ଗାଁ ଲୋକଙ୍କୁ ବଡ଼ ଦୁଃଖ ଦେଲା ପାଣି ଟ୍ୟାଙ୍କର, ପ୍ରଶାସନ କିଛି ଶୁଣୁନି

କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍‌ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ ।

Odisha Nuapada

ପାଣି ଦେବାକୁ ଗାଁକୁ ଟ୍ୟାଙ୍କର ଆସିଥିଲା, ଆଉ ଗାଁ ଲୋକଙ୍କୁ ସମସ୍ୟା ଘେରରେ ଛାଡି ଦେଇଗଲା । ହୁଏତ ଏକଥା ଆପଣ ବୁଝିପାରୁନଥିବେ । ଗାଁ ଲୋକଙ୍କ ପାଇଁ କେମିତି ବିପଦ ଆଣିଦେଲା ପାଣି ଟ୍ୟାଙ୍କର ? ହଁ, ପାଣି ଟ୍ୟାଙ୍କର ପାଇଁ ଗାଁ ଲୋକଙ୍କର ବଢିଛି ସମସ୍ୟା ।

ଖରା ଦିନେ ଗାଁକୁ ପାଣି ଟ୍ୟାଙ୍କର ଆସୁଥିଲା । ଆଉ ଟ୍ୟାଙ୍କର ଯିବା ବେଳେ ଗାଁ ମଝିରେ ଥିବା ପୁରୁଣା ବ୍ରିଜ ଭାଙ୍ଗି ଦେଇ ଗଲା । ବ୍ରିଜ ଭାଙ୍ଗିବା ପରେ ଅନେକ ଥର ଏନେଇ ପ୍ରଶାସନକୁ ଗୁହାରି କଲେ ଗ୍ରାମବାସୀ, ହେଲେ କୌଣସି ସୁଫଳ ମିଳିଲାନି । ସେଥିପାଇଁ, କାଠଗଣ୍ଡି ପକାଇ ରାସ୍ତାରେ ବ୍ରିଜ୍‌ ନିର୍ମାଣ କଲେ ଗାଁଲୋକେ । ହେଲେ କାଠଗଣ୍ଡି ରାସ୍ତା କେତେ ସୁରକ୍ଷିତ ତାହା ଆପଣ ସହଜରେ ଅନୁମାନ କରିପାରୁଥିବେ । କେତେ ବିପଦପୂର୍ଣ୍ଣ ଭାବେ ଏହି କାଠଗଣ୍ଡି ବ୍ରିଜ୍‌ ଦେଇ ଯାହାୟତ କରୁଛନ୍ତି ଲୋକେ ତାହା ଆପଣ ନଦେଖି ମଧ୍ୟ ଅନୁମାନ କରିପାରୁଥିବେ ।

ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ନୂଆପଡା ଭଇଁଷାଦାନି ପଂଚାୟତର ସିଆଲଟି ଗାଁର । ସିଆଲଟି ଓ ଧରୁଆପଡା ଗାଁକୁ ଯୋଗାଯୋଗ କରିବାର ଏକମାତ୍ର ରାସ୍ତା ହେଉଛି ଏଇ ପୋଲ । ତେଣୁ ପାଦେ ପାଦେ ବିପଦ ଥିବା ପରେ ବି ଏଇ ପୋଲ ଦେଇ ନିତିଦିନ ଯିବା ଆସିବା କରୁଛନ୍ତି ଗାଁ ଲୋକେ ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏଇ ବିପଦ ସଂକୁଳ ରାସ୍ତା ଦେଇ ସ୍କୁଲ ପିଲାମାନେ ବି ପାଠ ପଢିବାକୁ ଯାଆନ୍ତି । ଖାଲି ସ୍କୁଲ ପିଲା ନୁହେଁ ଏଇ ପୋଲ ଦେଇ ଲୋକେ ପଂଚାୟତକୁ ଚାଉଳ ଓ ଭତା ପାଇଁ ବି ଯାଆନ୍ତି । ଦୁଃଖ କେବଳ ଏତିକିରେ ସରିନି ବରଂ ଗାଁରେ ଯଦି କିଏ ବେମାର ପଡେ ତେବେ ଆମ୍ବୁଲାନ୍ସ ଗାଁ ଭିତରକୁ ପ୍ରବେଶ କରିପାରେନାହିଁ । ଫଳରେ ପରିବାର ଲୋକେ ଟେକି ଟେକି ମେଡିକାଲକୁ ନିଅନ୍ତି ରୋଗୀଙ୍କୁ ।

ଆପଣ ଥରେ ଚିନ୍ତା କରନ୍ତୁ.. ୩ ବର୍ଷ ହେଲାଣି ଗାଁ ଲୋକ ଖଣ୍ଡେ ପୋଲ ପାଇଁ ପ୍ରଶାସନକୁ ବାରମ୍ବାର ଜଣାଉଛନ୍ତି । ହେଲେ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ତେଣୁ ଅସୁବିଧାର ସାମ୍ନା କରୁଛନ୍ତି ଗାଁ ଲୋକେ । ସେପଟେ ଘଟଣା ସମ୍ପର୍କରେ ପିଡିଡିଆରଡିଏ ଜାଣିବା ପରେ ବିଡିଓଙ୍କ ସହ ଆଲୋଚନା କରି ଖୁବଶୀଘ୍ର ରାସ୍ତା ନିର୍ମାଣ କରାଯିବ ବୋଲି କହିଛନ୍ତି । ହେଲେ ସମୟ କହିବ କେତେ ଦୂର କଥା ରଖୁଛନ୍ତି ପିଡିଡିଆରଡିଏ ।

 

(ରିପୋର୍ଟ-ମାୟାଧର ସରାଫ, ନୂଆପଡା)