ଆଗ ପଛ ହୋଇ ଚାଲିଗଲେ ବାପା-ମାଆ ! ଏବେ ୩ ଅନାଥ ପିଲାଙ୍କ କାହାଣୀ ଭିଜେଇଦେବ ଆଖି

ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।

Orphan

ବାପା ନାହାନ୍ତି କି ମାଆ ନାହାନ୍ତି। ଦିନେ ଖାଇଲେ ଦୁଇଦିନ ଉପାସ ରହୁଛନ୍ତି। ଏମାନେ ଏତେ ଛୋଟ ଛୋଟ ପିଲା ଯେ, ରୋଷେଇ କରି ଖାଇବା ଏମାନଙ୍କ ପାଇଁ ହୁଏତ ସବୁବେଳେ ସମ୍ଭବ ହେଉନି । ହେଲେ ବି ପେଟର ଭୋକ ଏମାନଙ୍କୁ ଏମିତି ବ୍ୟତିବ୍ୟସ୍ତ କରିପକାଉଛି ଯେ ବେଳେ ବେଳେ ପାଣି ପିଇ ରହିଯାଉଛନ୍ତି। ବଞ୍ଚିବା ପାଇଁ ଏମିତି ସଂଘର୍ଷ କରୁଛନ୍ତି ତିନି ଭାଇଭଉଣୀ ।

ଗଜପତି ଜିଲ୍ଲା ମୋହନା ବ୍ଲକ ପଦାସାହି ଗାଁର ମୃତ ଦଣ୍ଡାସି ମଲ୍ଲିକଙ୍କର ୩ ଜଣ ସନ୍ତାନ ଅଛନ୍ତି । ଗତ ଡ଼ିସେମ୍ବରରେ ବାପା ଆଉ ତାର ଠିକ୍‌ ୬ ମାସ ପରେ ମାଆ ଚାଲିଗଲେ । ଆଉ ବାପା-ମାଆଙ୍କୁ ହରାଇ ପିଲାମାନେ ଏବେ ଅନାଥ । ବାପାଙ୍କ ମୃତ୍ୟୁ ପରେ ଇଚ୍ଛା ନଥାଇ ପାଠ ଛାଡ଼ିଦେଲା ବଡ଼ ଝିଅ । ସରକାର ଦେଉଥିବା ୨୦ କିଲୋ ଚାଉଳ ଏବେ ଏମାନଙ୍କ ପାଇଁ ସବୁକିଛି ।

ବାପା-ମାଆ ଚାଲିଯିବା ପରେ ଏମାନେ ଦେଖିଥିବା ସବୁ ସୁନେଲୀ ସ୍ୱପ୍ନ ମାଟିରେ ମିଶିଗଲା । ତିନି ଭାଇଭଉଣୀ ଏବେ ପୂରା ଅସହାୟ । ବଡ଼ ଭଉଣୀ ଅନତି ମଲ୍ଲିକ ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫର୍ମ ଫିଲଅପ୍‌ କରିଥିଲେ ସୁଦ୍ଧା ପରୀକ୍ଷା ଦେଇପାରିଲାନି । ଟଙ୍କା ପଇସା ଅଭାବରୁ ଦୁଇ ଭାଇ ଗାଁରେ ବୁଲୁଛନ୍ତି, ପାଠ ପଢିବାର ଇଚ୍ଛା ଥିଲେ ବି ଏମାନଙ୍କ ପାଖରେ କୌଣସି ଉପାୟ ହିଁ ନାହିଁ ।

 

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏଇ ଭାଉଭଉଣୀ ଏମିତି ଅବସ୍ଥାରେ ଥିଲେ ମଧ୍ୟ ଏମାନଙ୍କ ଉପରେ ପ୍ରଶାସନ କିମ୍ବା ସରକାରୀ ବାବୁମାନେ ନଜର ଦେଇନାହାନ୍ତି । ସେପଟେ ଏନେଇ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ତୁରନ୍ତ ସେହି ପିଲାମାନଙ୍କୁ ଭେଟି ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାର ପ୍ରତିଶ୍ରୁତି ଦେଇଛନ୍ତି ।