• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସ୍ୱାର୍ଥପର ଦୁନିଆରେ ଜଣେ ନିସ୍ୱାର୍ଥପର ମଣିଷ । ଗୋ ସେବାରେ ନିଜକୁ ସମର୍ପି ଦେଇଛନ୍ତି । ପରିବାର ଲୋକଙ୍କୁ ପଛକୁ କରି ସବୁ ବେଳେ ନିଜକୁ ପ୍ରସ୍ତୁତ କରିଥାଆନ୍ତି ଗୋସେବା ପାଇଁ । ଆଷାଢରେ ବର୍ଷା ହେଉ କି ବୈଶାଖ ପ୍ରଚଣ୍ଡ ଖରା କିମ୍ବା ମାଘ ମାସର ବାଘ ଭଳି ଶୀତକୁ ଖାତିରି ନକରି ରାତି ଦିନ ଏକ କରି ଲାଗି ପଡନ୍ତି ଗୋ ସେବାରେ । ଦୁର୍ଘଟଣାଗ୍ରସ୍ତ ଗାଈଗୋରୁ କିମ୍ବା ଅସୁସ୍ଥ ଗାଈଗୋରୁଙ୍କ କଥା କାନରେ ବାଜିଲେ ତାଙ୍କ ମନ ସ୍ଥିର ରହିପାରେନି । ଭୋରରୁ ହେଉ କି ଅନ୍ଧାରରେ ଗୋମାତାଙ୍କ ସେବା ପାଇଁ ଆଗେଇ ଆସନ୍ତି । ଗୋ ସେବାରୁ ତାଙ୍କୁ ଅଫୁରନ୍ତ ଆନନ୍ଦ ମିଳେ । ଆଉ ଏଥିପାଇଁ ପ୍ରମୋଦ ଦାସ ନାମକ ଯୁବକ ଏବେ ଚର୍ଚ୍ଚାରେ । ଦୁର୍ଘଟଣାଗ୍ରସ୍ତ ଗୋରୁଗାଈ ଅଥବା ଷଣ୍ଢକୁ ଚିକିତ୍ସା ଯୋଗାଇ ଦେବା ତାଙ୍କର କାମ । ବିନା ସ୍ୱାର୍ଥରେ ବିନା ପାରିଶ୍ରମିକରେ ଏକ ବିରଳ ବୃତ୍ତିକୁ ଆଦରି ନେଇଥିବା ଏହି ଯୁବକଙ୍କ ଭବିଷ୍ୟତ ସନ୍ଦୀହାନ ।

ଭଦ୍ରକ ଜିଲ୍ଲା କୋଠାର ଗାଁର ପ୍ରମୋଦ । କଳାରେ ସ୍ନାତକ ଡିଗ୍ରୀ ହାସଲ କରିଥିବା ଏହି ଯୁବକ ଏବେ ଚର୍ଚ୍ଚାରେ । ନିଜ ଗାଁ କୋଠାରରୁ ଭଦ୍ରକ ସହରକୁ ଆସିଥିବା ବେଳେ ଦିନେ ହଠାତ ଏକ ଦୁର୍ଘଟଣାଗ୍ରସ୍ତ ଗାଈକୁ ଦେଖି ନିଜକୁ ସମ୍ଭାଳି ପାରିନଥିଲେ । ତାର ଚିକିତ୍ସା ପାଇ ଲାଗି ପଡିଥିଲେ । ଗାଇଟି ଦୁଇରୁ ତିନି ମଧ୍ୟ ସୁସ୍ଥ ହୋଇଥିଲା । ତାପରେ ଗାଇଟି ଚାଲିବା ବୁଲିବା ଦେଖି ସେ ଆନନ୍ଦିତ ହୋଇଥିଲେ । ତାପରେ ଏହି ଭଳି ଗାଇଗୋରୁ ଓ ବୁଲା ଷଣ୍ଢଙ୍କ ପ୍ରତି ଆପଣାର ଭାବ ବଢି ଚାଲିଲା । ଦୀର୍ଘ ୧୦ ବର୍ଷ ହେବ ଏହି କାମ କରି ବେଶ ଆନନ୍ଦ ପାଉଛନ୍ତି । ଭଦ୍ରକରେ ଯେଉଁ ଠାରେ ଦୁର୍ଘଟଣାଗ୍ରସ୍ତ ଗୋରୁ, ଗାଈ ଅଥବା ଷଣ୍ଢଙ୍କୁ ଚିକିତ୍ସା ଯୋଗାଇ ଦେବା ତାଙ୍କର କାମ । ଏହାସହ ଅସହାୟ ଭାବେ ମରି ପଡ଼ିଥିବା ଗୋରୁ, ଗାଈ ଓ ଷେଣ୍ଢଙ୍କ ସବ ସତ୍କାର ମଧ୍ୟ କରନ୍ତି ପ୍ରମୋଦ ।

ଧୀରେ ଧୀରେ ପ୍ରମୋଦଙ୍କ ଏହି ଗୋ ସେବା ବାବଦରେ ଅନେକ ଲୋକ ଜାଣିବା ପାରେ ତାଙ୍କୁ ଏବେ ବିଭିନ୍ନ ଆଡୁ ଫୋନ ଆସୁଛି । ପ୍ରମୋଦ ଏବେ ସୁଦ୍ଧା ପାଖାପାଖି ୧୦୦୦ରୁ ଊଦ୍ଧ ଗୋରୁଗାଈ ଓ ଷଣ୍ଢକୁ ଚିକିତ୍ସା କରିଛନ୍ତି । ଏହିଭଳି ଗୋସେବା ଆଗ୍ରହ ଯୋଗୁଁ ପ୍ରମୋଦ ବେଶ ପ୍ରଶଂସା ସାଉଁଟିଛନ୍ତି । ଗୋସେବାକୁ ବାରଣ କରୁ ନଥିଲେ ମଧ୍ୟ ପୁଅର ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି ପରିବାର ଲୋକ । ଭଦ୍ରକ ସହର ଦେଇ ଯାଇଥିବା ୧୬ନଂ ଜାତୀୟ ରାଜପଥର କଡରେ ହେଉ କି ସହର ଭିତରେ ସବୁ ଦିନ କେଉଁଠି ନା କେଉଁଠି ଗାଇ ଗୋରୁ ଓ ଷଣ୍ଢ ମାନେ ଦୁର୍ଘଟଣାର ଶିକାର ହୋଇଥାଆନ୍ତି । ଆରଡ଼ି ଛକ ନିକଟରେ ରାଜପଥ କଡ଼ରେ ଥିବା ଗାଁରେ ପ୍ରମୋଦଙ୍କ ଘର । ଆଉ ଦୈନିକ ଯିବା ଆସିବା ଭିତରେ ରାଜପଥରେ ଅନେକ ଗାଈ ଗୋରୁ ଦୁର୍ଘଟଣାରେ ଜୀବନ ହାରିବା ଓ ଆହତ ହେବା ଦୁର୍ଘଟଣାରେ ଆହତ ଗୋରୁଙ୍କୁ ପଶୁ ଡାକ୍ତରଙ୍କ ପରାମର୍ଶ ନେଇ ଚିକିତ୍ସା କରନ୍ତି ପ୍ରମୋଦ ।

ପ୍ରମୋଦଙ୍କ ମାଆ ଓ ବାପା ପୁଅର ଏଭଳି କାର୍ଯ୍ୟ ପାଇଁ ଖୁସି । ପରିବାର ଲୋକଙ୍କ ବ୍ୟତୀତ ଭଦ୍ରକର ଅନେକ ବୁଦ୍ଧିଜିବୀ ତାଙ୍କର ଏଭଳି କାର୍ଯ୍ୟକୁ ବେଶ ପ୍ରଶଂସା କରନ୍ତି ।  ପୁଅର ଏମିତି ଗୋ ସେବା କରୁଥିବ ନା ପରିବାର କଥା ବୁଝିବ ତାଙ୍କୁ ନେଇ ଦୋଛକିରେ ଅଛି ମାଆର ମନ । ବର୍ତ୍ତମାନ ସମାଜରେ ଯୁବପୀଢ଼ିଙ୍କ ମଧ୍ୟରୁ ଅନେକ ଯୁବକ ଜୀବନ ଜୀବିକା ପାଇଁ ଚାକିରି ପଛରେ ଧାଉଁଥିବା ବେଳେ ପ୍ରମୋଦଙ୍କ ଭଳି ଯୁବକ ନିଜର ଭବିଷ୍ୟତକୁ ତୁଛ କରି ଗୋସେବାରେ ନିଜକୁ ସମର୍ପିତ କରିବା ନିଶ୍ଚୟ ସମାଜ ପାଇଁ ଏକ ବିରଳ ଉଦାହରଣ ।

ଭଦ୍ରକରୁ ପାର୍ଥ ସାରଥୀ ନାୟକଙ୍କ ରିପୋର୍ଟ