• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଗରିବ ବାପର ସୁନା ପୁଅ । ଅଟୋ ଚଳାଉଛନ୍ତି ବାପା, ପୁଅ ପାଇଲା ଗୋଲ୍ଡ ମେଡାଲ । ପାଠ ପଢ଼ିବାର ଝୁଙ୍କ ଆଗରେ ହାରିଗଲା ପ୍ରତିକୂଳ ପରିସ୍ଥିତି । ଖଟିଖିଆ ମଣିଷର ଅସୁବିଧା ବୁଝି କଠିନ ପରିଶ୍ରମ କରୁଥିଲେ କଟକ ଜିଲ୍ଲା ନିତ୍ୟଶ୍ରୀ ରଞ୍ଜନ ସ୍ୱାଇଁ । ଆଉ ଆଜି ସଫଳତା ପାଇଛନ୍ତି । ଶାଗ,ପଖାଳ ଖାଇ ମା’ ମୁହଁରେ ଖୁସି ଆଣିଦେଇଛନ୍ତି ।

କଟକ ଜିଲ୍ଲା ନରସିଂହପୁର ବ୍ଲକ୍‌ ବାଲିଝରି ପଞ୍ଚାୟତ ଅନ୍ତର୍ଗତ କଳାମାଟିଆ ଗ୍ରାମର ନିତ୍ୟଶ୍ରୀ ରଞ୍ଜନ ସ୍ୱାଇଁ । ବାପା ଜଣେ ଅଟୋଚାଳକ । ଅଟୋ ରିକ୍ସା ଚଳାଇ ଯେତିକି ଟଙ୍କା ରୋଜଗାର ହୁଏ ସେହି ଟଙ୍କାରେ ପରିବାର ଚଳେ । ସ୍ୱଳ୍ପ ରୋଜଗାରରେ ପୁଅର ପାଠ ପଢା ଖର୍ଚ୍ଚ ବି ବହନ କରନ୍ତି । ଯେତେ କଷ୍ଟ ହେଲେ ସୁଦ୍ଧା ପୁଅର ପାଠପଢାରେ ଅବହେଳା କରିନାହାନ୍ତି। ଆଉ ତା’ର ଫଳ ଏବେ ନିତ୍ୟଶ୍ରୀଙ୍କୁ ମିଳିଛି।

ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗ ସ୍ନାତକୋତ୍ତର ବିଷୟରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ଗତ ଏପ୍ରିଲ ୩୦ ତାରିଖ ଉତ୍କଳ ବିଶ୍ୱବିଦ୍ୟାଳୟର ୫୧ ତମ ସମାବର୍ତ୍ତନ ଉତ୍ସବରେ ନିତ୍ୟଶ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ମିଳିଛି । ତେବେ ଏହାର ଶ୍ରେୟ ସେ ଶିକ୍ଷକ, ଶିକ୍ଷୟିତ୍ରୀ ଓ ପିତାମାତାଙ୍କୁ ଦେଇଛନ୍ତି । ନିତ୍ୟଶ୍ରୀଙ୍କୁ ସ୍ୱର୍ଣ୍ଣ ପଦକ ମିଳିବା ପରେ କଳାମାଟିଆ ସମେତ ନରସିଂହପୁର ଅଂଚଲରେ ଖୁସିର ଲହରୀ ଖେଳିଯାଇଛି । ଶିକ୍ଷକ, ଶିକ୍ଷୟିତ୍ରୀ, ସହପାଠୀ ଓ ଅଂଚଳବାସୀ ତାଙ୍କୁ ଶୁଭେଚ୍ଛା ପ୍ରଦାନ କରିଛନ୍ତି।

ସେପଟେ ବାପା କହିଛନ୍ତି ପୁଅକୁ ସରକାରୀ ସହାୟତା ମିଳିଲେ ସେ ଆହୁରି ଆଗକୁ ଯାଇପାରନ୍ତା, ଆଉ ମାଆ କହିଛନ୍ତି ସାହାଯ୍ୟ ମିଳିଲେ ପୁଅ ମୋର ପ୍ରଫେସର ହୋଇପାରନ୍ତା ।