• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ୱାରଜୋନ୍ ୟୁକ୍ରେନରୁ କେମିତି ସୁରକ୍ଷିତ ଫେରିବେ ଭାରତୀୟ ଛାତ୍ରଛାତ୍ରୀ ? ସେମାନଙ୍କୁ ଉଦ୍ଧାର ଲାଗି ଆକୁଳ ନିବେଦନ ପରେ ତତ୍ପର ହୋଇଛନ୍ତି କେନ୍ଦ୍ର ସରକାର ଅପରେସନ ଗଙ୍ଗାକୁ ଜୋରଦାର କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ୪ ବରିଷ୍ଠ ମନ୍ତ୍ରୀ ହଙ୍ଗେରୀ, ପୋଲାଣ୍ଡ, ରୋମାନିଆ, ମାଲଡୋଭା ଓ ସ୍ଲୋଭାକିଆରେ ରହି ଉଦ୍ଧାର କାର୍ଯ୍ୟର ତଦାରଖ କରିବେ । ଏପଟେ ଓଡ଼ିଶା ଫେରିଥିବା କିଛି ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନ୍ଫ ରେନ୍ସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ । ୟୁକ୍ରେନ୍ରେ ଫସିଥିବା ଅନ୍ୟ ସବୁ ଓଡ଼ିଆ ଛାତ୍ରଛାତ୍ରୀଙ୍କୁ ଉଦ୍ଧାର ଲାଗି ପ୍ରୟାସ କରାଯାଉଥିବା ସେ ଜଣାଇଛନ୍ତି ।

ଯୁଦ୍ଧ ବିଭୀଷିକା ଭିତରେ ଫସି ରହିଥିବା ଜଣେ ଓଡ଼ିଆ ଛାତ୍ରଙ୍କ ଦୁର୍ଦ୍ଦଶାର କାହାଣୀରେ ଦେଖିବାକୁ ମିଳିଛି ଯେ, ଖାଇବାକୁ ନାହିଁ, ପିଇବା ପାଣି ନାହିଁ, ବିଜୁଳି ନଥିବାରୁ ୪ ଦିନ ହେଲା ବଙ୍କର ଭିତରେ ଘନ ଅନ୍ଧକାର । ତେଣେ ବଙ୍କର ବାହାରେ ବୋମା ଓ ରକେଟ୍ ମାଡର ଭୟଙ୍କର ଶଦ୍ଦ କ୍ଷଣ କ୍ଷଣକେ ଜୀବନ ପ୍ରତି ବିପଦ ଲାଗି ରହିଥିବା ବେଳେ ମୁକ୍ତିର ବାଟକୁ ଅନାଇ ରହିଛନ୍ତି ଶହ ଶହ ଓଡ଼ିଆ ଛାତ୍ରଛାତ୍ରୀ । ସେହିପରି ୟୁକ୍ରେନ୍ରେ ଫସିଥିବା ଜଣେ କଟକ ଛାତ୍ରୀ ଲୋଜାଲିନ୍ ସାହୁଙ୍କ ମନରେ ସିନା ଦକ, ହେଲେ ତାକୁ ପ୍ରକାଶ ନକରି ବିଚଳିତ ନହୋଇ ମାଆ ରାଜଲକ୍ଷ୍ମୀ ଧୈର୍ଯ୍ୟ ରଖିବାକୁ କହିଛନ୍ତି ।

ତେବେ ଏ କାହାଣୀ କେବଳ ଜ୍ୟୋତିରଞ୍ଜନ କିମ୍ବା ରାଜଲକ୍ଷ୍ମୀଙ୍କର ନୁହେଁ ୟୁକ୍ରେନର ୱାରଜୋନ୍ ରେ ଫସି ରହି ଭୟ ଓ ଆତଙ୍କ ଭିତରେ ସମୟ କାଟୁଥିବା ପ୍ରତ୍ୟେକ ଭାରତୀୟ ଛାତ୍ରଛାତ୍ରୀ ଓ ସେମାନଙ୍କ ପରିବାରର । ତେବେ ଯେଉଁମାନେ ଫେରି ଆସିଛନ୍ତି ସେମାନଙ୍କ ମୁହଁରେ ଆଶ୍ୱସ୍ତୀର ଛାପ ।

ୟୁକ୍ରେନ୍‌ରେ ଏବେ ବି ୧୬ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ ଫସି ରହିଛନ୍ତି । ଅଣ୍ଡରଗ୍ରାଉଣ୍ଡ ବଙ୍କର, ବମ୍ ସେଲଟର ଓ ହସଟେଲ ତଳେ ନିର୍ମିତ ସୁରକ୍ଷିତ ସ୍ଥାନରେ ଆଶ୍ରୟ ନେଇଛନ୍ତି ଭାରତୀୟ । ତେବେ ଉଦ୍ଧାର ପ୍ରକ୍ରିୟାକୁ ତ୍ୱରାନ୍ୱିତ ଲାଗି ଅପରେସନ ଗଙ୍ଗାକୁ ଜୋରଦାର କରିବାକୁ ଆଜି ଅନୁଷ୍ଠିତ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏଥିପାଇଁ ୪ ଜଣ ମନ୍ତ୍ରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଜ୍ୟୋତିରାଦିତ୍ୟ ସିନ୍ଧିଆ ରୋମାନିଓ ଓ ମାଲଡୋଭା, କିରଣ ରିଜିଜୁ ସ୍ଲୋଭାକିଆ, ହରଦୀପ ସିଂହ ପୁରୀ ହଙ୍ଗେରୀ ଏବଂ ଭିକେ ସିଂହ ପୋଲାଣ୍ଡରେ ରହି ଛାତ୍ରଛାତ୍ରୀ କିଭଳି ସୁରକ୍ଷିତ ଫେରିଆସିବେ ତାର ତଦାରଖ କରିବେ ।

ଏଣେ ଯୁକ୍ରେନରୁ ଫେରିଥିବା କିଛି ଓଡ଼ିଆ ଛାତ୍ରଛାତ୍ରୀଙ୍କ ସହ ଭିଡିଓ କନଫରେନସିଂରେ କଥା ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଫସି ରହିଥିବା ଅନ୍ୟ ସବୁ ପିଲାଙ୍କୁ ଉଦ୍ଧାର ଲାଗି ପ୍ରୟାସ କରାଯାଉଥିବା ସେ ଜଣାଇଛନ୍ତି । ଏନେଇ ସେ କେନ୍ଦ୍ର ଗୃହ ଓ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି ଓ ପୁଣି ଥରେ ଆଲୋଚନା କରିବେ ବୋଲ ପ୍ରତିଶ୍ରୁତି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ୟୁକ୍ରେନ୍ ରେ ଏବେ ମେଡିକାଲ ପଢୁଛନ୍ତି ୧୮ ହଜାରରୁ ଅଧିକ ଭାରତୀୟ ଛାତ୍ରଛାତ୍ରୀ । ତେବେ କଣ ପାଇଁ ୟୁକ୍ରେନ, ମେଡିକାଲ ପଢିବାକୁ ଚାହୁଁଥିବା ଭାରତୀୟ ଛାତ୍ରଛାତ୍ରୀଙ୍କ ପସନ୍ଦର ସ୍ଥାନ? ପ୍ରଥମ କାରଣ ହେଉଛି ଭାରତ ତୁଳନାରେ ଏଠାରେ ଖର୍ଚ୍ଚ ପ୍ରାୟ ଏକ ତୃତୀୟାଂଶ । ଭାରତୀୟ ଘରୋଇ ମେଡିକାଲ କଲେଜ୍ ରେ ବାର୍ଷିକ ୧୦ରୁ ୧୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ୟୁକ୍ରେନରେ ଖର୍ଚ୍ଚ ମାତ୍ର ୩ରୁ ୪ଲକ୍ଷ ।

ଦ୍ୱିତୀୟରେ ଭାରତରେ ଏମବିବିଏସ୍ ପଢିବାକୁ ହେଲେ କଷ୍ଟସାଧ୍ୟ NEET ପରୀକ୍ଷାରେ ଭଲ ମାର୍କ ରଖି ଯୋଗ୍ୟତା ଅର୍ଜନ କରିବାକୁ ପଡେ । ମାତ୍ର ନିଟ୍ ରାଙ୍କିଙ୍ଗର ଯେକୌଣସି ସ୍ଥାନରେ ରହିଲେ ବି ୟୁକ୍ରେନରେ ମେଡିକାଲ ପଢି ହେବ । ତୃତୀୟରେ ୟୁକ୍ରେନ୍ ର ଭିତ୍ତିଭୂମି ବିଶ୍ୱସ୍ତରୀୟ ଓ ଅଭ୍ୟାସ କରିବା ଲାଗି ଭଲ ସୁଯୋଗ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବିଶ୍ୱବ୍ୟାପୀ ୟୁକ୍ରେନ ମେଡିକାଲ ଡିଗ୍ରୀର ମାନ୍ୟତା ରହିଛି । ଇଣ୍ଡିଆନ ମେଡିକାଲ କାଉନସିଲ୍ ସମେତ ୱାଲର୍ଡ ହେଲ୍ଥ କାଉନସିଲ୍, ୟୁରୋପ ଓ ବ୍ରିଟେନ୍ ରେ ୟୁକ୍ରେନ ଏମ୍ବିବିଏସ୍ କୁ ସ୍ୱିକୃତୀ ଥିବାରୁ ଏଠାରୁ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀ ବିଶ୍ୱର ଯେ କୌଣସି ଦେଶରେ କାର୍ଯ୍ୟ କରିବାରେ କୌଣସି ପ୍ରତିବନ୍ଧକ ନାହିଁ ।

ରିପୋର୍ଟର- ରାଜଗାଙ୍ଗପୁରରୁ ବିଶ୍ୱକେତନ ରାୟ, କଟକରୁ ବିଶ୍ୱଜିତ୍ ଆଚାର୍ଯ୍ୟଙ୍କ ସହ ଦିଲ୍ଲୀରୁ ଶିବାନନ୍ଦ ରାଉତ