Advertisment

ତିନି ବର୍ଷ ହେଲା କୋମାରେ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ

ଆଦିବାସୀଙ୍କୁ ଦରଦ ଦେଖାଇ ଭୁଲିଗଲେ କି ରାଜ୍ୟ ସରକାର? କୁଆଡେ ଗଲା ଆଦିବାସୀଙ୍କ ସ୍ୱାର୍ଥରେ ଗଠନ ହୋଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ?

ଅଦ୍ୟତନ ହୋଇଛି
undefined

Special development council

Advertisment

ପଦାରେ ପଡ଼ିଲା ରାଜ୍ୟ ସରକାରଙ୍କ ଆଦିବାସୀ ପ୍ରୀତି। ଗତ ନିର୍ବାଚନ ପୂର୍ବରୁ ଘୋଷଣା କଲେ ଆଉ ନିର୍ବାଚନ ପରେ ଭୁଲିଗଲେ।ଆମେ କହୁଛୁ ଆଦିବାସୀ ସ୍ବତନ୍ତ୍ର ବିକାଶ ପରିଷଦ କଥା।ସେପ୍ଟେମ୍ବର ୨୦୧୭ରେ ସରକାର ଘୋଷଣା କଲେ ୯ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ହେବ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ। ନିର୍ବାଚନ ପୂର୍ବରୁ ଗଠନ ବି ହେଲା, କୋଟି କୋଟି ଟଙ୍କାର ପାଣ୍ଠି ବି ଯୋଗାଇ ଦେଲେ ସରକାର ହେଲେ ନିର୍ବାଚନ ସରିବା ପରେ କୋମାରେ ଏସବୁ ସ୍ୱତନ୍ତ୍ର ବିକାଶ ପରିଷଦ। ଯାହାକୁ ନେଇ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି ବିରୋଧୀ। 

Advertisment

ଆଦିବାସୀଙ୍କୁ ଦରଦ ଦେଖାଇ ଭୁଲିଗଲେ କି ରାଜ୍ୟ ସରକାର? କୁଆଡେ ଗଲା ଆଦିବାସୀଙ୍କ ସ୍ୱାର୍ଥରେ ଗଠନ ହୋଇଥିବା ସ୍ୱତନ୍ତ୍ର ବିକାଶ ପରିଷଦ? ୩ ବର୍ଷ ହେଲା ବନ୍ଦ, କୋମାରେ ଏସବିସି। ମାଲକାନଗିରି, କୋରାପୁଟ, ନବରଙ୍ଗପୁର ଓ ରାୟଗଡ଼ା କାର୍ଯ୍ୟାଳୟରେ ମାସେ କି ବର୍ଷେ ନୁହେଁ ପ୍ରାୟ ତିନି ବର୍ଷ ହେଲା ନା ନିଯୁକ୍ତି ପାଉଛନ୍ତି ଅଧ୍ୟକ୍ଷ ନା ଚାଲିଛି ଅଫିସ୍। କୋରାପୁଟ ସ୍ବତନ୍ତ୍ର ଉନ୍ନୟନ ପରିଷଦ କାର୍ଯ୍ୟାଳୟରେ କେବଳ ଜିଲ୍ଲା ପ୍ରକଳ୍ପ ସଂଯୋଜକ ଏବଂ ଜଣେ ପିଅନରେ ଚାଲିଛି ଅଫିସ। ୨୦୧୯ ପରଠାରୁ ଏଠି ଆଉ ଅଧ୍ୟକ୍ଷ ନିଯୁକ୍ତି କରାଯାଇନି।

୨୦୧୭ -୧୮ ଏବଂ ୨୦୧୮-୧୯ରେ ୪୨ କୋଟି ଟଙ୍କା ଦିଆଯାଇଥିବା ବେଳେ ୨୧ କୋଟି ଟଙ୍କା ଏବେ ବି ଖର୍ଚ୍ଚ ନହୋଇ ପଡିରହିଛି। ଠିକ୍ ସେମିତି ମାଲକାନଗିରି ସ୍ୱତନ୍ତ୍ର ବିକାଶ ପରିଷଦ ଅଫିସ୍‌ର ଅବସ୍ଥା। ଏଠି ବି କେବଳ ୨ ଜଣ କିରାଣୀକୁ ଜଣେ ପିଅନ। ଅଗଷ୍ଚ ୨୦୨୧ରେ ମାନସ ମାଡକାମୀଙ୍କ କାର୍ଯ୍ୟକାଳ ସରିବା ପରେ ଆଉ ଅଧ୍ୟକ୍ଷ ନିଯୁକ୍ତ ହୋଇନାହାନ୍ତି। ତେଣୁ କାମ କଣ ହେଉଥିବ ସହଜରେ ଅନୁମେୟ।

Advertisment

ସେହିପରି ରାୟଗଡ଼ା ସ୍ୱତନ୍ତ୍ର ବିକାଶ ପରିଷଦ ଅଫିସ୍‌ରେ ଝୁଲୁଛି ତାଲା। ସୂଚନା ଅନୁସାରେ ଭଡା ଘରେ ପ୍ରାୟ ଅଢେଇ ବର୍ଷ ଧରି କାର୍ଯ୍ୟାଳୟ ଚାଲିବା ପରେ ଅଫିସର ସମସ୍ତ ଆସବାବପତ୍ର ନେଇଗଲେ। ନବରଙ୍ଗପୁର ଅବସ୍ଥା ଆହୁରି ଖରାପ ପୂର୍ବରୁ ଭଡ଼ା ଘରେ ଅଫିସ୍ ଚାଲିଥିବା ବେଳେ ଏବେ କିନ୍ତୁ ପୁରା ବନ୍ଦ। କାର୍ଯ୍ୟାଳୟର ସମସ୍ତ ସାମଗ୍ରୀ ITDA ଅଫିସ୍‌ରେ ପଡ଼ି ପଡ଼ି ଖତ ଖାଉଛି।

ଏଠି ପ୍ରଶ୍ନ, କଣ କେବଳ ଆଦିବାସୀ ଭୋଟ୍ ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ବିକାଶ ପରିଷଦର ପରିକଳ୍ପନା କରିଥିଲେ କି ସରକାର ? ରାଷ୍ଟ୍ରପତି ନିର୍ବାଚନରେ ଦୌପଦୀ ମୁର୍ମୁଙ୍କୁ ଆଗୁଆ ସମର୍ଥନ ଦେଇ ଆଦିବାସୀ ପ୍ରେମ ଦେଖାଇଥିବା ରାଜ୍ୟ ସରକାରଙ୍କ ଏ କେମିତି ନୀତି ? ଗୋଟିଏ ପଟେ ଆଦିବାସୀଙ୍କ ପ୍ରତି ଦରଦ ଦେଖାଇ ଜନଜାତି ତାଲିକାରେ ୧୬୦ଟି ସଂପ୍ରଦାୟକୁ ସାମିଲ କରିବାକୁ ନବୀନ କେନ୍ଦ୍ରକୁ ଚିଠି ଲେଖିଥିବା ବେଳେ ଅନ୍ୟପଟେ ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦର ଏ ଚିତ୍ର ସରକାରଙ୍କ ଅସଲ ଚେହେରା ସାମ୍ନାକୁ ଆଣିଛି ଯାହାକୁ ନେଇ ସରକାରଙକୁ କଡ଼ା ସମାଲୋଚନା କରିଛନ୍ତି ବିରୋଧୀ। 

Advertisment

୨୧ ସେମ୍ବେର ୨୦୧୭ରେ ରାଜ୍ୟର ୯ ଆଦିବାସୀ ଜିଲ୍ଲା ପାଇଁ ସରକାର ଗଠନ କରିଥିଲେ। ଆଦିବାସୀ ସ୍ୱତନ୍ତ୍ର ବିକାଶ ପରିଷଦ ପ୍ରତି ବର୍ଷ ବ୍ଲକ୍ ପିଛା ଦେଢ କୋଟି ଟଙ୍କା ଖର୍ଚ୍ଚ କରିବାର ଯୋଜନା ଥିଲା। ଉଦ୍ଦେଶ୍ୟ ଥିଲା ଆଦିବାସୀଙ୍କ କଳା, ସଂସ୍କୃତି ଓ ପରମ୍ପରାର ପ୍ରଚାର ପ୍ରସାରରେ ଖର୍ଚ୍ଚ କରି ବିକାଶ ସ୍ରୋତରେ ସେମାନଙ୍କୁ ସାମିଲ କରିବା। ତେବେ ଯୋଜନା ଏବେ ତା ବାଟରେ, ଆଉ ଆଦିବାସୀଙ୍କ ବିକାଶ ନିଜ ବାଟରେ।

(ରିପୋର୍ଟ-ଟି. ଗୌରୀଶଙ୍କର, ଜୟପୁର; ଜିତେନ୍ଦ୍ର ବେଉରା, ମାଲକାନଗିରି; ନବଘନ ବିଶୋୟୀ, ନବରଙ୍ଗପୁର; ମାଉଡି ବାରିକ, ରାୟଗଡ଼ା; ସୌମ୍ୟରଞ୍ଜନ ସାହୁ,  ଭୁବନେଶ୍ୱର) 

Special Development Council
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ