• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Minati Mishra

ବୃଦ୍ଧା ଜଣେ ଷ୍ଟେଶନରେ ଏପାଖ ସେପାଖ ହେଉଥାନ୍ତି। ମୁହଁରୁ ବ୍ୟସ୍ତତା ଆଉ ବିବ୍ରତ ଭାବ ବାରି ହୋଇପଡ଼ୁଥାଏ। କେହି ଜଣେ ପଚାରିଲେ- ‘ମାଉସୀ, କୁଆଡେ ଯିବ କି ? କିଛି ଅସୁବିଧା ହୋଇଛି କି ?’ ବୃଦ୍ଧା ଉତ୍ତର ଦେଲେ-ମୁଁ ମୋ ପୁଅ ପାଖକୁ ଯିବି। ହେଲେ କେମିତି ଯିବି, କେଉଁ ଟ୍ରେନରେ ଯିବି ଜାଣି ପାରୁନି।

ଭଦ୍ର ବ୍ୟକ୍ତି ଜଣକ ପଚାରିଲେ, ଆପଣଙ୍କ ପୁଅ କ’ଣ କରନ୍ତି ? ବୃଦ୍ଧା ଜଣକ ଉତ୍ତର ଦେଇଥିଲେ ‘ମୋ ପୁଅ ରେଳ ବିଭାଗରେ କାମ କରେ। କ’ଣ କରେ, କେଉଁ ପଦବୀରେ ମୁଁ ଜାଣେନି। ଏତିକି ଜାଣେ, ରେଳ ବିଭାଗରେ ତାର କାମ।’

ବୃଦ୍ଧାଙ୍କ ପୁଅକୁ କିଏ ଚିହ୍ନିଲା, କେମିତି ଚିହ୍ନିଲା ଜଣା ନାହିଁ। ତେବେ ଶେଷରେ ଜଣାପଡ଼ିଥିଲା, ସେ ବୃଦ୍ଧା ଆଉ କେହି ନୁହଁନ୍ତି। ସେ ରେଳ ମନ୍ତ୍ରୀଙ୍କ ମା’। ପରେ ଏକ ସ୍ୱତନ୍ତ୍ର ଟ୍ରେନ ତାଙ୍କ ପାଇଁ ଆସିଲା ଆଉ ସେ ପୁଅ ପାଖକୁ ଗଲେ। ହେଲେ କଥା ଏତିକିରେ ସରି ନ ଥିଲା। ମୁଖ୍ୟ କଥା ହେଲା, ଯେତେବେଳେ ପୁଅ ଜାଣିଲେ ଯେ ତାଙ୍କ ମା’ଙ୍କୁ ଏକ ସ୍ୱତନ୍ତ୍ର ଟ୍ରେନ ନେଇ ଆସିଛି ସେ ଖୁବ ବିରକ୍ତ ହୋଇଥିଲେ। ଏପରି କରିବା ଉଚିତ ହୋଇନାହିଁ ଏବଂ ଏପରି ଭୁଲ ପୁନର୍ବାର ନ କରିବା ପାଇଁ ବିଭାଗକୁ ତାଗିଦ କରିଥିଲେ ବିଭାଗୀୟ ମନ୍ତ୍ରୀ। 

ଏଇ ମହାନ ମନ୍ତ୍ରୀ କିଏ ଜାଣନ୍ତି ? ଏ ହେଉଛନ୍ତି ତତ୍କାଳୀନ ରେଳମନ୍ତ୍ରୀ ତଥା ଭାରତର ୨ୟ ପ୍ରଧାନମନ୍ତ୍ରୀ ଲାଲ ବାହାଦୂର ଶାସ୍ତ୍ରୀ। ତାଙ୍କ ବିଷୟରେ ବିଶେଷ କିଛି କହିବା ଦରକାର ନାହିଁ, ଏଇ ଛୋଟିଆ ଘଟଣାଟି ହିଁ ତାଙ୍କ ସରଳ,ସାଧାରଣ ଜୀବନ ଓ ଉଦାର ବ୍ୟକ୍ତିତ୍ୱର ପରିଚୟ ।

ଆଜି ତାଙ୍କ ଜନ୍ମଦିନରେ ସେ ଅମର ଆତ୍ମାକୁ ସଶ୍ରଦ୍ଧ ଶ୍ରଦ୍ଧାଞ୍ଜଳି। ଆସନ୍ତୁ ଜାଣିବା ତାଙ୍କ ବିଷୟରେ କିଛି ରୋଚକ କଥା।

୧୯୦୪ ମସିହାରେ ଜନ୍ମଗ୍ରହଣ କରିଥିଲେ ଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ଭାବେ ଦେଶବାସୀ ତାଙ୍କୁ ସବୁଦିନ ପାଇ ମନେରଖିଥିବେ । ଜଣେ ଗରିବ ପରିବାରରୁ ଯାଇ ପ୍ରଧାନମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ ଲାଲ ବାହାଦୂର ଶାସ୍ତ୍ରୀ । ସ୍କୁଲ ଶିକ୍ଷା ସମୟରୁ ହିଁ ସେ ସ୍ୱାଧୀନତା ସଂଗ୍ରାମ ପ୍ରତି ଆଗ୍ରହ ଦେଖାଇଥିଲେ। ୧୯୨୮ ମସିହାରେ ସେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇଥିଲ। ନେତାଙ୍କ ମୁହଁରୁ ଶୁଣୁଥିବା ‘ଜୟ ଯବାନ ଜୟ କିଶାନ’ ଥିଲା ଶାସ୍ତ୍ରୀଙ୍କ ସ୍ଲୋଗାନ

-୧୬ ବର୍ଷ ବୟସରେ ଶାସ୍ତ୍ରୀଜୀ ମହାତ୍ମା ଗାନ୍ଧୀଙ୍କ ଡାକରାରେ ପାଠପଢା ଅଧାରୁ ଛାଡ଼ି ସ୍ୱାଧୀନତା ଅନ୍ଦୋଳନରେ ଝାସ ଦେଇଥିଲେ। ଯଦିଓ ପରିବାର ଲୋକ ଜାଣିଥିଲେ, ଅତି ସରଳ, ଅମାୟିକ ଦିଶୁଥିବା ଏଇ ପିଲାଟିର ନିଷ୍ପତ୍ତି, ବିଚାରଧାରା ପଥର ପରି ଟାଣ ତଥାପି ତାଙ୍କୁ ପଠପଢା ନ ଛାଡ଼ିବା ପାଇଁ ବୁଝାଇଥିଲେ। ହେଲେ କିଛି ପ୍ରଭାବ ପଡ଼ି ନ ଥିଲା। ଶାସ୍ତ୍ରୀଜୀ ପାଠ ପଢା ଛାଡ଼ି ସ୍ୱାଧୀନତା ସଂଗ୍ରାମରେ ଯୋଗ ଦେଇଥିଲେ।

-ଶାସ୍ତ୍ରୀ ଖାଦ୍ୟ ଓ କପଡାର ଦୁଦୁପଯୋଗ ଆଦୌ କରୁ ନ ଥିଲେ। କୁହାଯାଏ, ସେ ଚିରା ଓ ପୁରୁଣା କପଡାରେ ରୁମାଲ ତିଆରି କରି ବ୍ୟବହାର କରୁଥିଲେ। ଥରେ ପତ୍ନୀ ଏହାକୁ ବାରଣ କରିବାରୁ ଶାସ୍ତ୍ରୀଜୀ କହିଥିଲେ, ଦେଶରେ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କ ଗୁଜରାଣ ଏମିତି ହିଁ ହୁଏ।

-୧୯୬୫ରେ ଦେଶରେ ଆର୍ଥିକ ସ୍ଥିତି ବିଗିଡ଼ି ଯାଇଥାଏ। ଏହି ସମୟରେ ଶାସ୍ତ୍ରୀଜୀ ନିଜ ଦରମା ନେବା ବନ୍ଦ କରି ଦେଇଥିଲେ। ସେ ନିଜ ଘରେ କାମ କରୁଥିବା ବାଈକୁ ମଧ୍ୟ ମନା କରି ଦେଇଥିଲେ। ନିଜ କାମ ନିଜେ କରୁଥିଲେ। ଏପରିକି ନିଜର ଚିରାଫଟା ସାର୍ଟକୁ କୋଟ୍‌ ତଳେ ପିନ୍ଧି ଚଳାଇ ଦେଉଥିଲେ।

-ଶାସ୍ତ୍ରୀଜୀ ରେଳମନ୍ତ୍ରୀ ଥିବା ସମୟରେ କାଶୀରେ ତାଙ୍କର ଏକ କାର୍ଯ୍ୟକ୍ରମ ଥିଲା। ଯିବା ବାଟରେ ତାଙ୍କର ଜଣେ ସହକର୍ମୀ ତାଙ୍କୁ କହିଲେ- ସାର୍, ଆପଣଙ୍କ ସାର୍ଟ ଫାଟି ଯାଇଛି। ଶାସ୍ତ୍ରୀଜୀଙ୍କ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନ ଥିଲା। ସେମିତି ବିନମ୍ର କଣ୍ଠରେ ଉତ୍ତର ଦେଇଥିଲେ- ‘ଗରିବ ପିଲା, ଏମିତି ରହିବାକୁ ପଡ଼ିବ । ଗରିବ ହେଲେ ସିନା ଗରିବଙ୍କ ଦୁଃଖ ବୁଝି ପାରିବି।’

-ଶାସ୍ତ୍ରୀଜୀ ସବୁବେଳେ ସତ୍ୟାଗ୍ରହର ସମର୍ଥକ ଥିଲେ। ଏପରିକି ବିରୋଧୀମାନଙ୍କର ପୂରା ଧ୍ୟାନ ରଖୁଥିଲେ। ଗୃହମନ୍ତ୍ରୀ ଥିବା ସମୟରେ ସେ ପ୍ରଥମଥର ପାଇଁ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଲାଠିଚାର୍ଜ ବଦଳରେ ପାଣିମାଡ଼ କରିବାକୁ କହିଥିଲେ। କେହି ବିକ୍ଷୋଭକାରୀ ଯେମିତି ଆହତ ହେବେନି ସେଥିପାଇଁ ସେ ଏପରି ନିର୍ଦ୍ଦେଶ ଦେଇଥିଲେ।

.

OTV is now on Whatsapp

Join and get latest news update delivered to you via whatsapp

Join Now