• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଇତସ୍ତତଃ ହେଉଛି...ଆଧାର କାର୍ଡ ଧରି ଗାଁ ଗାଁ ବୁଲୁଛି । ପୁଣି ଇଆଡେ ସିଆଡେ ଚାହିଁ ରହୁଛି...କଣ ଭାବୁଛି କେଜାଣି ଗାଡି ଧରି ପଳେଇ ଯାଉଛି । ଏମିତି ଦୃଶ୍ୟ ଦେଖିବା ପରେ କେହି କିଛି ବୁଝିପାରିବେନି ।  ପ୍ରଶ୍ନ କରିବେ ସିଏ କିଏ? କାହାକୁ ଖୋଜୁଛନ୍ତି? କାହିଁକି ଖୋଜୁଛନ୍ତି? ହେଲେ ଘଟଣା ଜାଣିଲେ ଆପଣ ବି ଭଗବାନଙ୍କ ପାଖରେ ପ୍ରାର୍ଥନା କରିବେ ଆଉ କହିବେ ଝିଅ ତାଙ୍କର ମିଳିଯାଉ ।

ବାଲେଶ୍ୱର ନୀଳଗିରି ବରହମପୁର ଥାନା ଗରଡି କୀର୍କିଚିଆ ଗାଁର ଅର୍ଜୁନ ସିଂ। ସକାଳ ହେଲେ ପର ଦୁଆରେ ମୂଲ ଲାଗିଲେ ଘରେ ଚୁଲି ଜଳେ । ପରିବାର ପେଟରେ ଦାନା ପଡେ । ଘରେ ୭ ବର୍ଷର ଝିଅ ଅର୍ଜୁନଙ୍କର ଭାରି ଗେହ୍ଲା । ପର ଦୁଆରେ ମୂଲ ଲାଗି ସେ ଯେତେବେଳେ ଘରକୁ ଫେରନ୍ତି ସେତେବେଳେ ୭୦ ବର୍ଷର ବୁଢୀ ମାଆ ପରି କୁନି ଝିଅ ସେଲିନା ତାଙ୍କର ସେବା ଯତ୍ନ କରେ...ଗାମୁଛାରେ ମୁହଁ ପୋଛି ଦିଏ । ହେଲେ ଆଜି ସିଏ ଘରେ ନାହିଁ...ଆଉ ତା’ର ଅନୁପସ୍ଥିତିକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ପରିବାର ଲୋକ..ସେଇଥି ଲାଗି ତ ଲୁନା ଧରି ଝିଅକୁ ଖୋଜିବାକୁ ବାହାରିଛନ୍ତି ଅର୍ଜୁନ । ହେଲେ ଏଯାଏ ପାଇନାହାନ୍ତି ।

ଅର୍ଜୁନ ଯେତିକି ଯାହା ରୋଜଗାର କରୁଥିଲେ ସେତିକିରେ ବେଶ୍‌ ହସଖୁସିରେ ଚଳୁଥିଲା ପରିବାର । ହେଲେ ୪ ଦିନ ତଳେ ମାଆ କୌଣସି କାରଣରୁ ଗାଳି ଦେବାରୁ ଘର ଛାଡି ପଳାଇଯାଇଛି ସେଲିନା । କୁଆଡେ ଯାଇଛି? କେମିତି ଯାଇଛି ସେନେଇ କିଛି ଖୋଜଖବର ବି ନାହିଁ । ହେଲେ ଅଲିଅଳି ଝିଅକୁ ନପାଇ ଏବେ ଏମିତି ପାଗଳ ପରି ହେଉଛି ବାପା ।

ଦୋକାନରୁ ଦୋକାନ ଆରମ୍ଭ କରି ଛକଛକରେ ଝିଅର ଫଟୋ ଓ ଆଧାରକାର୍ଡ ଧରି ଖୋଜି ବୁଲୁଛନ୍ତି ଅର୍ଜୁନ। ଆଉ ହାତ ଯୋଡି କହୁଛନ୍ତି ଝିଅକୁ ଦେଖିଲେ ମତେ ଟିକିଏ ଜଣାଇଦେବେ । ଝିଅର ନିଖୋଜ ସମ୍ପର୍କରେ ଥାନାରେ ଲିଖିତ ଭାବରେ ସେ ଅଭିଯୋଗ କରିଛନ୍ତି ହେଲେ ଏଯାଏ ଝିଅ ମିଳିନି ।  ଆପଣ ବି ଯଦି ସେଲିନାର କୌଣସି ଖବର ପାଆନ୍ତି କିମ୍ବା କୌଣସି ସ୍ଥାନରେ ଦେଖନ୍ତି ତେବେ ତୁରନ୍ତ ବରହମପୁର ଥାନାକୁ ଜଣାଇବାକୁ ଅନୁରୋଧ ।

 

  • Reported by:
  • Biswambar Das