/odishatv-khabar/media/post_attachments/uploadimage/library/16_9/16_9_0/IMAGE_1654484184.jpg)
3-in-1 Vadda
ଗ୍ୟାସ୍ ଉପରେ ଗରମ କଢେଇ ବସିଛି । ଆଉ ସେଥିରେ ଛଣା ଚାଲିଛି ଗରମ ଗରମ ବରା । ଦେଖିଲେ ପାଟିରୁ ନିଶ୍ଚୟ ପାଣି ବାହାରି ଆସିବ । ବରା ଖାଇବାକୁ କିଏ ବା ଭଲନପାଏ । ଗରମ ଗରମ ବରା ଖାଇବାକୁ ଆମ ସମସ୍ତଙ୍କୁ ଭଲ ଲାଗେ । କିନ୍ତୁ ଏ ବରାକୁ ବ୍ରିଟିଶ ଅମଳର ବରା ବୋଲି କୁହାଯାଉଛି । ଆଉ ଏହି ବରାର ଏତେ ସ୍ୱତନ୍ତ୍ରତା ରହିଛି ଯେ, କଡେଇରୁ ବାହାରୁ ବାହାରୁ ଲୋକେ ବୋହି ନେଇ ଯାଆନ୍ତି । ବ୍ରିଟିଶ ଅମଳର ବରା ଖାଇବାକୁ ଲାଗେ ଲମ୍ବା ଲାଇନ୍। ନାଁ ଯେମିତି ପ୍ରସ୍ତୁତି ବି ଠିକ୍ ସେମିତି। କାରଣ ଏହି ବରା ଖାଲି ବିରିରେ ନୁହେଁ ବରଂ ବୁଟ ଡାଲି ଆଉ ଆଳୁ ମିଶାଇ ତିଆରି ହୁଏ । ଆଉ ଏହାର ସ୍ୱାଦ ଏତେ ବଢିଆ ଯେ, ବରା ନେବାକୁ ଏଇ ଦୋକାନ ସାମ୍ନାରେ ଜମେ ଭିଡ଼।
କଟକ ଚାଉଳିଆଗଂଜ ତଳସାହିରେ ରହିଛି ଏହି ଖାସ୍ ବରା ଦୋକାନ। ବରାର ଭାଉ ଏତେ ଅଧିକ ଯେ, ଦୋକାନୀ ଭାଇ ଜଣକ କେବଳ ସନ୍ଧ୍ୟାରେ ହିଁ ତିଆରି କରନ୍ତି ଏଇ ବରା। ବରା ସାଙ୍ଗରେ ଦୋକାନୀ ଭାଇ ଜଣକ ଆଳୁଦମ୍ କିମ୍ବା ଘୁଘୁନି ବି ତିଆରି କରନ୍ତିନି। ଶୁଖିଲା ବରା ସାଙ୍ଗକୁ ଟିକିଏ ବିଟ୍ଲୁଣ ଆଉ ଗୋଟା କଂଚାଲଙ୍କାର ଛୁଙ୍କ। ଠିଆ ଠିଆ ଖାଇଦିଅନ୍ତି ଗରାଖ।
ମାଳତୀ ନାନିର ବରା ଏତେ ସୁଆଦିଆ ଯେ ଗ୍ରାହକ ଘୁଘୁନି କି ଆଳୁଦମ ଖୋଜନ୍ତି ହିଁ ନାହିଁ । ଲୋକେ ପଚାରି ପଚାରି ଆସନ୍ତି ମାଳତୀ ନାନି ବରା ଦୋକାନ କେଉଁଠି? ଏହି ବରାକୁ ଦେଖି ଅନ୍ୟ ଜାଗାରେ ତିଆରି କରୁଛନ୍ତି ଦୋକାନୀ କିନ୍ତୁ ଟେଷ୍ଟ ଆସୁନି ବୋଲି କୁହନ୍ତି ଲୋକେ ।
ତିନି ପିଢି ହେଲାଣି ସେଠାରେ ବରା ତିଆରି ହେଉଛି । ଏହି ବରାକୁ ଥ୍ରୀ ଇନ୍ ୱାନ ବରା ମଧ୍ୟ କୁହନ୍ତି । କାରଣ ବିରି, ଆଳୁ ଓ ବୁଟଡାଲି ଦେଇ ତିଆରି ହୁଏ ଏହି ବରା। ଆପଣ ଆଶ୍ଚର୍ଯ୍ୟ ହେବେ କି ବ୍ରିଟିଶ ଅମଳରୁ ତିଆରି ହୋଇ ଆସୁଥିବା ଏହି ବରା ଦୋକାନରେ ବୋର୍ଡଟିଏ ବି ଲାଗିନି। କିନ୍ତୁ କେବଳ ସନ୍ଧ୍ୟାରେ ତିଆରି ହେଉଥିବା ଏଇ ବରାକୁ ଖାଇବା ଲାଗି ଖୋଜି ଖୋଜି ଆସନ୍ତି ଲୋକେ । ଆଉ ସମସ୍ତଙ୍କ ମୁହଁରେ ଗୋଟିଏ କଥା ଏମିତି ସ୍ୱାଦ ଆଉ କେଉଁଠି ନାହିଁ। ସତରେ ମାଳତୀ ନାନି ବରାକୁ ନେଇ ଖାଲି କଟକ କାହିଁକି ବରଂ ପୂରା ରାଜ୍ୟରେ ବେଶ୍ ଚର୍ଚ୍ଚା ଚାଲେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)