ପରିବା ଦରରେ ଲାଗିଛି ନିଆଁ; ବଜାରରୁ ଘର ସବୁଠି ପରିବା ଚର୍ଚ୍ଚା

ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ ।

ପରିବା ଦରରେ ନିଆଁ

ଲଗାତାର ଭାବେ ବଢିଚାଲିଛି ପରିବା ଦର । ଗତକାଲି ଯାହା ୬୦ ଥିଲା ଆଜି ୮୦ ପାର୍ । ବଜାରରୁ ଘର, ଘରଠୁ ହୋଟେଲ ସବୁଠି ପରିବା ଚର୍ଚ୍ଚା । ବର୍ଦ୍ଧିତ ଦରରେ କେବେ ଲାଗିବ ରୋକ୍ ସେନେଇ ଚିନ୍ତାରେ ଖାଉଟି । ଏପଟେ ଆମଦାନୀ ସ୍ୱାଭାବିକ ହୋଇପାରିଲେ ଦରଦାମରେ ପରିବର୍ତ୍ତନ ଆସିବା ନେଇ ଆଶାବାଦୀ ବ୍ୟବସାୟୀ ।

ପରିବା ବଜାରରେ ନିଆଁ । କଟକଠୁ ନେଇ ଜୟପୁର୍, ବ୍ରହ୍ମପୁରଠୁ ଭୁବନେଶ୍ୱର, ସବୁଠି ବଜାରରେ ହା ହା କାର । ୮୦ ତଳକୁ ବଜାରରେ ପରିବା ନାହିଁ । ଆଉ ଟଙ୍କା ହଜାରେ ନହେଲେ ବ୍ୟାଗ ଭର୍ତ୍ତି ହେଉନାହିଁ । ହାଟକୁ ଆସୁଥିବା ଗ୍ରାହକ ଦର ଶୁଣିଦେଲେ କାନମୁଣ୍ଡା ଆଉଁସି ଘରକୁ ଫେରିବା ସାର । ପରିବା କିଣିବାକୁ ଇଛା ଥିଲେ ବି ଆବଶ୍ୟକତା ହିସାବରେ ନୁହେଁ ବରଂ ପକେଟକୁ ଦେଖି ଅଢ଼େଇ ଶହ ନହେଲେ ଅଧାକିଲୋ କିଣି ନେଉଛନ୍ତି । ଗତ କିଛି ଦିନ ହେବ ପରିବା ମାର୍କେଟର୍ ଦରବୃଦ୍ଧି ଗ୍ରାହକଙ୍କୁ ଅସ୍ତବ୍ୟସ୍ତ କରୁଛି । ରାଜଧାନୀ ହାଟକୁ ଦେଖିଲେ ଟମାଟୋ କିଲୋ ୧୨୦ ପାର। ବିନ୍ସ ୧୬୦ ଟଙ୍କା, ପୋଟଳ, ଭେଣ୍ଡି, ବାଇଗଣ ୮୦ ଟଙ୍କା ରେ ବିକ୍ରି ହେଉଛି ।

ଚଢା ଦରର ଏ ବଜାରକୁ ନେଇ ଅଧିକ ଚିନ୍ତାରେ ଗୃହିଣୀ । ପରିବା ଡାଲାରୁ ଗାଏବ ପରିବା । କାଁ ଭାଁ ଗୋଟେ ଯୋଡେ ପରିବା ଡାଲାରେ ପଡିଥିବା ବେଳେ ଆଉ ଆଣିବାକୁ ଇଛା ହେଉନଥିବା କହିଛନ୍ତି ଗୃହିଣୀ । ଏହାକୁ ଦେଖି ନିରାମିଷଠୁ ଆମିଷ ଖାଇବା ଭଲ ବୋଲି ମତ ରଖିଛନ୍ତି ।

କେବଳ ଗୃହିଣୀ କିମ୍ବା ସାଧାରଣ ଲୋକେ ନୁହେଁ ବରଂ ହୋଟେଲ ବ୍ୟବସାୟୀ ବି ଏବେ ଚିନ୍ତାରେ । ହୋଟେଲରେ ସର୍ବାଧିକ ବ୍ୟବହୃତ ଜିନିଷ ଟମାଟୋ, ଲଙ୍କା, ରସୁଣଠୁ ନେଇ ପନିପରିବା ସବୁର ଦର ଦେଖିଲେ ହୋଟେଲ ମାଲିକ କିଭଳି ବ୍ୟବସାୟ କରିବେ ସେନେଇ ଚିନ୍ତାରେ । ନିରାମିଷ ଭୋଜନ ପରସୁଥିବା ହୋଟେଲମାନେ ବେଶି ଦହଗଞ୍ଜ ହେଉଛନ୍ତି । ପରିବାର ଦରଦାମ ଦେଖି ହୋଟେଲ ମେନ୍ୟୁକୁ ସୀମିତ କରାଯାଇଥିବା କହିଛନ୍ତି ହୋଟେଲ ମାଲିକ । ବାହାର ରାଜ୍ୟରୁ କମ ଆମଦାନୀ ଦରବୃଦ୍ଧିର ପ୍ରମୁଖ କାରଣ ହୋଇଥିବାବେଳେ ଦର କେବେ ଖସିବ ତାକୁ ଅନାଇ ବସିଛନ୍ତି ଗ୍ରାହକ ।