• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଦୁଇ ମହଲା ବିଶିଷ୍ଟ ଅତ୍ୟାଧୁନିକ କୋଠା। ଦିଶୁଛି ସମ୍ଭ୍ରାନ୍ତ ହୋଟେଲ ଭଳି । ରହୁଛନ୍ତି ଭିକ୍ଷୁକ , ଗରିବ ଓ  ଦିବ୍ୟାଙ୍ଗ ଲୋକ । ରହିବା, ଖାଇବା ସାଙ୍ଗକୁ ସ୍ୱାସ୍ଥ୍ୟର ଯତ୍ନ ସବୁକିଛି ମାଗଣାରେ । ଭିତରେ ବି ରୁମ ଠାରୁ ଆରମ୍ଭ କରି ବାଥରୁମ ଯାଏ ସବୁ ଖୁବ ସୁନ୍ଦର ।

ଦୂରରୁ ଏହା ଏକ ରାଜପ୍ରାସାଦ ଭଳି ଦିଶୁଛି । କୋଠାର ନିର୍ମାଣ ଶୈଳୀ ଦେଖିଲେ ଜମା ଲାଗିବନି, ଏହା ଏକ Old Age Home ବୋଲି । ଭିକାରୀ ମାନଙ୍କୁ ରାସ୍ତା କଡରୁ ଆଣି ଏକ ଘରୋଇ ପରିବେଶରେ ରଖାଯାଉଛି ।  ଜିଲ୍ଲାକୁ  ଭିକାରୀ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଥିବା କାର୍ଯ୍ୟକ୍ରମର ଏହା ଏକ ଅଂଶ ବିଶେଷ ।  ସମ୍ବଲପୁର ଜିଲ୍ଲା କଟାପାଲି ଠାରେ ତିଆରି ହୋଇଛି ଏହି  କୋଠା । ପ୍ରାୟ 20  ଏକର ପରିମିତ ଜମିରେ ଏହି ଜରା ନିବାସ ନିର୍ମାଣ ହୋଇଛି ।

ଏଠାରେ  ତଳ ମହଲାରେ ରହିଛି ୪୫ଟି ରୁମ,  ୨ଟି ଡର୍ମିଟୋରୀ, ଡାଇନିଙ୍ଗ ହଲ, ଅଫିସ ରୁମ୍ ଓ କାଉନସେଲିଂ ରୁମ୍ । ସେହିପରି ଉପର ମହଲା ରେ ରହିଛି ୬୭ଟି ରୁମ । ମୋଟ  ୨୫୦ ଜଣଙ୍କ ରହିବା ପାଇଁ ବ୍ୟବସ୍ଥା ରହିଛି । ପୂର୍ବରୁ ଉଦଘାଟିତ ହୋଇଥିବା ଏହି ବିଲଡ଼ିଙ୍ଗରେ  ଆନୁଷ୍ଠାନିକ ଭାବେ ଅନ୍ତେବାସୀ ମାନେ ରହିବା ଆରମ୍ଭ କରିଛନ୍ତି । ଉତ୍ତରାଞ୍ଚଳ R.D.C  ଜରା ନିବାସକୁ ଯାଇ ଅନ୍ତେବାସୀ ମାନଙ୍କ ରହଣୀ ବ୍ୟବସ୍ଥାର ଅନୁଧ୍ୟାନ କରିଛନ୍ତି ।

 

ପ୍ରାଥମିକ ପର୍ଯ୍ୟାୟରେ ଅଳ୍ପ କେଇ ଜଣ ବୃଦ୍ଧ ଓ  ବୃଦ୍ଧାଙ୍କୁ ଆଣି ରଖାଯାଇଛି । ସେମାନଙ୍କ ମଧ୍ୟରୁ କିଏ ଭିକ୍ଷା ବୃତ୍ତି କରି ଚଳନ୍ତି ତ ଆଉ କାହାର ନିଜ ସଂପର୍କୀୟ ଲୋକ କେହି ନାହାନ୍ତି । ଏଠାରେ ସେମାନଙ୍କ ଶୋଇବା ପାଇଁ ଖଟ ର ବ୍ୟବସ୍ଥା ସାଙ୍ଗକୁ ଖାଇବା ସୁବିଧା  ରହିଛି । ଏମାନେ ଆଉ ବାହାରେ ବୁଲିବେ ନାହିଁ କି ଭିକ୍ଷା ବୄତ୍ତି କରିବେ ନାହିଁ ବୋଲି କହିଛନ୍ତି ଅନେକ ଅସହାୟ ।

ପ୍ରାୟ ୧୬ କୋଟି ୧୦ ଲକ୍ଷ ଟଙ୍କା ବ୍ୟୟ ରେ ନିର୍ମିତ ହୋଇଥିବା ଏହି ଜରା ନିବାସ ରେ ଆଗକୁ ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ କରାଯିବ । ଏହାକୁ କେବଳ ଏକ ଜରା ନିବାସ ନୁହେଁ, ଏକ Integrated Infrastructure Complex ବୋଲି କୁହାଯାଉଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଦ୍ଵାରା ଏହି କେନ୍ଦ୍ର ନିର୍ମାଣ କରାଯାଇଛି । ଏଠାରେ ଆଗକୁ ବହୁବିଧ କାର୍ଯ୍ୟକ୍ରମ କରାଯିବ ବୋଲି କହିଛନ୍ତି ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା ।

(ସମ୍ୱଲପୁରରୁ ସଞ୍ଜୟ ଜେନାଙ୍କ ରିପୋର୍ଟ)