକ୍ଷୀ ପାଲଟିଛନ୍ତି ।

ଗଙ୍ଗୁଆର ମୁଖ୍ୟ ଝର ଚନ୍ଦକା-ଡମପଡ଼ା ଜଙ୍ଗଲରୁ ଆସିଛି । ଯାହା ଚନ୍ଦକା ପାଖରେ ଭୁଆଶୁଣି ପୋଖରୀରୁ ବାହାରି ପୁରୁଣା ଭୁବନେଶ୍ୱରରେ ଗୁଆଝରରେ ଚିରସ୍ରୋତାର ପ୍ରମାଣ ଦେଇଛି । ତେବେ ଧିରେ ଧିରେ ରାଜଧାନୀ ମୁହାଁ ହୋଇଥିବା ଏ ଗଙ୍ଗୁଆର ମଝି ବାଟରେ ଜବରଦଖଲକାରୀଙ୍କ ଦ୍ୱାରା ତଣ୍ଟି ଚିପି ହୋଇଯାଇଛି ।

ବରମୁଣ୍ଡା ବସ୍ ଟର୍ମିନାଲ ପଛପଟ ଜୋର, ଗଙ୍ଗୁଆର ଅନ୍ୟତମ ପ୍ରାକୃତିକ ଜଳଧାରାର ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ସେମିତି କିସ୍ ଶିକ୍ଷାନୁଷ୍ଠାନ ପଛପାଖେ ଥିବା ପ୍ରାକୃତିକ ହ୍ରଦରୁ ମଧ୍ୟ ବର୍ଷ ତମାମ ଗଙ୍ଗୁଆକୁ ଜଳ ପ୍ରବାହିତ ହୋଇଥାଏ । ହେଲେ ତାହା ଯେମିତି ଧିରେ ଧିରେ ଜବରଦଖଲକାରୀଙ୍କ କବ୍ଜାକୁ ଚାଲିଯାଉଛି । ଆଉ ଦିନ କେଇଟା ପରେ ଏହା ନିଶ୍ଚିନ୍ନ ହୋଇଯିବ ।

ତେଣୁ ଏଠି ପ୍ରଶ୍ନ-ଗଙ୍ଗୁଆର ଏଭଳି ଦୁଃସ୍ଥିତି ପାଇଁ ଦାୟୀ କିଏ ? କାହିଁକି ଏକ ଚିରସ୍ରୋତା ନଦୀର ଏ ଶୋଚନୀୟ ଅବସ୍ଥା ? ଜବରଦଖଲ ଉଚ୍ଛେଦ ସହ ଜଳବିଶୋଧନ ପାଇଁ କାହିଁକି ହେଉନି ଆକ୍ସନ ? ରାଜଧାନୀବାସୀଙ୍କ ଏଭଳି ମାଳ ମାଳ ପ୍ରଶ୍ନ ଭିତରେ-ଭୁବନେଶ୍ୱର ମେୟର କହିଛନ୍ତି ଗଙ୍ଗୁଆ ପାଇଁ ହେବ ମାଷ୍ଟରପ୍ଲାନ୍ ।

ଗଙ୍ଗୁଆର ଏ ଦୁଃସ୍ଥିତିକୁ ଶୀଘ୍ର ଦୂର କରାନଗଲେ ଜୈବବିବିଧତା ତ ବିଗିଡ଼ିବ, ରାଜଧାନୀବାସୀ ଘୋର ଜଳନିଷ୍କାସନ ସମସ୍ୟା, ଏପରିକି କୃତ୍ରିମ ବନ୍ୟାର ବି ସାମ୍ନା କରିବେ ।

ରିପୋର୍ଟର- ସ୍ୱାତୀ ଜେନା