Advertisment

'ଆମକୁ ସାହାଯ୍ୟ କର ନହେଲେ ମରିଯିବୁ'

ଯେଉଁ ବୟସରେ ଖେଳିବୁଲି ସମୟ କାଟିବା କଥା, ଏ ଦୁଇଝିଅ ନିଜ ଶଯ୍ୟାଶାୟୀ ବାପାର ସେବା କରୁଛନ୍ତି। ମାଆ ଆରିପାରିକୁ ଚାଲିଯିବା ପରେ ଏମାନେ ଏବେ ଘର ଚଳାଉଛନ୍ତି। କାରଣ, ବାପା ତ ରୋଗାଗ୍ରସ୍ତ। ଓଟିଭି କ୍ୟାମେରା ଆଗରେ ଝିଅଟି କୋହରେ କହିଛି- ‘ଆମକୁ କିଏ ସାହାର୍ଯ୍ୟ କର, ନହେଲେ ଆମର ମୃତ୍ୟୁ ସୁନିଶ୍ଚିତ’

author-image
Otv Khabar Bureau
ଅଦ୍ୟତନ ହୋଇଛି
Bed-Ridden Odisha Man

Bed-Ridden Odisha Man

ପରିସ୍ଥିତିରେ ପଡ଼ି କେମିତି କଲବଲ ହେଉଛନ୍ତି ଏହି ଦୁଇ ଝିଅ । ଦେଖନ୍ତୁ କେମିତି ଦୁଇ ଝିଅ ବାପାଙ୍କ ଗୋଡ଼ ହାତ ଘଷି ଦେଉଛନ୍ତି। ମୁଣ୍ଡରେ ତେଲ ମାରିଦେଉଛନ୍ତି ପୁଣି ପଖାଳ କଂସାରୁ ଭାତ ଖୁଆଇ ଦେଉଛନ୍ତି ବାପାଙ୍କୁ। ସାଙ୍ଗରେ ତିଅଣ ନାହିଁ କି ଶାଗ ଭଜା କିଛି ନାହିଁ। ଖାଲି ଲଙ୍କା ଆଉ ଲୁଣ । ଆଉ ସେହି ଲଙ୍କା ଚକଟାକୁ ଚଟେଇ ଚଟେଇ ବାପାଙ୍କୁ ଖୁଆଇ ଦେଉଛନ୍ତି ଭାତ। ଏ ଦୃଶ୍ୟ ଦେଖିବା ପରେ ହୁଏତ ଆପଣଙ୍କ ଆଖିରେ ଲୁହ ଜକାଇ ଆସିପାରେ। ହେଲେ ବାସ୍ତବ ଚିତ୍ର ଆହୁରି କଷ୍ଟଦାୟକ।

Advertisment

ମାଆ ନାହିଁ ବାପା ବିଛଣାରୁ ଉଠୁନାହାନ୍ତି। ଆର୍ଥିକ ଅନାଟନରେ ଛନ୍ଦି ହୋଇ ପଡ଼ିଛନ୍ତି ଏଇ ଦୁଇ ଭଉଣୀ । ୨୦୧୪ ମସିହାରେ ସାପ କାମୁଡ଼ାରେ ମାଆ ଆରପାରିକୁ ଚାଲିଯାଇଛି। ଆଉ ବାପା ଏବେ ଶଯ୍ୟାଶାୟୀ। ଯେମିତି ଦୁଃଖର କଳାବାଦଲ ଏବେ ଏମାନଙ୍କ ଉପରେ ଲଦି ହୋଇପଡ଼ିଛି। ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ କେରେଜୋଳି ପଞ୍ଚାୟତ ଗୋପପୁର ଗାଁରେ ରହୁଛନ୍ତି ଏଇ ପରିବାର। ବିଛଣାରେ ଶୋଇଥିବା ଏଇ ବ୍ୟକ୍ତିଜଣକ ହେଉଛନ୍ତି ରସିକ ମୁଣ୍ଡା । ଆଉ ରସିକଙ୍କ ପାଖରେ ବସିଛନ୍ତି ଦୁଇ ଝିଅ ଗୀତା ମୁଣ୍ଡା ଓ ମଞ୍ଜୁ ମୁଣ୍ଡା। ମଜୁରି ଲାଗି ଦୁଇ ଛୁଆଙ୍କୁ ଦୁଇ ବଳି ଆହାର ଦେଉଥିଲେ ରସିକ। ହେଲେ ହଠାତ୍‌ ଆଣ୍ଠୁଗଣ୍ଠିରେ ଯନ୍ତ୍ରଣା ହେବା ପରେ ପକ୍ଷଘାତ ରୋଗରେ ପଡ଼ିଲେ ରସିକ।

ରସିକଙ୍କ ଦେହ ଖରାପ ହେବା ପରେ ଏବେ ଭୋକ ଉପାସରେ ପୂରା ପରିବାର। ପାଖରେ ଖାଇବାକୁ ଟଙ୍କା ନାହିଁ, ଚିକିତ୍ସା କଥା ପଚାରେ କିଏ? ଆଉ ବାପାଙ୍କ କଷ୍ଟ ସହିନପାରି ସାହିପଡ଼ିଶାଙ୍କୁ ସାହାଯ୍ୟ ପାଇଁ ଦୁଇ ଝିଅ ଗୁହାରି କରୁଛନ୍ତି ହେଲେ ସେ ସାହାଯ୍ୟ ସମୁଦ୍ରକୁ ଶଙ୍ଖେ । ଗରିବୀ ଜୀବନ ସାଙ୍ଗକୁ ରୋଗ ରସିକଙ୍କ ଜୀବନକୁ ନିଃସହାୟ କରି ଦେଇଛି । ପାଣି ମିଶା ଭାତ ସାଙ୍ଗକୁ ଖଣ୍ଡିଏ ଲଙ୍କା ଏବଂ ଦୁଇ ଗୋଡ଼ା ଲୁଣ ହିଁ ଏବେ ପୂରା ପରିବାରର ଆହାର। ସରକାର ଦେଉଥିବା ଚାଉଳ ହିଁ ସେମାନଙ୍କର ଏକମାତ୍ର ଭରସା।

Advertisment

ତେବେ ଶଯ୍ୟାଶାୟୀ ବାପାଙ୍କ ଏଭଳି ଅବସ୍ଥା ନେଇ କୋମଳମତି ଶିଶୁଙ୍କ ପାଠ ପଢାରେ ଡୋରି ଲାଗି ଯାଇଛି । ତୁରନ୍ତ ଏହି ପରିବାରକୁ ସରକାରଙ୍କ ଅନ୍ତଦ୍ୟୋୟ ଅନ୍ନ ଯୋଜନାରେ ସାମିଲ କରିବାକୁ କଙ୍କଡାହାଡ଼ର ପୂର୍ବତନ ବ୍ଲକ ଅଧକ୍ଷ କାର୍ତ୍ତିକ ସାହୁ କହିଛନ୍ତି । ଏ ନେଇ ଆମେ କାମାକ୍ଷାନଗର ଉପଜିଲ୍ଲାପାଳ ଜ୍ୟୋତିଶଙ୍କର ସାହୁଙ୍କ ଦୃଷ୍ଟି ଆକର୍ଷଣ କରିଥିଲୁ । ଛୁଆଙ୍କ ପାଠ ପଢିବାର ଥଇଥାନ ସହ ରସିକଙ୍କ ଚିକିତ୍ସା ପାଇଁ ସହଯୋଗ କରିବାକୁ ସେ ପ୍ରତିଶ୍ରୁତି ଦେଇଥିଲେ । ଜ୍ୟୋତିଶଙ୍କର ସାହୁ, ଉପଜିଲ୍ଲାପାଳ, କାମାକ୍ଷାନଗର ତେବେ ଦେଖିବାକୁ ବାକି ରହିଲା କେତେ ପ୍ରତିଶ୍ରୁତି ପୂରଣ କରୁଛନ୍ତି ଉପଜିଲ୍ଲାପାଳ ।

ରିପୋର୍ଟର- ବିଦ୍ୟାଧର ବରାଳ

Special Story Bed-Ridden Odisha Man
Advertisment
Advertisment