• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ମହିଳା ଓ ଶିଶୁଙ୍କ ସୁରକ୍ଷା ଲାଗି ଅନେକ ଯୋଜନା, ଅନେକ କାର୍ଯ୍ୟକ୍ରମ । ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ତଥାପି ଆମ ରାଜ୍ୟରେ ୩୩ ପ୍ରତିଶତ ମହିଳା ସେମାନଙ୍କ ସ୍ୱାମୀଙ୍କ ଦ୍ୱାରା ଘରୋଇ ହିଂସାର ଶିକାର ହେଉଛନ୍ତି । ଝିଅଙ୍କ ସର୍ବନିମ୍ନ ବିବାହ ବୟସ ୧୮ ଥିବା ସତ୍ତ୍ୱେ ୭.୫ ପ୍ରତିଶତ କିଶୋରୀ ମାତୃତ୍ୱ ଲାଭ କରୁଛନ୍ତି । ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେରୁ ଏଭଳି ଚିନ୍ତାଜନକ ତଥ୍ୟ ଆସିବା ପରେ ଆଇନର କାର୍ଯ୍ୟକାରିତାରେ କେଉଁଠି ତ୍ରୁଟି ରହୁଛି, ତାକୁ ନେଇ ପ୍ରଶ୍ନ ଉଠିଛି ।

ସ୍ୱାମୀଠୁ ହକ୍ ପାଇବା ଲାଗି ଡହଡହ ଖରାରେ ଶାଶୁଘରେ ବୋହୁର ଧାରଣା ଦେଉଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଗଜପତି ଜିଲ୍ଲାରେ । କିଛି ଦିନ ତଳେ ଚର୍ଚ୍ଚାରେ ଥିଲେ ବ୍ରହ୍ମପୁରର ସୁମୀତ-ତପସ୍ବିନୀ ବିବାଦ ଓ ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ମାମଲା । ରାଜନେତା, ଅଭିନେତା, ଧନୀ, ଗରିବ ସବୁ ପରିବାରରେ ଦେଖିବାକୁ ମିଳୁଛି ରହିଛି ସ୍ୱାମୀ-ସ୍ତ୍ରୀ ହିଂସାକାଣ୍ଡ ।

ସଦ୍ୟ ପ୍ରକାଶିତ ନ୍ୟାସନାଲ ଫାମିଲି ହେଲ୍ଥ ସର୍ଭେ NFHS-5ର ତଥ୍ୟ କହୁଛି, ଓଡ଼ିଶାରେ ୧୮ରୁ ୪୯ ବର୍ଷ ବୟସର ପ୍ରତି ୩ ବିବାହିତା ମହିଳାଙ୍କ ମଧ୍ୟରୁ ଜଣେ ଅର୍ଥାତ୍ ୩୩ ପ୍ରତିଶତ ଘରୋଇ ହିଂସାର ଶିକାର ହେଉଛନ୍ତି । ପତି-ପତ୍ନୀ ହିଂସା କ୍ଷେତ୍ରରେ ଦଶମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟର ଦମ୍ପତ୍ତି ହିଂସାକାଣ୍ଡ ହାର ଜାତୀୟ ହାର ୩୨ ପ୍ରତିଶତଠୁ ଅଧିକ । ତେବେ ଘରୋଇ ହିଂସା ରୋକିବାକୁ ଅନେକ ପଦକ୍ଷେପ ନିଆଯାଉଥିବା ରାଜ୍ୟ କମିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କହିଛନ୍ତି ।

କିଶୋରୀ ମାତୃତ୍ୱ ଓ ରକ୍ତ ସମ୍ପର୍କ ବିବାହ କ୍ଷେତ୍ରରେ ବି ଓଡ଼ିଶାର ତଥ୍ୟ ଉଦ୍‌ବେଗଜନକ । ସର୍ଭେ ଅନୁସାରେ ୧୫ରୁ ୪୯ ବର୍ଷ ବୟସ ବର୍ଗରେ ୧୩ ପ୍ରତିଶତ ମହିଳା ସେମାନଙ୍କ ରକ୍ତ ସମ୍ପର୍କୀୟଙ୍କୁ ବିବାହ କରୁଛନ୍ତି, ଯାହାକି ଦେଶରେ ଅଷ୍ଟମ ସର୍ବାଧିକ । ଏକ୍ଷେତ୍ରରେ ଜାତୀୟ ହାର ୧୧ ପ୍ରତିଶତ ଥିବା ବେଳେ ବେଳେ ତାମିଲନାଡ଼ୁରେ ସର୍ବାଧିକ ୨୮ ପ୍ରତିଶତ ମହିଳା ରକ୍ତ ସମ୍ପର୍କୀୟଙ୍କୁ ବିବାହ କରୁଥିବା ଜଣାପଡ଼ିଛି ।

କିଶୋରୀ ମାତୃତ୍ୱ କ୍ଷେତ୍ରରେ ନବମ ସ୍ଥାନରେ ରହିଛି ଓଡ଼ିଶା । ୨୦୧୯ରୁ ୨୧ ମଧ୍ୟରେ ରାଜ୍ୟର ୧୫ରୁ ୧୯ ବର୍ଷ ବୟସ ବର୍ଗର ୭.୫ ପ୍ରତିଶତ କିଶୋରୀ ମାତୃତ୍ୱ ଲାଭ କରିଛନ୍ତି କିଶୋରୀ । ଏଥିପାଇଁ ଶିଶୁ ଓ ମହିଳା ସୁରକ୍ଷା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥାଙ୍କୁ ଦାୟୀ କରଯାଉଛି । ତେବେ ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସଂଧ୍ୟାବତୀ ପ୍ରଧାନ କହିଛନ୍ତି ଯେ, ବାଲ୍ୟ ବିବାହ କାରଣରୁ ରାଜ୍ୟରେ କିଶୋରୀ ମାତୃତ୍ୱ ବଢ଼ୁଛି । ଏହାକୁ ରୋକିବା ଲାଗି ସରକାର ଅନେକ କାର୍ଯ୍ୟକ୍ରମ ଓ ସ୍କିମ ଆଣିଛନ୍ତି ।

NFHS ରିପୋର୍ଟରୁ ରାଜ୍ୟ ସରକାର ନିଶ୍ଚିତ ଶିକ୍ଷାଲାଭ କରିବେ ଓ ତ୍ରୁଟି ସୁଧାରି ଘରୋଇ ହିଂସା ରୋକିବା ଦିଗରେ ପଦକ୍ଷେପ ନେବେ ବୋଲି କୁହାଯାଇଛି ।

ରିପୋର୍ଟର- କପିଳେନ୍ଦ୍ର ପ୍ରଧାନ