ପ୍ରେମିକ ସହ ମାଆ ଫେରାର୍‌; ବୁଢ଼ୀମାଆ କାନ୍ଧରେ ୪ ଭାଇଭଉଣୀଙ୍କ ବୋଝ

ପୁରୁଣା ପ୍ରେମିକ ସାଙ୍ଗେ ମାଆ ପଳାଇଲା, ସ୍ତ୍ରୀକୁ ଝୁରିଝୁରି ସ୍ୱାମୀ ବି ଘର ଛାଡିଦେଲେ। ଏବେ ଖୋଲା ଆକାଶ ତଳେ ୪ ଭାଇ-ଭଉଣୀ। ଖାଇବାକୁ ନାହିଁ କି ଘର ନାହିଁ...ବୁଢୀ ମାଆ ଭିକ ମାଗିଲେ ପେଟକୁ ଯାଉଛି ଗଣ୍ଡିଏ ଦାନା...ପାଠ ପଢିବା ୟାଙ୍କ ପାଇଁ ସ୍ୱପ୍ନ

Siblings Seek Aid

ମାଆ ଚାଲିଗଲା ପ୍ରେମିକ ସାଥୀରେ । ବାପା ବି କୁଆଡ଼େ ପଳାଇଗଲେ । ବାପା-ମାଆ ଚାଲିଯିବା ପରେ ଏବେ ପୂରା ବେସାହାରା ହୋଇପଡ଼ିଲେଣି ୪ ନାବାଳକ ପିଲା । ବାପା ନାହାନ୍ତି କି ମାଆ ନାହାନ୍ତି କେମିତି ଚଳିବେ? କଣ ଖାଇବେ? ସେଇ ଚିନ୍ତାରେ ଏବେ କୁନି କୁନି ପିଲା ।

କଅଁଳ ବୟସରେ ଦିକିଦିକି ଚୁଲି ଜାଳି ବସାଇଛି ରୋଷେଇ । କଡେଇରେ କୋଉ ପରିବା ପଡିଥିବ ସିଏ ଜାଣିଥିବ କି ନାହିଁ । କିନ୍ତୁ କଡେଇରେ ହଳଦୀ ପକେଇ ଘାଂଟି ଦେଉଛି । ପୁଣି କଡେଇ ଭିତରକୁ ମୁହଁ ପୂରାଇ ଦେଖୁଛି ତରକାରୀ ଟିକକ ହେଲାଣି ନା ନାହିଁ । ପେଟର ଭୋକ ଆଗରେ ନିଜ ବୟସକୁ ବୋଧହୁଏ ଭୁଲି ଯାଇଛି ଏହି କଅଁଳ ପିଲା ।

ଖାଲି ରୋଷେଇ କାହିଁକି? ଜାଳ ସଂଗ୍ରହ କରିବାଠୁ କାଠ ହାଣିବା ଯାଏଁ ସବୁ କାମକୁ କୁନି ବୟସରେ କରୁଛନ୍ତି ଏହି ୪ ପିଲା । ବାପା-ମାଆ ସିନା ଛାଡି ଚାଲିଗଲେ, ହେଲେ ବୁଢୀ ମାଆ ଏମାନଙ୍କୁ ନିଜ ପଣତର କାନିରେ ମମତାର ଶ୍ରଦ୍ଧା ଦେଇ କୋଳାଇ ନେଲେ । ନାତି-ନାତୁଣୀଙ୍କ ମୁହଁରେ ଗଣ୍ଡାଏ ଆହାର ଦେବା ପାଇଁ ଅଂଟା ଭିଡିଛି ବୁଢୀ ମାଆ । ପରଦୁଆରେ ପାଇଟି କରିବାକୁ କି ବଣରେ ଯାଇଁ କାଠ ହାଣିବାକୁ ଆଉ ଶକ୍ତି ନାହିଁ । ସେଇଥି ଲାଗି ତ ପିଲାଙ୍କୁ ବଂଚାଇ ରଖିବାକୁ ପର ଦୁଆରେ ଭିକ ମାଗୁଛି ବୁଢୀ ମାଆ । ଆଉ ଯେତିକି ଯାହା ମିଳୁଛି ସେତିକିରେ ନିଜ ପେଟକୁ ଗଣ୍ଡେ ଦାନା ଦେବା ସହିତ ପିଲାଙ୍କୁ ବଂଚାଇ ରଖିଛି ।

ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି ସୋନପୁର ଉଲୁଣ୍ଡା ବ୍ଲକ ମହୁଖଣ୍ଡି ଗାଁରେ । ଗାଁରେ ନନ୍ଦ ମୁଣ୍ଡାଙ୍କ ଘର । ପରିବାର କହିଲେ ମାଆ ନିରାଶ, ପତ୍ନୀ ପୂର୍ଣ୍ଣେନ୍ଦୀ ଓ ୪ ପୁଅଝିଅ । ନନ୍ଦ କାମଦାମ କରି ଯାହା ଆଣୁଥିଲେ, ସେଥିରେ ଚଳୁଥିଲା ପୂରା ପରିବାର। ପିଲାମାନେ ପାଠ ମଧ୍ୟ ପଢ଼ୁଥିଲେ। ସାନ ପୁଅକୁ ବର୍ଷେ ହୋଇ ନଥିଲା। ଠିକ୍‌ରେ ଦୁନିଆକୁ ଦେଖି ନଥିଲା । ସେତେବେଳେ ପୂର୍ଣ୍ଣେନ୍ଦୀ ଆଉ ଜଣଙ୍କ ପ୍ରେମରେ ପଡ଼ିଲେ । ଆଉ ତା’ପରେ ୪ ପିଲାଙ୍କୁ ଛାଡ଼ି ତାଙ୍କ ପ୍ରେମିକଙ୍କ ସହିତ ପଳାଇ ଗଲେ । ପତ୍ନୀ ପର ପୁରୁଷ ସହିତ ଗଲା ପରେ ଭାଙ୍ଗି ପଡ଼ିଥିଲେ ନନ୍ଦ । ତଥାପି କଷ୍ଟେମଷ୍ଟେ ଦିନ ମଜୁରି କରି ପରିବାର ଚଳାଉଥିଲେ। ହେଲେ ସେ ବି କୁଆଡେ ପଳାଇଗଲେ ।

ଆଖି ଆଗରେ ପ୍ରଥମେ ବୋହୂ ଓ ପରେ ପୁଅ ସେମାନଙ୍କ ରାସ୍ତାରେ ପଳାଇଗଲେ । ଆଉ ୪ ଛୁଆଙ୍କୁ ନିରାଶଙ୍କ ମୁଣ୍ଡରେ ବାନ୍ଧି ଦେଇଗଲେ । ଆଉ ସେହି ବୋଝକୁ ବେଶ୍‌ ଖୁସିର ସହ ବୋହି ଚାଲିଛନ୍ତି ନିରାଶ । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ରାଜ୍ୟ ସରକାର ଗରିବଙ୍କ ପାଇଁ ଶହଶହ ଯୋଜନା କରୁଛନ୍ତି, ହେଲେ ଏଯାଏଁ ଏ ପରିବାର ପାଖରେ ପହଞ୍ଚିନି ସରକାରୀ ଯୋଜନା ।

ସେପଟେ, ନିରାଶଙ୍କ ଦୁଃଖ ଜାଣିବା ପରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କହିଛନ୍ତି, ପେନ୍‌ସନ୍‌ ଦେବା ପାଇଁ ବ୍ୟବସ୍ଥା କରୁଛୁ । ୨ରୁ ୩ ଦିନ ଭିତରେ ମଞ୍ଜୁର ହୋଇଯିବ। ତା’ପରେ ତାଙ୍କୁ ପେନ୍‌ସନ୍‌ ମିଳିବ । ଏ ଶୀତୁଆ ଦିନରେ ବି ଜରିପାଲ ଘରେ ବିତୁଛି ଜୀବନ । ତେବେ ସମୟ କହିବ କେବେ ସରକାରୀ ଯୋଜନା ନିରାଶଙ୍କ ପାଖରେ ପହଞ୍ଚୁଛି।

(ରିପୋର୍ଟର- ସୋନପୁରରୁ ରବିନ୍ଦ୍ର ହୋତା)