• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗଞ୍ଜାମ ଜିଲ୍ଲାରୁ ଆଜି ବି ବେହିସାବ ଭାବେ ବାହାର ରାଜ୍ୟକୁ ଚାଲିଛି ଶ୍ରମିକ ଚାଲାଣ । ଅନେକ ଶ୍ରମିକ ଠିକାଦାରର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଢୁଛନ୍ତି ସିନା, ହେଲେ କାର୍ଯ୍ୟସ୍ଥଳରେ ପହଞ୍ଚି ଦୁର୍ଦ୍ଦଶାର ସମ୍ମୁଖୀନ ହେବା ପରେ ଫେରିବାକୁ ସୁଯୋଗ ପାଉ ନାହାନ୍ତି । ଶ୍ରମିକ ନିର୍ଯାତନାର ଏମିତି ବହୁ କାହାଣୀ ସାମ୍ନାକୁ ଆସୁଛି ।

ଜିଲ୍ଲାରେ ସକ୍ରିୟ ଥିବା ବହୁ ଅଣପଞ୍ଜିକୃତ ଠିକାଦାର ଶ୍ରମିକଙ୍କୁ କଳେ-ବଳେ-କୌଶଳେ ନେଇଯାଉଥିଲେ ବି ଦୁର୍ଭାଗ୍ୟର କଥା, ଶ୍ରମ ବିଭାଗ ପାଖରେ ଖବର ନାହିଁ । ଉଦବେଗର ବିଷୟ ଯେ, ଖୋଦ୍ ମୁଖ୍ୟମନ୍ତ୍ରୀ ଓ ଶ୍ରମମନ୍ତ୍ରୀଙ୍କ ଜିଲ୍ଲା ହୋଇବି ଏଠି ଦାଦନଙ୍କ ଦୁର୍ଦ୍ଦଶାର କାହାଣୀ ଏତେ ଲମ୍ବା ଯେ ତାକୁ ବଖାଣିବା ମୁସକିଲ ।

ଶ୍ରମିକ ଦଲାଲର ଲୋଭନୀୟ କଥାରେ ପଡ଼ି ଭିଟାମାଟି ଛାଡ଼ିବା ପରେ ନରକ ଯନ୍ତ୍ରଣା । ବେଳେବେଳେ ଘରକୁ ମୃତଦେହ ଫେରିବ କି ନାହିଁ ତାକୁ ନେଇ ବି ସନ୍ଦେହ । ଗଞ୍ଜାମ ଜିଲ୍ଲାରୁ ବେଧଡ଼କ ଶ୍ରମିକ ଚାଲାଣ ଓ ତା ପରର ଅସହ୍ୟ ନିର୍ଯାତନାର କଥା ସ୍ପଷ୍ଟ ଜଣାପଡୁଛି । କାହାର ମୁହଁ ଫାଟିଛି, ତ ଆଉ କାହାର ଓଠ ସେଠ୍ କବଳରୁ ଜୀବନ ନେଇ ଫେରିବାର । ବେଶ୍ କିଛି ଦିନ ପରେ ବି ଲିଭିନି ଆକ୍ରମଣର ଦାଗ ।

 

ଆସାମର ଗୌହାଟି କହି ଚୀନ୍ ସୀମାନ୍ତ ଏକ ଅଞ୍ଚଳରେ ଗଧ ଭଳି ଖଟାଯାଉଥିବା ୬ ଜଣ ଶ୍ରମିକଙ୍କୁ କିଛି ଦିନ ତଳେ ଉଦ୍ଧାର କରାଯାଇଛି । ସରକାରୀ ନୁହେଁ, ଖୋଦ୍ ନିଜ ଉଦ୍ୟମରେ ଉଦ୍ଧାର ହୋଇଥିବା ଶ୍ରମିକମାନେ ଘରକୁ ବାହୁଡ଼ା ପରେ ଲୁହଭରା ଆଖିରେ ଗୋଟି ଗୋଟି ବଖାଣିଛନ୍ତି ଦାଦନ ନିର୍ଯାତନାର କରୁଣ କାହାଣୀ ।

ଗଞ୍ଜାମ ଜିଲ୍ଲାରୁ ରାଜ୍ୟ ବାହାରକୁ ଲକ୍ଷ ଲକ୍ଷ ସଂଖ୍ୟାରେ ଦାଦନ ଶ୍ରମିକ ଚାଲାଣ ଓ ପରେ କାର୍ଯ୍ୟସ୍ଥଳରେ ଅକଥନୀୟ ନିର୍ଯାତନା । ଏମିତି ଅନେକ କାହାଣୀ ସାମ୍ନାକୁ ଆସୁଛି । କଥା ଦେଇ ଦାଦନ ଖଟିବାକୁ ଯିବାକୁ ଅରାଜି ହେବାରୁ ଜଣେ ଶ୍ରମିକଙ୍କୁ ନିସ୍ତୁକ ପିଟିଛନ୍ତି ଜଣେ ଠିକାଦାର ଓ ତାର ସହଯୋଗୀ । ଗଞ୍ଜାମ ଖଲ୍ଲିକୋଟ୍ ଅଞ୍ଚଳର ଏହାର ଏକ ଭିଡିଓ ସମସ୍ତଙ୍କ ସାମ୍ନାକୁ ଆସିଛି । ଗତ କିଛି ମାସ ତଳେ ଭାଇରାଲ ହୋଇଥିଲା ହେଲେ ଗମ୍ଭୀର ସମସ୍ୟା ପ୍ରତି ଯେମିତି କାହାର ବି ନଜର ନାହିଁ ।

ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା, ଆଉ ଏବେ ନୂଆ ଶ୍ରମମନ୍ତ୍ରୀଙ୍କୁ ବି ପାଇଛନ୍ତି ଗଞ୍ଜାମ ଜିଲ୍ଲାବାସୀ । କିନ୍ତୁ ବିଡ଼ମ୍ବନା, ଜିଲ୍ଲାର ଦାଦନ ଶ୍ରମିକଙ୍କ ସଂଖ୍ୟା କେତେ, କେତେ ଠିକାଦାର କାମ କରୁଛନ୍ତି, ଆଉ ରାଜ୍ୟ ବାହାରେ କେତେ ସଂଖ୍ୟକ ଶ୍ରମିକ ନିର୍ଯାତନାର ଶିକାର ହେଉଛନ୍ତି, ସେ ତଥ୍ୟ କାହା ପାଖରେ ନାହିଁ ।

ସବୁଠୁ ଆଶ୍ଚର୍ଯ୍ୟର କଥା ଜିଲ୍ଲାର ଛତ୍ରପୁର ଓ ବ୍ରହ୍ମପୁରର ଥିବା ଦୁଇ ଦୁଇଟି ଶ୍ରମ କାର୍ଯ୍ୟାଳୟର । ଛତ୍ରପୁର ଶ୍ରମ କାର୍ଯ୍ୟାଳୟ ଅଧୀନରେ ପଞ୍ଜିକୃତ ଶ୍ରମିକଙ୍କ ସଂଖ୍ୟା ୩୦୬୦ । ସେହିଭଳି ବ୍ରହ୍ମପୁର ଶ୍ରମ କାର୍ଯ୍ୟାଳୟର ତଥ୍ୟ କହୁଛି ଯେ, ଏଠାରୁ ବାହାରକୁ ଯାଇଛନ୍ତି ମାତ୍ର ୮୦ରୁ ୯୦ ଶ୍ରମିକ । କିନ୍ତୁ ଗଞ୍ଜାମରୁ ପ୍ରତିବର୍ଷ କେତେ ଶ୍ରମିକ ବାହାର ରାଜ୍ୟକୁ ଯାଆନ୍ତି ତାର ଅସଲ ଚିତ୍ର ବଖାଣିଥିଲା ଗତବର୍ଷ କରୋନା ମହାମାରୀ । ସେତେବେଳେ ବାହାର ରାଜ୍ୟରୁ ପ୍ରାୟ ୭ ଲକ୍ଷରୁ ଅଧିକ ଶ୍ରମିକ ଫେରିଥିବା ଦେଖିବାକୁ ମିଳିଥିଲା ।